ସ୍ୱର ସଙ୍ଗତିରେ ଝଙ୍କୃତ ହେଲା ବାଲେଶ୍ବର: ‘ତାଳ ଦରବାର’ ଫେଷ୍ଟିଭାଲରେ ଉନ୍ମୋଚିତ ହେଲା ୱେବସାଇଟ ଓ ମୁଖପତ୍ର ‘ଅଭିବ୍ୟକ୍ତି’

0
ବାଲେଶ୍ବର, ୨୪/୭(କୃଷ୍ଣ କୁମାର ମହାନ୍ତି): ବାଲେଶ୍ବରର ପ୍ରସିଦ୍ଧ ସାଂସ୍କୃତିକ ଅନୁଷ୍ଠାନ ‘ତାଳ ଦରବାର’ର ଚତୁର୍ଥ ବାର୍ଷିକ ଉତ୍ସବ ‘ତାଳ ଦରବାର ଫେଷ୍ଟିଭାଲ-୨୦୨୬’ ଗାନ୍ଧୀ ସ୍ମୃତି ଭବନ ଠାରେ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ସଙ୍ଗୀତ, ସଂସ୍କୃତି ଓ ସର୍ଜନଶୀଳତାର ସମନ୍ୱୟରେ ଆୟୋଜିତ ଏହି ଉତ୍ସବ ଉପସ୍ଥିତ ସମସ୍ତଙ୍କ ମନରେ ସ୍ମରଣୀୟ ଛାପ ଛାଡ଼ିଥିଲା।
ଏଥିରେ ବାଲେଶ୍ବର ପୌରପରିଷଦର ଅଧକ୍ଷା ଶ୍ରୀମତୀ ସବିତା ସାହୁ ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ଯୋଗ ଦେଇଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା ସ୍ଵତନ୍ତ୍ର ଅତିଥି, ଅନୁଷ୍ଠାନର ଉପଦେଷ୍ଟା କବି ପ୍ରଶାନ୍ତ କୁମାର ଦାସ ମୁଖ୍ୟବକ୍ତା ଏବଂ ସଭାପତି ଶ୍ରୀ ସଂଗ୍ରାମ ଦାସ ସଭାପତିତ୍ଵ କରିଥିଲେ।
ଏହି ଦିନ ଅନୁଷ୍ଠାନର ପ୍ରତିଷ୍ଠାତା ତବଲା ଗୁରୁ ଅଜିତାନ୍ଦ ଦେବ ଗୋସ୍ୱାମୀଙ୍କ ଜନ୍ମଦିନ ଥିବାରୁ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ‘ତାଳ ଦରବାର’ ଶୀର୍ଷକ ସଙ୍ଗୀତ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ ହୋଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପରେ ‘ସ୍ୱର ସଙ୍ଗତି’ ବା ସିମ୍ଫୋନି ପରିବେଷଣ ସମଗ୍ର ପ୍ରେକ୍ଷାଳୟକୁ ଭାବବିହ୍ବଳ କରିଦେଇଥିଲା।
ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ‘ତାଳ ଦରବାର’ର ଅଧିକୃତ ୱେବସାଇଟ ଏବଂ ଅନୁଷ୍ଠାନର ପ୍ରଥମ ମୁଖପତ୍ର ‘ଅଭିବ୍ୟକ୍ତି’ ଉନ୍ମୋଚିତ ହୋଇଥିଲା। ଅତିଥିମାନେ କହିଥିଲେ ଯେ, ୱେବସାଇଟ ମାଧ୍ୟମରେ ‘ତାଳ ଦରବାର’ର କାର୍ଯ୍ୟକଳାପ ଏବେ ବିଶ୍ୱସ୍ତରରେ ପହଞ୍ଚିପାରିବ। ଏହା ଶାସ୍ତ୍ରୀୟ ସଙ୍ଗୀତ ଓ ତାଳର ପ୍ରଚାର ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ।
ମୁଖ୍ୟ ଅତିଥି ଶ୍ରୀମତୀ ସାହୁ ଅନୁଷ୍ଠାନର ଆୟୋଜନ ଓ ପରିକଳ୍ପନାକୁ ପ୍ରଶଂସା କରି କହିଲେ ଯେ, ‘ତାଳ ଦରବାର’ କେବଳ ଏକ ସଙ୍ଗୀତ ବିଦ୍ୟାଳୟ ନୁହେଁ, ଏହା ଯୁବପିଢ଼ିଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି ପ୍ରତି ଆଗ୍ରହ ସୃଷ୍ଟି କରୁଥିବା ଏକ ସାଂସ୍କୃତିକ ଆନ୍ଦୋଳନ।
ଏହି ଅବସରରେ ସଦାନନ୍ଦ ଦାସ, ମଞ୍ଜୁଲତା ମହାନ୍ତି, ସୌରଭ କୁମାର ଗିରି, ସଙ୍ଗୀତା ମହାନ୍ତି, ମାଲା ନାଥ, ଜୟମାଲା ଚୌଧୁରୀ, ନିତ୍ୟାନନ୍ଦ ସାହୁ, ସଙ୍ଗ୍ରାମ କେଶରୀ ମହାନ୍ତି, ସୁମନା ପରିଡା ଓ ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି ପ୍ରମୁଖଙ୍କୁ ମାନପତ୍ର, ଉପଢ଼ୌକନ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ବ୍ୟତୀତ ଉତ୍ସବରେ ପୂର୍ବରୁ ହୋଇଥିବା ଭଜନ, ଶାସ୍ତ୍ରୀୟ ସଙ୍ଗୀତ, ତବଲା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସମ୍ମାନପତ୍ର ଓ ସ୍ମାରକ ପ୍ରଦାନ କରାଯାଇଥିଲା।
ସମାପନ ଅଭିଭାଷଣରେ ଗୁରୁ ଅଜିତାନନ୍ଦ ଦେବ ଗୋସ୍ୱାମୀ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇବା ସହ ଜୁଲାଇ ୨୩ ତାରିଖକୁ ‘ତାଳ ଦିବସ’ ଭାବେ ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ସୁଚାରୁ ରୂପେ କାର୍ଯ୍ୟକ୍ରମ ଆୟୋଜନ ଓ ଉଚ୍ଚକୋଟୀର ସଙ୍ଗୀତ ପରିବେଷଣ ଯୋଗୁଁ ‘ତାଳ ଦରବାର’ ଫେଷ୍ଟିଭାଲ-୨୦୨୬ ବାଲେଶ୍ବର ସାଂସ୍କୃତିକ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ବୋଲି ମତ ପ୍ରକାଶ ପାଇଥିଲା।
Leave A Reply

Your email address will not be published.