ନବରଙ୍ଗପୁର ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ–୨୦୨୬ ଆରମ୍ଭ

ଅଧିକାରୀଙ୍କୁ ସାଧୁତାର ଶପଥ ପାଠ କରାଇଲେ ଜିଲ୍ଲାପାଳ

0

ନବରଙ୍ଗପୁର, ୨୬ ଅକ୍ଟୋବର ୨୦୨୬:(ଶେଖର ଖୁରା )ଓଡ଼ିଶା ସରକାର ତଥା ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକ୍ରମେ ସରକାରୀ କାର୍ଯ୍ୟରେ ସଚ୍ଚୋଟତା, ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱବୋଧକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ନବରଙ୍ଗପୁର ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ–୨୦୨୬ ଆରମ୍ଭ ହୋଇଛି।

ଏହି ଅବସରରେ ତେନ୍ତୁଳିଖୁଣ୍ଟି ବ୍ଲକ କାର୍ଯ୍ୟାଳୟଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିରରେ ଯୋଗଦେଇଥିବା ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ସାଧୁତାର ଶପଥ ପାଠ କରାଇଥିଲେ। ସେହିପରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଶ୍ୱଜିତ ବର୍ମନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ।

ଏଥିସହ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଅଧିକାରୀ ଓ କର୍ମଚାରୀମାନେ ସାଧୁତାର ଶପଥ ଗ୍ରହଣ କରି ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା, ନୈତିକତା ଓ ନିଷ୍ଠା ବଜାୟ ରଖିବା ସହ ଦୁର୍ନୀତିମୁକ୍ତ ପ୍ରଶାସନ ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସାତ ଦିନବ୍ୟାପୀ ଏହି ସଚେତନତା ସପ୍ତାହ ପାଳନ ଅବସରରେ ଦୁର୍ନୀତିର କୁପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସହ ସମାଜରେ ସଚ୍ଚୋଟତା ଓ ନୈତିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ନିମନ୍ତେ ଜିଲ୍ଲାବ୍ୟାପୀ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏହି କ୍ରମରେ ସଚେତନତା ଶୋଭାଯାତ୍ରା, ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା, ବିଭିନ୍ନ ଗ୍ରାମ ପଞ୍ଚାୟତରେ ଦୁର୍ନୀତି ନିବାରଣ ସଚେତନତା ଗ୍ରାମସଭା ଏବଂ ପଥପ୍ରାନ୍ତ ନାଟକ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମଗୁଡ଼ିକ ମାଧ୍ୟମରେ ଦୁର୍ନୀତିର କୁପରିଣାମ, ଏହାର ନିରାକରଣ ଏବଂ ଦୁର୍ନୀତି ବିରୋଧରେ ଜନସାଧାରଣଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ।

Leave A Reply

Your email address will not be published.