ବାନର ବେକରେ ମୋତିହାର

ଅର୍ଜୁନୀ ଚରଣ ବେହେରା

ବାନର ବେକରେ ମୋତିହାର
===============
ପ୍ରଭୁ ଶ୍ରୀରାମ ଚୋଉଦବର୍ଷ ବନବାସ ଓ ଦଶାନନ ନିଧନ ପରେ ଫେରି ଆସି ଅଯୋଧ୍ୟା ସିଂହାସନରେ ଅଭିଷିକ୍ତ ହେଲେ l ଲଙ୍କା ଯୁଦ୍ଧରେ ସାହାଯ୍ୟକାରୀ ସମସ୍ତ ଭାଲୁ, ବାନର ବୀର ତଥା ବିଭୀଷଣ ଏବେ ନିଜ ନିଜ ଦେଶକୁ ଫେରିଯିବେ l ସେମାନେ ଖାଲି ହାତରେ କଅଣ ଫେରି ଯିବେ l ସମସ୍ତଙ୍କୁ ଶ୍ରୀରାମ ଉପହାର ଦେବାକୁ ମନସ୍ଥ କରି ଡକାଇଲେ l
ପ୍ରଥମେ ବିଭୀଷଣ ଆସିଲେ l ପ୍ରଭୁ ତାଙ୍କ ମୁଣ୍ଡରେ ପାଟ ଶିରିପା ବାନ୍ଧି ଦେଇ ବହୁ ଉପହାର ଦେଲେ l ଏହାପରେ ସୁଗ୍ରୀବ ଓ ଜାମ୍ବବାନ ଆସିଲେ l ରାମ ତାଙ୍କ ମୁଣ୍ଡରେ ଶାଢ଼ି ବାନ୍ଧି ଦେଇ ଅନେକ ଧନରତ୍ନ ଉପହାର ଦେଲେ l ବୀର ଅଙ୍ଗଦଙ୍କୁ ବହୁ ଉପହାର ଏବଂ କିଷ୍କିନ୍ଧ୍ୟାର ଯୁବରାଜ ପଦ ମିଳିଲା l ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ, ବାବୁ, ତତେ କ’ଣ ଦେବି କହ l ସାନ ଠାକୁର ବିନୀତ ହୋଇ କହିଲେ, ପ୍ରଭୁ ମୋର କିଛି ଦରକାର ନାହିଁ l ମୋତେ ଖାଲି ଏହି ଅନୁଗ୍ରହ କରନ୍ତୁ ମୁଁ ଯେପରି ସବୁଦିନେ ଆପଣଙ୍କ ସିଂହାସନ ଉପରେ ଛତ୍ରୀ ଧରିଥାଏ l ଲକ୍ଷ୍ମଣଙ୍କୁ କୁଣ୍ଢାଇ ପକାଇ ପ୍ରଭୁ କହିଲେ, ଏବମସ୍ତୁ l
ଏବେ ପାଳିପଡ଼ିଲା ହନୁମାନଙ୍କର l ପ୍ରଭୁ ତାଙ୍କୁ ମଧ୍ୟ ଉପହାର ଯାଚିଲେ l ହନୁମାନ କହିଲେ, ପ୍ରଭୁ ! ମୁଁ ପଶୁ ଜାତି, ସାମାନ୍ୟ ବାନରଟିଏ l ଗଛରେ ଡାଳକୁ ଡାଳ ଡେଇଁ ବୁଲିବା ମୋର ଅଭ୍ୟାସ l ଏ ଉପହାର ନେଇ ମୁଁ କରିବି କ’ଣ l ଆପଣ ଏତିକି କୃପାକରନ୍ତୁ ମୋତେ, ମୁଁ ଯେପରି ଚିରଦିନ ଆପଣଙ୍କ ଚରଣରେ ଦାସ ହୋଇ ରହିଥିବି l
ହନୁଙ୍କ କଥା ଶୁଣି ଶ୍ରୀରାମ ହସି ଦେଲେ l ସୀତାଙ୍କ ମନକୁ କିନ୍ତୁ ଏ କଥା ପାଇଲା ନାହିଁ l ନିଜ ବେକରୁ ମାଆ ପିନ୍ଧିଥିବା ଏକ ମୋତିହାର କାଢ଼ି ହନୁମାନଙ୍କୁ ଉପହାର ଦେଲେ l ହନୁମାନଙ୍କ ଆନନ୍ଦ କହିଲେ ନ ସରେ l ସୁନ୍ଦର ଫଳ ମନେକରି ସେ ହାରଟିକୁ ଧରି ଗୋଟିଏ କଣରେ ଯାଇ ବସିଲେ ଓ ଗୋଟି ଗୋଟି ଗୁନ୍ଥା ମୋତି ମାନଙ୍କୁ ଛିଣ୍ଡାଇ ଦାନ୍ତରେ ଭାଙ୍ଗିବାରେ ଲାଗିଲେ l ଅଳ୍ପଦୂରରେ ରହି ବିଭୀଷଣ ତାଙ୍କୁ ଲକ୍ଷ୍ୟ କରୁଥଲେ l ସେ ଆସି ହନୁମାନଙ୍କୁ କହିଲେ, ତୁମେ ଏସବୁ କଅଣକରୁଛ ହନୁମାନ l ତୁମେ ମାଆ ସୀତା ଦେଇଥିବା ମାଳାର ମୋତି ଗୁଡ଼ିକୁ ଭାଙ୍ଗି ଗୁଣ୍ଡ କରି ଦେଉଛ କାହିଁକି l ପୁଣି ତାଭିତରେ ଏତେସବୁ କ’ଣ ଦେଖୁଛ ତୁମେ l ବିଭୀଷଣଙ୍କ କଥା ଶୁଣି ସଭାସଦ ସମସ୍ତେ ହସି ହସି କହୁଥାନ୍ତି,” ଇଏ ବାନର ମୋତି ମାଳାର ଗୁଣ ଜାଣିବ କଅଣ” l
ହନୁମାନ କହିଲେ, ମୁଁ ଦେଖୁଛି ଏହା ଭିତରେ ପ୍ରଭୁ ଓ ମାଆଙ୍କ ରୂପ ଅଛିକି ନାହିଁ l କାହିଁ ସେପରି କିଛି ପାଉ ନାହିଁ ତ l ତେବେ ଏ ମାଳାକୁ ରଖି କି ଲାଭ l ଏମିତି କହି, ସେ ମୋତି ମାଳାଟିକୁ ଫିଙ୍ଗି ଦେଲେ l ବିଭୀଷଣ କହିଲେ,ଆଶ୍ଚର୍ଯ୍ୟ କଥା l ତୁମ ଦେହରେ କଅଣ ପ୍ରଭୁ ଓ ମାଆଙ୍କ ରୂପ ଅଛି,ତୁମେ ତା ବୋଲି କଅଣ ତୁମ ଦେହଟାକୁ ଫିଙ୍ଗି ଦେବ l
ହନୁମାନ କହିଲେ, ହଁ ନିଶ୍ଚୟ ଫିଙ୍ଗି ଦେବି l ଦେହ ଭିତରେ ପ୍ରଭୂ ଓ ମାଆଙ୍କ ରୂପ ରହିବ ନାହିଁ ତ ସେ ଦେହ ଧରି କି ଲାଭ l ଦେଖିବାକୁ ଚାହୁଁଛ ତ ହେଇ ଦେଖ l ଏହା କହି, ସେ ତାଙ୍କ ତୀକ୍ଷ୍ଣ ନଖରେ ନିଜ ହୃଦୟକୁ ଚରିଧରିଲେ l ଆଶ୍ଚର୍ଯ୍ୟ ! ବିଭୀଷଣ ତଥା ଅନ୍ୟମାନେ ଦେଖୁଛନ୍ତି, ତା ଭିତରେ ପ୍ରଭୁ ଶ୍ରୀରାମ ଓ ମାଆ ଜାନକୀ, ଏକ ସିଂହାସନ ଉପରେ ବିଜେ କରିଛନ୍ତି l ସଭାରେ ଉପସ୍ଥିତ ସମସ୍ତେ ଏକସ୍ଵରରେ କହି ଉଠିଲେ,” ଜୟ ରାମଭକ୍ତ ହନୁମାନ ” l
ଏହିଥିଲେ ରାମଭକ୍ତ ହନୁମାନ, ଯିଏ ସର୍ବଦା ରାମ ସୀତାଙ୍କୁ ନିଜ ହୃଦୟ ସିଂହାସନରେ ବସାଇଥିଲେ l ଯଥାର୍ଥରେ ଗୋସ୍ବାମୀ ତୁଳସୀଦାସ କହିଛନ୍ତି:-
ପ୍ରଭୁ ଚରିତ୍ର ସୁନିୱେ କୋ ରସିୟା l
ରାମ ଲଖନ ସୀତା ମନ ବସିୟା ll
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧

Comments are closed.