ବୟସ୍କଙ୍କ ସଂଖ୍ୟାବୃଦ୍ଧି ଆଗକୁ ଚ୍ୟାଲେଞ୍ଜ ହେବ
ନୂଆଦିଲ୍ଲୀ: ଭାରତ ଏକ ଯୁବ ଦେଶ। ଏହାର ୧୩୦ କୋଟି ଲୋକଙ୍କ ହାରାହାରି ବୟସ ହେଉଛି ୨୯ ବର୍ଷ। ରୋଜଗାରକ୍ଷମ ନାଗରିକଙ୍କ ସଂଖ୍ୟା ନିର୍ଭରଶୀଳଙ୍କ ଅପେକ୍ଷା ଅଧିକ। କିନ୍ତୁ ଆଗକୁ ବୟସ୍କ ନାଗରିକଙ୍କ ସଂଖ୍ୟା ବୃଦ୍ଧି ସହ ହାରାହାରି ବୟସରେ ବୃଦ୍ଧି ଘଟିବା ଆଶଙ୍କା କରାଯାଉଛି। କାରଣ ସମ୍ପ୍ରତି ୬୦ ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କ ସଂଖ୍ୟାରେ କ୍ରମଶଃ ବୃଦ୍ଧି ଘଟିବା ଲକ୍ଷ୍ୟ କରାଯାଉଛି। ଏକ ହିସାବ ଅନୁସାରେ, ୧୯୫୦ରେ ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ମାତ୍ର ୫ ପ୍ରତିଶତ ଥିବାବେଳେ ୨୦୧୬ରେ ତାହା ୧୦ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ୨୦୫୦ ବେଳକୁ ଏହା ୧୯ ପ୍ରତିଶତକୁ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଅର୍ଥାତ୍ ୨୦୫୦ ବେଳକୁ ପ୍ରତି ୫ ଜଣରେ ଜଣେ ୬୦-୭୦ ବର୍ଷର ବ୍ୟକ୍ତି ହୋଇଥିବ। ଏହି ବୟସ୍କ ନାଗରିକମାନଙ୍କୁ ନାନା ପ୍ରକାର ସ୍ବାସ୍ଥ୍ୟ ଓ ଆର୍ଥିକ ସମସ୍ୟା, ସେବାଯତ୍ନର ଅଭାବ ଆଦି ଭିତରଦେଇ ଗତି କରିବାକୁ ପଡ଼ିବ ବୋଲି ଜନସଂଖ୍ୟା ଅଧ୍ୟୟନ, ଜନସ୍ବାସ୍ଥ୍ୟ ଓ ବରିଷ୍ଠ ନାଗରିକ ଯତ୍ନ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ବୟସ୍କ ନାଗରିକଙ୍କ ସଂଖ୍ୟାବୃଦ୍ଧି ସାରା ବିଶ୍ବରେ ବିଶେଷତଃ ବିକଶିତ ଦେଶଗୁଡ଼ିକ ପାଇଁ ଏକ ଆହ୍ବାନ। ଭାରତ ପାଇଁ ଏହା ଆହୁରି ବଡ଼ ସମସ୍ୟା କାରଣ ଭାରତ ଏକ ଜନବହୁଳ ରାଷ୍ଟ୍ର। ଏଠାରେ ଆଉ ପ୍ରାୟ ୨୫/୨୭ ବର୍ଷ ଭିତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୩୦୦ ନିୟୁତକୁ ଟପିଯାଇପାରେ। ଭାରତରେ ହାରାହାରି ବୟସରେ ବୃଦ୍ଧି ଘଟୁଛି। ୨୦୧୧ରୁ ୨୦୨୧ ଭିତରେ ବୟସ୍କଙ୍କ ଜନସଂଖ୍ୟା ୩୬ ପ୍ରତିଶତ ହାରରେ ବଢ଼ିଛି, ଯାହା ସାଧାରଣ ଜନସଂଖ୍ୟା ବୃଦ୍ଧି ହାରଠାରୁ ତିନିଗୁଣ ଅଧିକ। ଅଣଲାଭକାରୀ ସଂସ୍ଥା ହେଲ୍ପଏଜ୍ ଇଣ୍ଡିଆର ତଥ୍ୟ ଅନୁସାରେ, ଫ୍ରାନ୍ସ ପରି ଦେଶରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଦ୍ବିଗୁଣ ହେବା ପାଇଁ ୧୦୦ ବର୍ଷ ଲାଗୁଥିବା ବେଳେ ଭାରତରେ ସେଥିପାଇଁ ମାତ୍ର ୨୦ ବର୍ଷ ଦରକାର। ତେବେ ଆସନ୍ତା ୩ରୁ ୫ ବର୍ଷ ଭିତରେ ଜନସାଂଖ୍ୟିକ ପରିବର୍ତ୍ତନର ପ୍ରଭାବ ବିଶେଷ ଅନୁଭୂତ ହେବ ନାହିଁ। କାରଣ ପ୍ରାୟ ସମସ୍ତଙ୍କର ପରିବାର ଅଛି ଏବଂ ପ୍ରତ୍ୟେକ ପରିବାର ବୟସ୍କଙ୍କ ସେବାଶୁଶ୍ରୂଷା କରିଥାନ୍ତି। କିନ୍ତୁ ଯେତେବେଳେ ସଂଖ୍ୟା ଅତିମାତ୍ରାରେ ବଢ଼ିବ ସେତେବେଳେ ସମସ୍ୟା ଅନୁଭୂତ ହେବ ବୋଲି ହେଲ୍ପଏଜ୍ ଇଣ୍ଡିଆର ମୁଖ୍ୟ ଅନୁପମା ଦତ୍ତ କହିଛନ୍ତି। ଚିକିତ୍ସା ବିଜ୍ଞାନର ଉନ୍ନତି ଫଳରେ ବାର୍ଦ୍ଧକ୍ୟ ଯୋଗୁ କର୍ମକ୍ଷମତା ହରାଇଲେ ବି ଲୋକମାନେ ଅଧିକ ଦିନ ବଞ୍ଚୁଛନ୍ତି ଏବଂ ମୃତ୍ୟୁହାର କମୁଛି। ଏହାଦ୍ବାରା ୬୦ ବର୍ଷ ବୟସ୍କଙ୍କ ଜୀବନ ସମ୍ଭାବ୍ୟତା ବୃଦ୍ଧି ପାଉଛି। ୧୯୫୦ରେ ଏହା ୧୨ ବର୍ଷ ଥିବା ବେଳେ ୨୦୧୪-୧୮ ଭିତରେ ଏହା ୧୮ ବର୍ଷକୁ ବୃଦ୍ଧି ପାଇଛି।
Comments are closed.