କଟକ: କଟକ ଜିଲ୍ଲା ଅବକାରୀ ଅଧିକ୍ଷକ କରଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ତିଗିରିଆ ଥାନା ଅନ୍ତର୍ଗତ ବିରିପୁଟ ଓ ବାଙ୍କୀ ଥାନା ଅନ୍ତର୍ଗତ ଢେଗୁଆ ଅଞ୍ଚଳରେ ଶନିବାର ଅବକାରୀ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଓ ଗୁଡ଼ପୋଚ ଜବତ କରାଯାଇଛି। ତେବେ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ବେଳେ ୪ଟି ମାମଲା ରୁଜୁ କରାଯାଇଛି।କଟକ ଜିଲ୍ଲା ଅବକାରୀ ଅଧିକ୍ଷକ କରଣ ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ଅଞ୍ଚଳରେ ଏହି ସ୍ୱତନ୍ତ୍ର ଚଢ଼ାଉ କରାଯାଇଥିଲା।ଆଠଗଡ଼ ଅବକାରୀ ଉପଅଧିକ୍ଷକ ସି.ଏଚ୍. ତିରୁପତି ଓ ଅବକାରୀ ନିରୀକ୍ଷକ ରବିନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ହୋଇଥିବା ଚଢ଼ାଉ ବେଳେ ବିରିପୁଟ ଗ୍ରାମ ଓ ଢେଗୁଆ ଗ୍ରାମର କାଜୁ ଜଙ୍ଗଲରୁ ସଦ୍ୟ ପ୍ରସ୍ତୁତ ୮୪୦ ଲିଟର ଦେଶୀ ମଦ ଜବତ କରାଯାଇଥିଲା। ଏହାସହ ମଦ ପ୍ରସ୍ତୁତି ପାଇଁ ଶତାଧିକ ପ୍ଲାଷ୍ଟିକ ଜାରକିନରେ ଲୁଚାଇ ରଖାଯାଇଥିବା ୭୬୯୫ ଲିଟର ଗୁଡ଼ପୋଚ ମଧ୍ୟ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା।
ଅବକାରୀ ବିଭାଗ ସୂଚନା ଅନୁଯାୟୀ, ଚଢ଼ାଉ ସମୟରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବାରୁ କାହାରିକୁ ଗିରଫ କରାଯାଇପାରିନଥିଲା। ତେବେ ଘଟଣାରେ ୪ଟି ଅବକାରୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
ଏହି ଚଢ଼ାଉରେ ବାଙ୍କୀ ଅବକାରୀ ଉପନିରୀକ୍ଷକ ବାପି ସାହୁ, ନରସିଂହପୁର ଅବକାରୀ ଓଆଇସି ରାଜକିଶୋର ନାୟକଙ୍କ ସମେତ ବହୁ ଅବକାରୀ କର୍ମଚାରୀ ସାମିଲ ହୋଇଥିଲେ। ଅବୈଧ ମଦ କାରବାର ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି ସ୍ୱତନ୍ତ୍ର ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।