ଭୁବନେଶ୍ୱର : ପୂର୍ବ ଭାରତ ମହାସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ଆସନ୍ତା ୨୪ଘଣ୍ଟା ମଧ୍ୟରେ ଶ୍ରୀଲଙ୍କାରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ସୃଷ୍ଟ ଲଘୁଚାପ ପ୍ରଭାବ ଓଡ଼ିଶା ଉପରେ ପଡ଼ି ନାହିଁ। ଆଗାମୀ ୨୪ଘଣ୍ଟାରେ ଗୋଟିଏ ଲଘୁଚାପ ଦୁର୍ବଳ ହେଉଥିବା ବେଳେ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧୁଛି। ଭାରତ ମହାସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଶୁକ୍ରବାର ଆଡକୁ ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢ଼ିବ। ସମ୍ଭାବ୍ୟ ଲଘୁଚାପର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲାରେ ବିଜୁଳି ଘଡଘଡି ସହିତ ବର୍ଷା ସମ୍ଭାବନା ରହିଛି।
ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ୨୩ ଓ ୨୪ ତାରିଖରେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋରଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଯାଜପୁର, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ ଏବଂ ପୁରୀ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହିତ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାତି ତାପମାତ୍ରା ବୃଦ୍ଧି ପାଇଛି। ଭୁବନେଶ୍ବରରେ ପାରଦ ୧୬.୧ ଡିଗ୍ରୀ ଥିବାବେଳେ କଟକରେ ୧୫.୬, ରାଉରକେଲାରେ ୧୦.୭, ଫୁଲବାଣୀରେ ୧୦.୫ ଏବଂ କୋରାପୁଟରେ ୧୦.୬ଡିଗ୍ରୀ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୫ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି।
Comments are closed.