ରାୟଗଡ଼, ତାରିଖ: ୨୬.୧୦.୨୦୨୬: ରାୟଗଡ଼ ଜିଲ୍ଲାରେ ଆଜିଠାରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ଆରମ୍ଭ ହୋଇଛି। ଏହା ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ଏହି ଅବସରରେ ଆଜି ସକାଳ ୧୧ଟା ସମୟରେ ରାୟଗଡ଼ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀମାନେ ସତ୍ୟନିଷ୍ଠାର ଶପଥ ପାଠ କରିଥିଲେ।
ଏହି ଅବସରରେ କୋଲନରା ବ୍ଲକ କାର୍ଯ୍ୟାଳୟଠାରେ ଏକ ସାମୂହିକ ସତ୍ୟନିଷ୍ଠା ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଶ୍ୱମ୍ବର ବେହେରା, ଉପଜିଲ୍ଲାପାଳ ଶୁଶ୍ରୀ ମୃଣାଳିକା ରାଠୋଡ଼ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କୋଲନରା ବିଡିଓ ଏବଂ ତହସିଲଦାର ଉପସ୍ଥିତ ଥିଲେ।



ଏହି ଶପଥ ପାଠ ମାଧ୍ୟମରେ ସମସ୍ତେ ନିଜ ନିଜର କର୍ତ୍ତବ୍ୟ ପାଳନରେ ସଚ୍ଚୋଟତା, ସ୍ୱଚ୍ଛତା ଓ ନିଷ୍ଠା ବଜାୟ ରଖିବା ସହ ଦୁର୍ନୀତି ବିରୋଧରେ ଦୃଢ଼ ମନୋଭାବ ପୋଷଣ କରିବାକୁ ସଂକଳ୍ପ ନେଇଥିଲେ।



ଦୁର୍ନୀତିମୁକ୍ତ ପ୍ରଶାସନ ଗଠନ, ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ସହ ଜନସାଧାରଣଙ୍କ ମଧ୍ୟରେ ସତ୍ୟନିଷ୍ଠା ଓ ନୈତିକ ମୂଲ୍ୟବୋଧ ପ୍ରତି ସଚେତନତା ସୃଷ୍ଟି କରିବା ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ।