ଆଶୁତୋଷ ପରିଡ଼ା ପାଇବେ ଶାରଳା ପୁରସ୍କାର

0

ଭୁବନେଶ୍ୱର:ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍ ଫେରୋ ଆଲଏଜ୍ ଲି. (ଇମ୍ଫା)ର ସାମାଜିକ ଶାଖା ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ) ପକ୍ଷରୁ ଚଳିତବର୍ଷ ‘ଶାରଳା ପୁରସ୍କାର’ ଓଡ଼ିଆ କବି, ପ୍ରାବନ୍ଧିକ ତଥା ସିଏସ୍‌ଆଇଆର୍-ଆଇଏମ୍‌ଏମ୍‌ଟିର ପୂର୍ବତନ ବୈଜ୍ଞାନିକ ଡ. ଆଶୁତୋଷ ପରିଡ଼ାଙ୍କୁ ପ୍ରଦାନ କରାଯିବ। ପ୍ରଭା ପବ୍ଲିକେସନ୍ ଦ୍ୱାରା ୨୦୨୪ରେ ପ୍ରକାଶିତ ତାଙ୍କର କବିତା ସଙ୍କଳନ ‘ବିଶ୍ୱାସ ଦେ ପୃଥ୍ବୀ’ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ଅକ୍ଟୋବର ୨୫ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଲେଖକଙ୍କୁ ମାନପତ୍ର, ତାମ୍ରଫଳକ ଏବଂ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।
ଏହି ବିଚାର ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟକୁ ସ୍ଥାନ ପାଇଥିବା ସାତଟି ବହି ହେଉଛି- ଅପର୍ଣ୍ଣା ମହାନ୍ତିଙ୍କ ‘ଅପର୍ଣ୍ଣା ମହାନ୍ତିଙ୍କ ପାଇଁ କବିତା’, ପଦ୍ମଜା ପାଳଙ୍କ ‘ଡାହାଣ ପାଦ ବାମ ପାଦ’, ଆଶୁତୋଷ ପରିଡ଼ାଙ୍କ ‘ବିଶ୍ୱାସ ଦେ ପୃଥିବୀ’, ଅର୍ଚ୍ଚନା ନାୟକଙ୍କ ‘ସୀତା’, ବିଜୟ ନାୟକଙ୍କ ‘ମାୟାବାର୍ତ୍ତା’, ପ୍ରକାଶ ମହାପାତ୍ରଙ୍କ ‘ମୋକ୍ଷ ମୁଦ୍ରା’ ଏବଂ ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ‘କବିଙ୍କ ନାମ ବେଦବ୍ୟାସ’। ୨୦୨୬ର ଏହି ମନୋନୟନ ପ୍ରକ୍ରିୟାରେ କବିତା, ଗଳ୍ପ, ଉପନ୍ୟାସ, କ୍ଷୁଦ୍ରଗଳ୍ପ ଏବଂ ନାଟକ ଭଳି ବିଭିନ୍ନ ବିଭାଗର ପୁସ୍ତକ ସାମିଲ ଥିଲା। ପୁସ୍ତକ ମନୋନୟନ କମିଟିରେ ଡ. ଇନ୍ଦିରା ଦାଶ, ପ୍ରତୀକ୍ଷା ଜେନା, ଅମିୟ ବେଜ, ପ୍ରଦୀପ କୁମାର ପଣ୍ଡା ଏବଂ ଅଭୟ ନାୟକ ସଦସ୍ୟ ଥିବାବେଳେ; ବିଚାରକ ମଣ୍ଡଳୀରେ ଡ. ସୁଚେତା ମିଶ୍ର, ଡ. ହୃଷୀକେଶ ମଲ୍ଲିକ, ସଂଗ୍ରାମ ଜେନା, ସ୍ୱପ୍ନା ମିଶ୍ର, ପ୍ରଫେସର ଡ. ନଟବର ଶତପଥୀ, ଡ. ସରୋଜିନୀ ସାହୁ ଏବଂ ଅଜୟ କୁମାର ମହାପାତ୍ର ସାମିଲ ଥିଲେ।
ଏହାବ୍ୟତୀତ, କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ‘ଇମ୍ପାକ୍ଟ’ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ଘୋଷଣା କରାଯାଇଛି। ଓଡ଼ିଶୀ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ଦୁର୍ଗା ଚରଣ ରଣବୀର ଏବଂ ଭାସ୍କର ଓ କଳା ଶିକ୍ଷାବିତ୍ ଦାମୋଦର ବେହେରାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। ଉଭୟଙ୍କୁ ମାନପତ୍ର, ତାମ୍ରଫଳକ ସହ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ। ପ୍ରଦର୍ଶନୀ କଳା ପାଇଁ ଗୁରୁ ପୁଷ୍ପିତା ମିଶ୍ର, ଡ. ନାଜିଆ ଆଲାମ ଓ ସୁରମଣି ଅଭିରାମ ନନ୍ଦ ବିଚାରକ ଥିବା ବେଳେ ଦୃଶ୍ୟ କଳା ପାଇଁ ପଞ୍ଚମୀ ମାନୁ ଉକିଲ, ସଙ୍ଗୀତା ପଟ୍ଟନାୟକ ଏବଂ ବୈଜୟନ୍ତ କୁମାର ଦାଶ ବିଚାରକ ଭାବେ ମନୋନୟନ ପ୍ରକ୍ରିୟା ପରିଚାଳନା କରିଥିଲେ।

Leave A Reply

Your email address will not be published.