ଗଜପତି ଜିଲ୍ଲା ଗସ୍ତରେ ବିଧାନସଭା ଗୃହ କମିଟି, ତୃତୀୟ ବୈଠକ ଏବଂ କ୍ଷେତ୍ର ପରିଦର୍ଶନ ।

0

ଗଜପତି, ୨୨.୮.(ମନୋଜ ପାଢୀ) :-ଓଡ଼ିଶା ବିଧାନସଭାର ଗୃହ କମିଟି ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ଗଜପତି ଜିଲ୍ଲା ଗସ୍ତ କରି ଜିଲ୍ଲାର ବିକାଶମୂଳକ କାର୍ଯ୍ୟ, ପାନୀୟ ଜଳ, ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ଭିତ୍ତିଭୂମି ସମେତ ବିଭିନ୍ନ ଜନସ୍ୱାର୍ଥ ପ୍ରସଙ୍ଗର ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ କମିଟିର ସଦସ୍ୟ ତଥା ମୋହନା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦାଶରଥୀ ଗମାଙ୍ଗ, ରଘୁନାଥପାଲ୍ଲୀ ବିଧାୟକ ଶ୍ରୀଯୁକ୍ତ ଦୁର୍ଗା ଚରଣ ତନ୍ତୀ, ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ୱାଇଁ ଏବଂ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀଙ୍କ ସମେତ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ଓ ଶ୍ରୀ ମୁନୀନ୍ଦ୍ର ହନାଗା, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ,ଉପ ଜିଲ୍ଲାପାଳ ଶ୍ରୀ ଅନୁପ କୁମାର ପଣ୍ଡା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିରଞ୍ଚି ବାଗ, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଶ୍ରୀ ଅଂଶୁମାନ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।କମିଟି ପ୍ରଥମେ ମୋହନା ବ୍ଲକ୍ ଅନ୍ତର୍ଗତ ମାଙ୍କଡ଼ଡିଆ ଜଳପ୍ରପାତ, ଜୀରାଙ୍ଗସ୍ଥିତ ପଦ୍ମସମ୍ଭବ ମହାବିହାର, ଖସଡ଼ା ଜଳପ୍ରପାତ ଏବଂ ପବିତ୍ର ମହେନ୍ଦ୍ରଗିରି ପାହାଡ଼ ପରିଦର୍ଶନ କରି ସେଠାକାର ସ୍ଥିତି ଓ ବିକାଶ ସମ୍ପର୍କରେ ଅନୁଧ୍ୟାନ କରିଥିଲେ।ଏଥି ସହ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ସେଗୁଡ଼ିକର କାର୍ଯ୍ୟ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗଜପତି ଜିଲ୍ଲାପାଳ ଏବଂ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଗୃହ କମିଟିର ତୃତୀୟ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ଓଡ଼ିଶା ବିଧାନସଭାର ମାନ୍ୟବର ସଦସ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ବିଚାରାଧୀନ ଆବେଦନ ଏବଂ ବିଧାନସଭାରେ ଉଠାଯାଇଥିବା ବିଭିନ୍ନ ସବମିଶନର କାର୍ଯ୍ୟାନ୍ୱୟନ ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ଆଲୋଚନାରେ ପାରଳାଖେମୁଣ୍ଡି ସହରର ବାଇପାସ୍ ରାସ୍ତା ନିର୍ମାଣ, ଜିଲ୍ଲାର ଶବର, କନ୍ଧ, ଶୁଦ୍ଧ ଶବର ଆଦି ଜନଜାତିର ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ପ୍ରଦାନ, ମୋହନା ତହସିଲର ଯୋଗ୍ୟ ବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ଆଦି ବିଷୟରେ ଆଲୋଚନା ହୋଇଥିଲା ସେହିପରି ଗୁମ୍ମା ବ୍ଲକ୍‌ର ଆଦିବାସୀ ଅଞ୍ଚଳକୁ ରାସ୍ତା ସଂଯୋଗ, ପାନୀୟ ଜଳ ଓ ବିଦ୍ୟୁତ ଭଳି ମୌଳିକ ସୁବିଧା ଯୋଗାଣ, ପବିତ୍ର ମହେନ୍ଦ୍ରଗିରି ପାହାଡ଼ରେ ପର୍ଯ୍ୟଟନର ବିକାଶ ଏବଂ ଗଜପତି ଜିଲ୍ଲାରୁ ଭୁବନେଶ୍ୱର ଓ ପୁରୀକୁ ତୀର୍ଥଯାତ୍ରୀଙ୍କ ଯାତାୟାତ ପାଇଁ ଉନ୍ନତ ସଡ଼କ ସଂଯୋଗ ଭଳି ବିଷୟ ମଧ୍ୟ ଆଲୋଚନା କରାଯାଇଥିଲା।
ବୈଠକରେ ଆଲୋଚିତ ବିଷୟଗୁଡ଼ିକର ତୁରନ୍ତ ସମାଧାନ ଓ ଲୋକଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୃହ କମିଟି ଗୁରୁତ୍ୱାରୋପ କରିଥିଲେ।

Leave A Reply

Your email address will not be published.