ଗାଡିରେ ପୁଲିସ ବୋର୍ଡ ଲଗାଇ ବୁଲିବା ମହଙ୍ଗା ପଡିଲା, ଆନ୍ଧ୍ରର ଜଣେ ଯୁବକ ଅଟକ

ବ୍ରହ୍ମପୁର: ପାର୍ବଣ ଋତୁରେ ଅଏସ ପାଇଁ କାରରେ ପୁଲିସ ବୋର୍ଡ ଲଗାଇ ବୁଲିବା  ମହଙ୍ଗା ପଡିଲା । ଦାମୀକାରରେ ପୁଲିସ ବୋର୍ଡ ଲଗାଇ ସହରରେ ବୁଲୁଥିବା ଆନ୍ଧ୍ରପ୍ରଦେଶ ଜଣେ ଯୁବକଙ୍କୁ ଠାବ କଲା ପୁଲିସ । ଅଟକ ଯୁବକ ଜଣକ ହେଲେ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା କୋତାବୋମଲି ଅଞ୍ଚଳର କେ. ସୁବ୍ରମଣ୍ୟମ । ସୂଚନା ଥାଉ କି ଆଜି ଦିନ ଗୋଟେ ବେଳେ ଆନ୍ଧ୍ରନମ୍ୱରଥିବା କ୍ରେଟା କାରଟି (ଏପି୩୯ ଏଲଡ଼ବ୍ଲୁ୮୧୨୩) ଲାଞ୍ଜିପଲ୍ଲୀ ବାଇପାସ୍ ଦେଇ ବ୍ରହ୍ମପୁର ଭିତରକୁ ପ୍ରବେଶ କରିଥିଲା । ଏହି ସମୟରେ ସେହି ରାସ୍ତା ଦେଇ ଏସପି ଡ଼.ସର୍ବଣା ବିବେକ ଏମ ନିଜ ଅଫିସଗାଡ଼ିରେ ଯାଉଥିବା ବେଳେ ପୁଲିସ ବୋର୍ଡ ଲଗାଇ ଥିବା କାରଟିକୁ ଦେଖିଥିଲେ । ତେବେ କାର ଚଳାଉଥିବା ଯୁବକଙ୍କ ଡ୍ରେସ ଓ ବେକରେ ସୁନା ଚେନ୍ ପକାଇଥିବା ଦେଖି ଏସପି ସନ୍ଦେହ କରି ପିଛା କରିଥିଲେ। ପରେ କାରଟି ଟାଟା ବେଞ୍ଜ ଛକ ଦେଇ ଯାଉଥିବା ଖବର ଟ୍ରାଫିକ ପୁଲିସକୁ ଜଣାଇ  ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସେହିକ୍ରମେ ଟ୍ରାଫିକ ପୁଲିସ ଉକ୍ତ କାରକୁ ଅଟକାଇ ପଚାରଉଚରା କରୁଥିବା ବେଳେ ବ୍ରହ୍ମପୁର ଏସପି ସେଠାରେ ପହଞ୍ଚି କାର ଚଳାଉଥିବା ଯୁବକ ଜଣକ ପରିଚୟ ପତ୍ର ଦେଖାଇବାକୁ କହିଥିଲେ । ଆପଣ କଣ ପୁଲିସ କର୍ମଚାରୀ କି ? ଯଦି ନାହିଁ ତେବେ ଗାଡ଼ିର ଆଗରେ ପୁଲିସ ବୋର୍ଡ଼ କାହିଁକି ଲଗାଇଛନ୍ତି ବୋଲି ବ୍ରହ୍ମପୁର ଏସପି ଉକ୍ତ କାର ଚାଳକଙ୍କୁ ପଚାରିଥିଲେ । ଏହି ସମୟରେ କାର ଚାଳକ ସେ ପୁଲିସର ପରିଚୟ ପତ୍ର ଦେଖାଇ ପାରି ନଥିଲେ । ଯାହା ଫଳରେ ପୁଲିସ ତାଙ୍କୁ ଉଠାଇ ନେଇ ତଦନ୍ତ ଜାରି ଜାରି ରଖିଛି। ପୂଜା ବଜାରରେ ସହରରେ ପୁଲିସ ଗାଡି ବୁଲି କଡ଼ା ପେଟ୍ରୋଲିଂ କରୁଥିବା ବେଳେ ତାହାର ଫାଇଦା ନେଇ ବ୍ୟକ୍ତିଗତ ଗାଡ଼ିରେ ପୁଲିସ ବୋର୍ଡ଼ ଲଗାଇ ସହରର ଲୋକଙ୍କୁ ଭୟଭୀତ କରିବା ସହ ଲୁଟ, ଠକିବା ଉଦ୍ଦେଶ୍ୟରେ ଅଟକ ଯୁବକ ଜଣକ ବ୍ରହ୍ମପୁର ଆସିଥିବା ପୁଲିସ ସନ୍ଦେହ କରୁଛି । ତେବେ ଗାଡି କାହା ନାମରେ ଅଛି ଏବଂ ଯୁବକ ଜଣକ ବ୍ରହ୍ମପୁର କଣ ପାଇଁ ଆସିଥିଲେ । ଆଉ କାହିଁକି ଗାଡ଼ି ସମ୍ମୁଖରେ ପୁଲିସ ବୋର୍ଡ଼ ଲଗାଇ ବୁଲୁଥିଲେ ଏ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହେବା ସହ ତଦନ୍ତ କରି ଥାନାରେ ହିଁ ୪୧ଧାରାରେ ଛଡ଼ା ଯାଇଥିବା ସୂଚନା ମିଳିଛି ।

Comments are closed.