ବାଲେଶ୍ୱର, ୨୭/୧୧ (କୃଷ୍ଣ କୁମାର ମହାନ୍ତି): ବେଆଇନ ପଥର ଖନନ ଓ ଖଣିଜ ପଦାର୍ଥ ଚାଲାଣ ଉପରେ ଅଙ୍କୁଶ ଲଗାଇବା ଲକ୍ଷ୍ୟରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ବାଗୁଡ଼ି ପଥର ଖଣି ଅଞ୍ଚଳରେ ବଡ଼ଧରଣର ଚଢ଼ାଉ କରାଯାଇଛି। ଶୁକ୍ରବାର ପୂର୍ବାହ୍ନ ୯ଟାରେ ସୋର ତହସିଲ ଅଧୀନ ବାଗୁଡ଼ି ପଥର ଖାଦାନ ଓ କ୍ରସରଗୁଡ଼ିକରେ ଜିଲ୍ଲା ପ୍ରଶାସନ ଏବଂ ଖଣି ବିଭାଗର ମିଳିତ ଟିମ୍ ଏହି ଅଭିଯାନ ଚଳାଇଥିଲା।
ଚଢ଼ାଉ ସମୟରେ ଗୋଟିଏ ପଥର ଖଣିକୁ ଜବତ କରାଯାଇଥିବାବେଳେ ୫ଟି କ୍ରସରକୁ ସିଲ୍ କରାଯାଇଛି। ଏହା ସହିତ ଜେସିବି ଓ ପ୍ରୋକ୍ଲିନ୍ ସମେତ ୨୩ଟି ଭାରୀ ଯାନ, ୬ଟି କମ୍ପ୍ରେସର, ୭ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଏହି ଘଟଣାରେ ୬ ଜଣ ଅପରେଟରଙ୍କୁ ମଧ୍ୟ ଅଟକ ରଖାଯାଇଛି।
ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ, ବାଲେଶ୍ୱର ଉପଜିଲ୍ଲାପାଳ ଶିବ ମାଲବ୍ୟ, ଜିଲ୍ଲା ଖଣି ଅଧିକାରୀ, ସୋର ତହସିଲଦାର, ରାଜସ୍ୱ ଅଧିକାରୀ, ସୋର ଥାନା ଅଧିକାରୀ, ଏସଡିପିଓଙ୍କ ସମେତ ଅନେକ ପ୍ରଶାସନିକ ଓ ପୁଲିସ ଅଧିକାରୀ ସାମିଲ ହୋଇଥିଲେ।
ଖଣି ଅଞ୍ଚଳରେ ବେଆଇନ ଖନନ, ଅନିୟମିତତା ଏବଂ ଖଣି ନିୟମର ଉଲ୍ଲଂଘନ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ଯାଞ୍ଚ ଓ ଚଢ଼ାଉ ଜାରି ରଖିଛି। ନିୟମ ଉଲ୍ଲଂଘନକାରୀ ବ୍ୟକ୍ତି ଓ ସଂସ୍ଥା ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ପ୍ରାକୃତିକ ସମ୍ପଦର ସୁରକ୍ଷା, ବେଆଇନ ଖନନ ନିୟନ୍ତ୍ରଣ ଏବଂ ଖଣିଜ ସମ୍ପଦ ସମ୍ବନ୍ଧୀୟ ନିୟମର କଡ଼ାକଡ଼ି ଅନୁପାଳନ ସୁନିଶ୍ଚିତ କରିବା ଦିଗରେ ଜିଲ୍ଲା ପ୍ରଶାସନ ତାହାର ପ୍ରତିବଦ୍ଧତା ଦୋହରାଇଛି।