ବେଥେଲହାମ ତାରା

ଅର୍ଜୁନୀ ଚରଣ ବେହେରା

ବେଥେଲହାମ ତାରା
===========
ଯୁଗ ଯୁଗାନ୍ତେ ଅଜ୍ଞାନ ଅନ୍ତେ
ତୁମେ ହେ ଅବତର l
ତୁମେ ତ ଯୀଶୁ ତୁମେ ତ ଆଲ୍ଲା
ତୁମେ ତ ଯୋରାଷ୍ଟର ll
ତୁମେ ତ ବୁଦ୍ଧ, ତୁମେ ତ ଜୈନ
ତୁମେ ହେ କୃଷ୍ଣ ରାମ l
ଅନେକ ମତ, ଅନେକ ପଥ
ଏକା ହିଁ ତୁମ ଧାମ ll
ଦୁଷ୍ଟ ଦଳନେ, ଶିଷ୍ଟ ପାଳନେ
ଯୁଗ ଯୁଗର ଲୀଳା l
ଆଚାର ଧର୍ମ ରକ୍ଷଣେ ପ୍ରଭୁ
ଜଗତେ ତଵ ଖେଳା ll
କୃଷ୍ଣ ଜନ୍ମିଲେ କଂସ କାରାରେ
ତମିଶ୍ର ଅନ୍ଧକାର l
ବର୍ଷଣ ରାତି ଅର୍ଦ୍ଧ ଯାମରେ
ଆକାଶେ ନିଶାକର ll
ଘୋଡ଼ା ଶାଳରେ ଜନ୍ମିଲେ ଯୀଶୁ
ଆନନ୍ଦ ବସୁନ୍ଧରା l
ମେଷପାଳକେ ଦେଖିଲେ ଉଦେ
ବିସ୍ମୟ ଏକ ତାରା ll
ସମସ୍ତ ଶିଶୁ ମାରିବ ପୁଣି
ପଣ ମଥୁରାପତି l
ବେଥେଲହାମେ ଶିଶୁ ହାଣିବେ
ହେରୋଡ଼ ନୁରୁପତି ll
ଅଜ୍ଞ ମାନବ ପାରେ କି କେବେ
ସତ୍ୟର ରୋକି କଣ୍ଠ l
କାଳେ ପ୍ରକାଶ ସତ୍ୟ ନିର୍ଯ୍ୟାସ
ପ୍ରଭୁ ପାଇଲେ କଷ୍ଟ ll
ପ୍ରଭୁଙ୍କ ଲୀଳା କେ ବୁଝିପାରେ
ଅବତରିଲେ ଯୀଶୁ l
ପ୍ରଚାରି ଯିବି ସତ୍ୟ ଓ ପ୍ରେମ
ଦେହ ମାଟିରେ ମିଶୁ ll
ଅଜ୍ଞ ମାନବ, କାହୁଁ ବୁଝିବ
ପ୍ରଭୁଙ୍କ ଦିବ୍ୟ କଥା l
କ୍ରୁସ ପରେ ଚଢ଼ାଇ ଦେଇ
ମୁଣ୍ଡେ ପିଟିଲା କଣ୍ଟା ll
କରୁଣା ମୟ ହସନ୍ତି ପ୍ରଭୁ
ବୋଲନ୍ତି ପ୍ରେମବାଣୀ l
ହେ କ୍ଷମାମୟ କ୍ଷମ ଏହାଙ୍କୁ
ପାରନ୍ତି ନାହିଁ ଜାଣି ll
ଏପରି ଥିଲେ ଆସିଲେ ଦିନେ
ସଂସାରେ ଯୀଶୁଖ୍ରୀଷ୍ଟ l
ଈଶ୍ୱର ପୁତ୍ର ବିଚାରି ମନେ
ହରି ମାନବ କଷ୍ଟ ll
ମାନବ ପ୍ରେମ ଅହିଂସ ଧର୍ମ
ପ୍ରଚାରି ପ୍ରଭୁ ପରା l
ଦିବ୍ୟ ସନ୍ଦେଶ ପ୍ରଭୁ ପ୍ରକାଶ
ବେଥେଲହାମ ତାରା ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.