ବିଇଡି ପରୀକ୍ଷାର୍ଥୀଙ୍କୁ ଠକେଇ ଅଭିଯୋଗରେ ଫେରାର ଅଭିଯୁକ୍ତ ଗିରଫ

ଧର୍ମଶାଳା : ଆନ୍ଧ୍ର ବିଇଡି ପାସ୍‌ କରାଇଦେବାକୁ କହି ପରୀକ୍ଷାର୍ଥୀଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟି ଫେରାର୍ ଥିବା ମୁଖ୍ୟ ଅଭିଯୁକ୍ତକୁ ଧର୍ମଶାଳା ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତ ଗଙ୍ଗାଧରପୁର ପଞ୍ଚାୟତ କଣିପାଟିଆ ଗ୍ରାମର ଅଭିଜିତ ଦାସକୁ ଆଜି ଚଣ୍ତିଖୋଲ କୋର୍ଟଚାଲାଣ କରାଯାଇଛି।

ପ୍ରକାଶ ଯେ, କଣିପାଟିଆ ଗ୍ରାମର ଅଭିଜିତ ଦାସ ନିଜକୁ ବିଇଡି କଲେଜ୍ ଏଜେଣ୍ଟ୍ ବୋଲି ପରିଚୟ ଦେଇ ଯାଜପୁର, ଭଦ୍ରକ ଓ କଟକ ଜିଲ୍ଲାର ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲା। ଆନ୍ଧ୍ର ପ୍ରଦେଶର ମହମ୍ମଦ ଅରହାନ୍ ବିଇଡି କଲେଜ୍‌ରେ ୨୦୨୧/୨୩ ଶିକ୍ଷାବର୍ଷରେ ନାମ ଲେଖାଇ ଦେବାପାଇଁ ପ୍ରତି ଛାତ୍ରଛାତ୍ରୀଙ୍କ ଠାରୁ ୨୦ ହଜାର ଟଙ୍କା ଆଦାୟ କରିଥିଲା। ଚଣ୍ତିଖୋଲ ଟ୍ରାଫିକ୍ ପୁଲିସ୍‌ ଥାନା ନିକଟରେ ଅଫିସ୍‌ କରି ସେ ତାଙ୍କ ଘର ନିକଟ ଦେଉଳିପାଳ ଗ୍ରାମର ଅନ୍ୟ ଜଣେ ସହଯୋଗୀ ମାଧ୍ୟମରେ ଏହି ଟଙ୍କା ଆଦାୟ କରିଥିଲା। ବିଇଡି ପ୍ରଥମ ସେମିଷ୍ଟାର ପରୀକ୍ଷା ଗତ ଜୁଲାଇ ୨୨ ତାରିଖରେ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ୧୯ତାରିଖରେ ଆନ୍ଧ୍ରପ୍ରଦେଶ ଯିବାକୁ ଅଭିଜିତ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇଥିଲା।

ବସ୍‌ ଯୋଗେ ସେଠାକୁ ପରୀକ୍ଷା ଦେବାକୁ ଯିବାପାଇଁ ପରୀକ୍ଷାର୍ଥୀଙ୍କ ଠାରୁ ଜଣପିଛା ୫ହଜାର ଟଙ୍କା ଲେଖାଏଁ ଆଦାୟ କରିଥିଲା। ପରୀକ୍ଷାର୍ଥୀମାନେ ୧୯ ତାରିଖରେ ଚଣ୍ତିଖୋଲସ୍ଥିତ ଅଭିଜିତର କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ସକାଳ ୭ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ହେଁ, ବସ୍‌ ଆସିନଥିଲା କିମ୍ବା ଅଭିଯୁକ୍ତର ଦେଖା ମିଳିନଥିଲା। ପରେ ଯୋଗାଯୋଗ କରିବାରୁ ତାର ମୋବାଇଲ୍ ସୁଇଚ୍ ଅଫ୍‌ ରହିଥିଲା। ଏହାପରେ ଗତ ୨୧ ତାରିଖରେ ପରୀକ୍ଷାର୍ଥୀମାନେ ଏକାଠି ହୋଇ ଧର୍ମଶାଳା ଥାନାରେ ଏତଲା ଦେଇଥିଲେ। ୪୧୯/୨୨ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରିଥିଲା। ଏହା ପରଠାରୁ ଅଭିଜିତ ଫେରାର ହୋଇ ଯାଇଥିଲା। ତେବେ ଅଭିଯୁକ୍ତ ଆନ୍ଧ୍ର ପ୍ରଦେଶରେ ରହୁଥିବା ଖବର ପାଇ ପୁଲିସ୍‌ ସେଠାରେ ଚଢ଼ଉ କରି ତାକୁ ଧରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ରଗଡ଼ିସ୍ଥିତ ଜେଲ୍‌କୁ ପଠାଇ ଦିଆଯାଇଛି।

Comments are closed.