ବାମନ ଜନ୍ମ

ଛଳୟସି ବିକ୍ରମଣେ ବଳିମଦଦ୍ଭୁତ ବାମନଂ
ପଦନଖନୀର ଜନିତ ଜନ ପାବନଂ
କେଶବ ଧୃତ ବାମନ ରୂପ
ଜୟ ଜଗଦୀଶ ହରେ !
🙏🙏🙏
ଆଜି ଭାଦ୍ରବ ଶୁକ୍ଳଦ୍ୱାଦଶୀ ତିଥି l ଆଜିର ଦିନରେ ଶ୍ରୀ ମହାବିଷ୍ଣୁ ବାମନ ରୂପରେ ମହର୍ଷି କଶ୍ୟପ ଓ ଅଦିତିଙ୍କ ଔରସରେ ଜନ୍ମ ହୋଇଥିଲେ l ବିଷ୍ଣୁଙ୍କ ଏହି ଅବତାରକୁ ମଧ୍ୟ ତ୍ରି ବିକ୍ରମ ଅବତାର କୁହା ଯାଏ l ବାମନ ଭଗବାନଙ୍କର ଧ୍ୟାନ ମନ୍ତ୍ର ହେଲା
“ଓଁ ତ୍ରିବିକ୍ରମାୟ ବିଧମୟେ ବିଶ୍ଵରୂପାୟ
ଧୀମହେଥନୋହଃ ବାମନଃ ପ୍ରଚୋଦୟାଥ” ଭଗବାନଙ୍କର ଏହି ଅବତାର ଦଶାବତାର ବାଦ କ୍ରମରେ ପଞ୍ଚମ ଅବତାର l ବିବର୍ତ୍ତନ ବାଦର ତତ୍ତ୍ୱ ଅନୁସାରେ ଏହାକୁ ଧରା ପୃଷ୍ଠରେ ପ୍ରଥମ ମାନବ ସୃଷ୍ଟି ସହ ସଂଶ୍ଲିଷ୍ଟ କରାଯାଏ l କାରଣ ଏହାପୁର୍ବ ଅବତାର ଗୁଡିକ ହେଲେ ମୀନ,କୂର୍ମ,ବରାହ ଓ ନରସିଂହ l ଭଗବାନ ” ପରିତ୍ରାଣlୟ ସାଧୁନାଂ ବିନାଶୟ ଚ ଦୁଃସ୍କୃତାଂ” କାର୍ଯ୍ୟପାଇଁ ଯୁଗେଯୁଗେ ଅବତାର ଗ୍ରହଣ କରିଛନ୍ତି l ବାମନ ଅବତାରର ଉଦ୍ଦେଶ୍ୟ ଥିଲା, ମହାତେଜା ଅସୁର ରାଜ ବଳିକୁ ଦମନ କରିବା l ମହାବଳି ସତ୍ୟ ଯୁଗରେ ଯାଗ ଯଜ୍ଞ ଆଦି ଶୁଭ କର୍ମ କରି ବହୁ ଶକ୍ତିର ଅଧିକାରୀ ହୋଇଥିଲେ l ତାଙ୍କର ଗୁରୁ ଥିଲେ ଶୁକ୍ରାଚାର୍ଯ୍ୟ l ଗୁରୁଙ୍କ ପରାମର୍ଶ କ୍ରମେ ବଳି ଶହେଟି ଅଶ୍ଵମେଧ ଯଜ୍ଞ କରି ସ୍ଵର୍ଗରାଜ୍ୟକୁ ଅଧିକାର କଲେ ଓ ଦେବ ଗଣ ସ୍ୱର୍ଗପୁରୀରୁ ବିତାଡ଼ିତ ହେଲେ l ଦେଵମାତା ଅଦିତି ଏଥିରେ ବ୍ୟଥିତ ହୋଇ ଋଷି କଶ୍ୟପଙ୍କୁ କହିବାରୁ କଶ୍ୟପ ତାଙ୍କୁ ପୟୋବ୍ରତ କରିବାପାଇଁ ଉପଦେଶ ଦେଲେ l ଏହି ବ୍ରତ କଲେ ଭଗବାନ ତାଙ୍କର ପୁତ୍ର ରୂପେ ଜନ୍ମ ହେବେ ଓ ଦେବଗଣଙ୍କ କଷଣ ଦୂର କରିବେl ଅଦିତି ଏହି ବ୍ରତାଚାର କରି ଦିନେ ସ୍ୱପ୍ନରେ ଚତୁର୍ଭୁଜ ଶ୍ରୀନାରାୟଣଙ୍କ ଦର୍ଶନ ଲାଭକରି ତାଙ୍କର ବନ୍ଦନା କରିବା ଫଳରେ ତାଙ୍କ ଗର୍ଭରେ ନାରାୟଣ ପ୍ରବେଶ କଲେ l ଭାଦ୍ର ଶୁକ୍ଳ ଦ୍ୱାଦଶୀ ତିଥିରେ ଭଗବାନ ବାମନଙ୍କ ଜନ୍ମହେଲା ଚତୁର୍ଭୁଜ ନାରାୟଣ ରୂପରେ l ଆଶ୍ଚର୍ଯ୍ୟ ଭାବରେ ଅଦିତି ଓ କଶ୍ୟପ ତାଙ୍କୁ ଦର୍ଶନ କରୁଛନ୍ତି ହଠାତ ତାଙ୍କର ଚତୁର୍ଭୁଜ ରୂପ ଅନ୍ତର୍ଧ୍ୟାନ ହୋଇ ସୁନ୍ଦର ସାତବର୍ଷର ବଟୁବାମନ ବ୍ରହ୍ମଚାରୀ ରୂପରେ ପ୍ରଭୁ ଆବିର୍ଭୁତ ହେଲେ l ପ୍ରଭୁ ବାମନ ଯଜ୍ଞ ଉପବୀତ ଧାରଣ ପୂର୍ବକ ଗୁରୁ ଗୃହକୁ ଗଲେ ଏବଂ ଗୁରୁଙ୍କ ଉପଦେଶରେ ନର୍ମଦା ନଦୀ ତଟରେ ଯଜ୍ଞ କରୁ ଥିବା ବଳି ଦ୍ୱାରରେ ଭିକ୍ଷା ପାଇଁ ବ୍ରହ୍ମଚାରୀ ରୂପେ ଉପସ୍ଥିତ ହେଲେ l ଦୈତ୍ୟ ରାଜ ଏଭଳି ଅଦ୍ଭୁତ ବ୍ରହ୍ମଚାରୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ତାଙ୍କୁ ପାଦ୍ୟ, ଅର୍ଘ୍ୟ ଓ ଆସନ ଦେଇ ସତ୍କାର କଲେ l ବାମନ ବ୍ରହ୍ମଚାରୀଙ୍କ ସେବା କରି ସେ କୃତକୃତ୍ୟ ହେଲେ l ବାମନ କିଛି ଦାନ ମାଗିବା ଉଦ୍ଦେଶ୍ୟ ନେଇ ଆସିଛନ୍ତି ଭାବି ସେ ତାଙ୍କୁ ଜିଜ୍ଞାସା କଲେ, ବ୍ରାହ୍ମଣଦେବ ଆପଣ କି ଦାନ ମାଗୁଛନ୍ତି ମାଗନ୍ତୁ ମୁଁ ଦେବାକୁ ପ୍ରସ୍ତୁତ ଅଛି l ବାମନ କହିଲେ, ମୁଁ ଏକ କ୍ଷୁଦ୍ର ବାଳକ ମୋର ସେମିତି କିଛି ବିଶେଷ ଆବଶ୍ୟକତା ନାହିଁ କେବଳ ମୋର ଏହି କୁନି କୁନି ପାଦରେ ତିନି ପାଦ ଭୂମି ଦରକାର ଆପଣ ଏହା ଦେବାପାଇଁ ଶଙ୍ଖରେ ପାଣିଟେକି ସତ୍ୟବଦ୍ଧ ହୁଅନ୍ତୁ l ଗୁରୁ ଶୁକ୍ରାଚାର୍ଯ୍ୟ ବାମନଙ୍କ ଉଦ୍ଦେଶ୍ୟ ଜାଣି ପାରି ବଳିଙ୍କୁ ସତର୍କ କରାଇ ଦେଲେ ବଳି ଏଥିରୁ ବିରତ ହୁଅ ଇଏ ଭଗବାନ ବିଷ୍ଣୁ, ତୋର ସର୍ବସ୍ବ ହରଣ କରିବା ନିମନ୍ତେ ବାମନ ରୂପରେ ଆସିଛନ୍ତି l ରାଜା ବଳି ଧର୍ମନିଷ୍ଠ ଓ ପରମ ଧାର୍ମିକ ଥିବାରୁ ଶୁକ୍ରାଚାର୍ଯ୍ୟଙ୍କୁ କହିଲେ ମୁଁ ବଚନ ବଦ୍ଧ, ମୋର ଅହୋଭାଗ୍ୟ ମୁଁ ଭଗବାନଙ୍କର ପୂଜା କଲି ଓ ତାଙ୍କୁହିଁ ଦାନ ଦେବାକୁ ଯାଉଛି l ଏଣୁ ଏଭଳି ପୁଣ୍ୟ କର୍ମରୁ ମୋତେ ବିରତ ରହିବାକୁ କୁହନ୍ତୁ ନାହିଁ ଗୁରୁଦେବ l ଏହା କହି ବଳି ଶଙ୍ଖରେ ପାଣି ଟେକି ସତ୍ୟ କରିବା ପାଇଁ ଉଦ୍ୟତ ହୁଅନ୍ତେ,ଗୁରୁ ଶୁକ୍ରାଚାର୍ଯ୍ୟ ଏଥିରେ ରାକ୍ଷସ କୁଳର ବଡ଼ ଅନର୍ଥ ହେବ ଭାବି ଶଙ୍ଖରୁ ଜଳ ପ୍ରବାହିତ ନହେବାପାଇଁ ଗୋଟିଏ ମାଛି ରୂପରେ ଶଙ୍ଖ ଭିତରେ ପଶି ଜଳ ପ୍ରବାହ ଦ୍ଵାର ଅବରୋଧ କଲେ l ବାମନ ଏ କଥା ଜାଣି ପାରି ତାଙ୍କ କୁଶ ବଟୁରେ ଶଙ୍ଖର ନିର୍ଗମନ ଦ୍ୱାରକୁ ବିଦ୍ଧ କରିବାରୁ ଶୁକ୍ରାଚାର୍ଯ୍ୟଙ୍କର ଗୋଟିଏ ଚକ୍ଷୁ ଫୁଟିଗଲା ଏବଂ ସେ ଚିତ୍କାର କରି ପ୍ରକଟ ହେଲେ l ସେହିଦିନ ଠାରୁ ସେ ହୋଇଗଲେ ଏକ ଆଖିଆ ଶୁକର l ଏହାପରେ ବଳି ଦାନ ଦେବାକୁ ପ୍ରସ୍ତୁତ ହେବାରୁ ବାମନ ତାଙ୍କର ଗୋଟିଏ ପାଦ ବଢ଼ାଇ ସମଗ୍ର ଭୂମଣ୍ଡଳକୁ ନେଇଗଲେ l ଦ୍ୱିତୀୟ ପାଦରେ ସମଗ୍ର ଅଧୋ ମଣ୍ଡଳକୁ ମାପି ନେଲେ l ବାମନ ସ୍ୱର୍ଗକୁ ପାଦ ବଢ଼ାଇ ଥିବା ବେଳେ ବ୍ରହ୍ମା ଚାହିଁଲେ ତାଙ୍କ କମଣ୍ଡଳୁ ଜଳରେ ଭଗବାନଙ୍କର ପାଦ ଧୋଇଦେବାକୁ l ବ୍ରହ୍ମାଙ୍କ କମଣ୍ଡଳୁ ମଧ୍ୟରେ ଗଙ୍ଗା ଅବସ୍ଥାନ କରୁଥିଲେ l ସେ ବିଷ୍ଣୁଙ୍କ ପାଦରେ ଜଳ ଢାଳିବାରୁ ଗଙ୍ଗାଯାଇ ବିଷ୍ଣୁଙ୍କ ନଖକୋଣରେ ଗୁପ୍ତ ହୋଇଗଲେ lପରବର୍ତ୍ତୀ କାଳରେ ଭଗୀରଥ ତପସ୍ୟାକରି ପତିତପାବନୀ ଗଙ୍ଗାଙ୍କୁ ଧରାପୃଷ୍ଠକୁ ଅବତରଣ କରାଇଥିଲେ l ତେଣୁ କବି ସମ୍ରାଟ ବୈଦେହୀଶ ବିଳାସରେ କହିଛନ୍ତି :-
ବିଷ୍ଣୁ ନଖ କୋଣେ ଏ ଥିଲା
ବାମନାବତାରେ ଭଗୀରଥ ଆଣିଲା ll
ଦୁଇପାଦ ଭୂମିଦାନ ପରେ ବଳିଙ୍କ ପାଖରେ ଆଉ କୌଣସି ଯାଗା ନଥିଲା ତୃତୀୟପାଦ ଭୂମି ପାଇଁ l ଭଗବାନ ବଳିଙ୍କୁ ତୃତୀୟ ପାଦ ଭୂମି ମାଗିଲେ l କୁଳର ଅନର୍ଥ ହେବା ଦେଖି ଅସୁର ମାନେ ଆସି ଯୁଦ୍ଧ କରିବା ପାଇଁ ଉପସ୍ଥିତ ହେଲେ l ଏଥିରେ ବ୍ୟଥିତ ହୋଇ ଭଗବାନଙ୍କ ଇଙ୍ଗିତରେ ଗରୁଡ଼ ଆସି ବଳିଙ୍କୁ ବରୁଣ ପାଶ ଦ୍ୱାରା ବନ୍ଧନ କଲେ l
ଏହା ଶ୍ରୀମଦ ଭାଗବତରେ ବଳିବନ୍ଧନ ଆଖ୍ୟାନ ନାମରେ ପରିଚିତ lଏହି ସମୟରେ ରାଜା ବଳିଙ୍କ ପିତାମହ ପରମ ବିଷ୍ଣୁଭକ୍ତ ପ୍ରହ୍ଲାଦ ଓ ତାଙ୍କ ପତ୍ନୀ ବିନ୍ଧ୍ୟାବଳି ଆସି ଭଗବାନଙ୍କୁ ପ୍ରାର୍ଥନା କଲେ ଓ ବଳିଙ୍କୁ ବନ୍ଧନମୁକ୍ତ କରି ତୃତୀୟପାଦ ଦାନଦେବା ନିମନ୍ତେ କହନ୍ତେ,ବାମନ ଭଗବାନ ନାଭିକମଳରୁ ତୃତୀୟ ପାଦ ପ୍ରକଟ କଲେ l ବଳିଙ୍କ ପାଖରେ ତ ଆଉ ଭୂମି ନ ଥିଲା ଏଣୁ ମାତାମହୀ ବିନ୍ଧ୍ୟାବଳି, ମହାରାଜ ବଳିଙ୍କୁ କହିଲେ ଭଗବାନଙ୍କର ପରମ ପାବନ ଏହି ପାଦକୁ ତୁମର ମସ୍ତକ ପାତି ଧାରଣ କର, ତୁମର ଜୀବନ ଧନ୍ୟ ହୋଇଯିବ l ସର୍ବସ୍ବ ସମର୍ପଣ କରିସାରି ବଳି ଅତି ଦୀନ ହୋଇ ଯାଇ ଥିଲେ l ଭଗବାନ ବଳିର ଏତାଦୃଶ ସମର୍ପଣ ଓ ବଚନ ବଦ୍ଧତାରେ ପ୍ରୀତ ହୋଇ କହିଲେ ବଳି ମୁଁ ତୁମ ପାଖରେ ଋଣୀ ହୋଇଗଲି ଏଣୁ ମୁଁ ତୁମକୁ ଗୋଟିଏ ଦିବ୍ୟ ପୁର ଦେବି ଯେଉଁଠାରେ ତୁମେ ଆନନ୍ଦରେ ବାସ କରିବ l ଏହାପରେ ଭଗବାନ ବଳି ଶିରରେ ପାଦରଖି ପାତାଳକୁ ଚାପିଦେଲେ l ଅତଳ,ବିତଳ,ସୁତଳ,ତଳାତଳ,ମହାତଳ,ରସା ତଳ,ପାତାଳ ଆଦି ସପ୍ତ ପାତାଳ ମଧ୍ୟରୁ ଉତ୍ତମ ସୁତଳ ବଳିଙ୍କର ବାସସ୍ଥାନ ହେଲା l ପୁଣି ବଳିଙ୍କ ଅନୁରୋଧ କ୍ରମେ ମଙ୍ଗଳମୟ ଭଗବାନ ପାତାଳ ପୁରରେ ବଳିର ଦ୍ୱାର ପାଳ ଓ ସୁଦର୍ଶନ ତାଙ୍କର ସୁରକ୍ଷା ପାଇଁ ନିଯୁକ୍ତ ହେଲେ l ବଳି ଶ୍ରୀବିଷ୍ଣୁଙ୍କ ଆଶୀର୍ବାଦ ପାଇ ପାତାଳ ପୁରରେ ପ୍ରବେଶ କଲେ ଓ ଏହାକୁ ସ୍ଵର୍ଗରେ ପରିଣତ କଲେ l
ଏହି ଉପାଖ୍ୟାନଟିରୁ ଆମକୁ ଶିକ୍ଷା ମିଳେ,ବାମନ ହେଲେ ଭଗବାନ,ବଳି ଜୀବ l ତିନିପାଦ ହେଲେ ତନ,ମନ,ଧନ l ତନରେ ପୂଜା, ଦେହାଭିମାନ ଓ ଅହଂକାରକୁ ଦୂର କରିଥାଏ,ମନରେ ପୂଜା କଲେ ଶ୍ରମ କରିବାକୁ ପଡ଼େ ନାହିଁ l ଧନରେ ପୂଜା କଲେ ଧନ ପ୍ରତି ଥିବା ମାୟା ଦୂର ହୋଇଯାଏ l ଈଶ୍ୱରଙ୍କ ସାନିଧ୍ୟ ଲାଭ କରିବା ନିମନ୍ତେ ସବୁକିଛି ତାଙ୍କୁ ହିଁ ସମର୍ପଣ କରିବାକୁ ହେବ l ଭଗବାନ ଶ୍ରୀକୃଷ୍ଣ ଏଣୁ ଉଦ୍ଧବଙ୍କୁ କହିଛନ୍ତି :-
ମୁଁ ଯାକୁ ଅନୁଗ୍ରହ ବହି l
ତା ସର୍ବ ସମ୍ପଦ ହରଇ ll
ଜନ୍ମ କରମ ବୟ ରୂପ l
ବିଦ୍ୟା ଐଶ୍ୱର୍ଯ୍ୟ ଧନାଧିପ ll
ଏ ଭାବେ ଯାର ଗର୍ବ ନାହିଁ l
ମୋହର ଅନୁଗ୍ରହ ତହିଁ ll
ଭଗବାନଙ୍କ ଆଶୀର୍ବାଦରୁ ବଳି ସଂସାରର ସାତ ଜଣ ଚିରଞ୍ଜୀଵୀଙ୍କ ମଧ୍ୟରେ ସ୍ଥାନିତ ହୋଇଛନ୍ତି l ଏଣୁ କୁହାଯାଏ –
ଅଶ୍ୱସ୍ଥାମା ବଳିରବ୍ୟାସୋ
ହନୁମାନଶ୍ଚ ବିଭୀଷଣଃ l
କୄପଃ ପରଶୁରାମଶ୍ଚ
ସପ୍ତେଐତେ ଚିରଞ୍ଜିଵୀନଃ ll
ବଳି ଅତି ଦାନଧର୍ମ ଦ୍ୱାରା ତେଜସ୍ୱି ହୋଇ ଗର୍ବୀ ହୋଇଯାଇ ଥିଲେ ଯାହା ଫଳରେ ସେ ସ୍ୱର୍ଗରୁ ଇନ୍ଦ୍ରଙ୍କୁ ବିତାଡିତ କରି ନିଜେ ଇନ୍ଦ୍ରପଦ ହସ୍ତଗତ କରିଥିଲେ l ବଳିଙ୍କର ଏହି ଗର୍ବକୁ ଖର୍ବ କରିବା ନିମନ୍ତେ ଭଗବାନ ବାମନ ରୂପରେ ଅବତୀର୍ଣ୍ଣ ହୋଇଥିଲେ l ଏଣୁ କୁହା ଯାଇଛି ଅତି ସର୍ବଥା ବର୍ଜନୀୟ l
ଅତି ଦର୍ପେ ହତଃ ଲଙ୍କା
ଅତି ମାନେଶ୍ଚ କୌରବାଃ l
ଅତିଦାନେ ବଳିରବଦ୍ଧ
ଅତି ସର୍ବତ୍ର ଗର୍ହିତମ୍ ll
ବଳି ବାମନ ଚରିତ ସହ ଆଉ ତିନୋଟି ରୋଚକ ଉପାଖ୍ୟାନ ରହିଛି l ପ୍ରଥମଟି ହେଲା –
ଯେତେବେଳେ ଭଗବାନ ବିଷ୍ଣୁ ପାତାଳରେ ବଳି ଦ୍ୱାରରେ ଦ୍ୱାରପାଳ ହୋଇ ରହିଗଲେ,ମା’ ଲଷ୍ମୀ ବୈକୁଣ୍ଠରେ ବ୍ୟଥିତ ହୋଇ ନାରଦଙ୍କୁ ଶ୍ରୀବିଷ୍ଣୁଙ୍କ ଅବସ୍ଥିତି ବିଷୟରେ ପ୍ରଶ୍ନକରି ଜାଣିବାକୁ ପାଇଲେ ଯେ ବିଷ୍ଣୁ ବଳିପୁରରେ ଦ୍ୱାରପାଳ ହୋଇରହିଛନ୍ତିl ଏଣୁ ଲକ୍ଷ୍ମୀ ଯାଇ ବଳି ପୁରରେ ପହଁଚି ହାତରେ ରାକ୍ଷୀ ପିନ୍ଧାଇ ବଳିଙ୍କ ସହ ଭାଈ ସମ୍ପର୍କ ସ୍ଥାପନ କରି ତାଙ୍କ ଠାରୁ ବିଷ୍ଣୁଙ୍କୁ ଉଦ୍ଧାର କରି ବୈକୁଣ୍ଠ ଫେରାଇ ଆଣିଲେ l ଏହିଠାରୁ ହିଁ ଆମର ରାକ୍ଷା ବନ୍ଧନ ପର୍ବର ଉତ୍ପତ୍ତି l ଏଣୁ ରକ୍ଷାବନ୍ଧନ ମନ୍ତ୍ରରେ ପାଠ କରାଯାଏ :-
ୟେନ ବଧୋ ବଳିରାଜା ଦାନବେନ୍ଦ୍ର ମହାବଲଃ, ତେନ ତ୍ୱାମନୁବଂଧାମୀ ରକ୍ଷେ ମାଚଳ ମାଚଳ ll
ଦ୍ୱିତୀୟ ଉପାଖ୍ୟାନଟି ହେଲା –
ବଳି ଯେତେବେଳେ ବାମନଙ୍କ ପଦପାତରେ ପାତାଳ ଗାମୀ ହେଲେ ସେ ଭଗବାନଙ୍କୁ ପ୍ରାର୍ଥନା କରି ଥିଲେ ତା’ ପୁରରେ ନିବାସ ପାଇଁ l ବଳିର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଭଗବାନ ତାକୁ ବର ଦେଇଥିଲେ ତାହାର ପୁରରେ ବର୍ଷରେ ଚାରିମାସ ନିବାସ କରିବେ l କୁହାଯାଏ ଭଗବାନ ଆଷାଢ଼ ଶୁକ୍ଳ ଏକାଦଶୀ (ଦେବଶୟନ ଏକାଦଶୀ) ଠାରୁ କାର୍ତ୍ତିକଶୁକ୍ଳଏକାଦଶୀ (ଦେବଉତ୍ଥାନଏକାଦଶୀ) ପର୍ଯ୍ୟନ୍ତ ଚାରିମାସ ପାତାଳରେ ନିବାସ କରନ୍ତି ଯାହାକୁ ଚାତୁର୍ମାସ୍ୟ ବୋଲି କୁହାଯାଏ l ଏହି ସମୟରେ ଚାତୁର୍ମାସ୍ୟ ବ୍ରତ ପାଳନ କରାଯାଏ l
ତୃତୀୟ ଉପାଖ୍ୟାନ ହେଲା :-
ଜନ୍ମ ସମୟରେ ବାମନଙ୍କ ଖର୍ବ ମନୋହର ବଟୁ ଵାମନ ରୁପକୁ ଦେଖି ବଳିଙ୍କ ଭଉଣୀ ରତ୍ନମାଳା ଏହିଭଳି ପୁଅଟିଏକୁ କୋଳରେ ଧରିବାକୁ ଆଶା ପ୍ରକଟ କରିଥିଲେ l ତାହାର ଏହି ଆକାଂକ୍ଷାକୁ ଭଗବାନ ପୂରଣ କରିଥିଲେ ଦ୍ୱାପର ଯୁଗରେ କୃଷ୍ଣ ଅବତାରରେ l ରତ୍ନମାଳା ରାକ୍ଷସୀ ପୁତନା ରୂପରେ ଜନ୍ମ ହୋଇଥିଲେ ଓ ଶିଶୁ କୃଷ୍ଣଙ୍କୁ ବିଷ ଭରା ସ୍ତନ୍ୟପାନ କରାଇ କୋଳରେ ଧରି ମୃତ୍ୟୁ ବରଣ କରି ମୋକ୍ଷ ଲାଭ କରିଥିଲେ l
ବାମନ ଜନ୍ମ ଦିନ ଆମ ଓଡିଶାରେ ସୁନିଆ ପର୍ବ ପାଳନ କରାଯାଏ l ସୁନିଆ ହେଉଛି ରାଜକୀୟ ନବବର୍ଷ l ରାଜରାଜୁଡା ସମୟରେ ଏହିଦିନ ଜମି ଜମାର ସନନ୍ଦ ନବୀକରଣ ହେଉଥିଲା ଓ ପ୍ରଜା ମାନେ ତାଙ୍କର ବକେୟା ଖଜଣା ପଇଠ କରୁ ଥିଲେ l ଏ ପରମ୍ପରା ଏବେ ମଧ୍ୟ ଆମ ଜଗନ୍ନାଥ ସଂକୃତିରେ ପ୍ରଚଳିତ ଅଛି l ଏହି ଦିନ ଗଜପତି ମହାରାଜାଙ୍କର ନୂଆ ଅଙ୍କ ଆରମ୍ଭ ହୁଏ l ଓଡ଼ିଆ ବ୍ୟବସାୟୀମାନେ ବ୍ୟlବସାୟିକ ନବବର୍ଷ ଏହି ଦିନଠାରୁ ଆରମ୍ଭ କରନ୍ତି l ବାମନ ଜନ୍ମ ଦିନ ମହାପ୍ରଭୁ ଜଗନ୍ନାଥଙ୍କର ବାମନ ବେଶ ଅନୁଷ୍ଠିତ ହୁଏ ଓ ଶ୍ରଦ୍ଧାଳୁ ଭକ୍ତମାନେ ଏହି ବେଶକୁ ଦର୍ଶନ କରି କୃତାର୍ଥ ହୁଅନ୍ତି l
ଭଗବାନଙ୍କ ବାମନ ଅବତାର ଚରିତର ବିସ୍ତୃତ ବର୍ଣ୍ଣନା ଶ୍ରୀମଦ ଭାଗବତ ମହାପୁରାଣ, ବିଷ୍ନୁ ପୁରାଣ,ହରିବଂଶ, ଶତପଥ ବ୍ରାହ୍ମଣ, ତୈତ୍ତିରୀୟ ସଂହିତା, ତୈତ୍ତିରୀୟ ବ୍ରାହ୍ମଣ ଇତ୍ୟାଦି ଗ୍ରନ୍ଥରେ ରହିଛି lବାମନଚରିତ ଶ୍ରବଣ କୀର୍ତ୍ତନରେ ଅଶେଷ ପୁଣ୍ୟ ହୁଏ ବୋଲି ବିଶ୍ୱାସ କରାଯାଏ l ଏଥିପାଇଁ ଶ୍ରୀମଦ ଭାଗବତ କୁହନ୍ତି :-
ଅଦ୍ଭୁତ ଚରିତ ବାମନ l
ଯେ କରେ ଶ୍ରବଣ କୀର୍ତ୍ତନ ll
ସକଳ ବିଘ୍ନ ନାଶ ଯାଇ l
ଅନ୍ତେ ପରମଗତି ପାଇ ll
ଓଁ ନମଃ ଭଗବତେ ଵାସୁଦେବାୟଃ
🙏🙏🙏
ଅର୍ଜୁନୀ
———–
ମୋ – 7693091971

Comments are closed.