ବାଲେଶ୍ୱର, ନଭେମ୍ବର ୬ (କୃଷ୍ଣ କୁମାର ମହାନ୍ତି): ଭାରତୀୟ ସମ୍ବିଧାନର ମହାନ ଆଦର୍ଶ, ଗଣତାନ୍ତ୍ରିକ ପରମ୍ପରା, ନାଗରିକ ଅଧିକାରର ସୁରକ୍ଷା ଏବଂ ରାଷ୍ଟ୍ରର ସାମଗ୍ରିକ ବିକାଶକୁ ନେଇ ଶୁକ୍ରବାର ବାଲେଶ୍ୱର ସହରସ୍ଥିତ ଆତିଥ୍ୟ ଭବନ ପରିସରରେ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଶୀର୍ଷକ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ମିଳନୀରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ଉପସ୍ଥିତ ଥିଲେ। ସମାଜର ବିଭିନ୍ନ ବର୍ଗର ବୁଦ୍ଧିଜୀବୀ, ପ୍ରାଧ୍ୟାପକ, ଆଇନଜୀବୀ, ସମାଜସେବୀ, ବିଶିଷ୍ଟ ବ୍ୟକ୍ତିବିଶେଷ ଓ ବରିଷ୍ଠ ନେତୃବୃନ୍ଦ ଏଥିରେ ଯୋଗଦେଇ ଗଣତନ୍ତ୍ରର ସୁରକ୍ଷା ଓ ରାଷ୍ଟ୍ର ନିର୍ମାଣ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ।
ବକ୍ତାମାନେ ଭାରତୀୟ ସମ୍ବିଧାନକୁ ଦେଶର ଜାତୀୟ ଏକତା, ସାର୍ବଭୌମତ୍ୱ, ସାମାଜିକ ନ୍ୟାୟ, ସମାନତା ଓ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ମୂଳ ଆଧାର ବୋଲି ଅଭିହିତ କରିଥିଲେ। ସ୍ୱାଧୀନତା ପରଠାରୁ ଭାରତୀୟ ଗଣତନ୍ତ୍ର ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥିଲେ ମଧ୍ୟ ସମ୍ବିଧାନର ଦୃଢ଼ ଭିତ୍ତିଭୂମି ଓ ଦେଶବାସୀଙ୍କ ବିଶ୍ୱାସ ଯୋଗୁଁ ଭାରତ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ନିଜର ପରିଚୟ ବଜାୟ ରଖିଛି ବୋଲି ସେମାନେ ମତ ଦେଇଥିଲେ।

ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରୁଥିବା ଅରାଜକତା, ଅସ୍ଥିରତା, ବିଭ୍ରାନ୍ତିକର ପ୍ରଚାର ଓ ବିଭାଜନକାରୀ ପ୍ରବୃତ୍ତି ପ୍ରତି ସମାଜକୁ ସଚେତନ ରହିବାକୁ ସମ୍ମିଳନୀରେ ଆହ୍ୱାନ ଦିଆଯାଇଥିଲା। ଗଣତନ୍ତ୍ରରେ ମତଭିନ୍ନତା ଓ ଗଠନମୂଳକ ସମାଲୋଚନାର ଗୁରୁତ୍ୱ ରହିଥିବାବେଳେ ସାମ୍ବିଧାନିକ ଅନୁଷ୍ଠାନ ପ୍ରତି ସମ୍ମାନ, ଗଣତାନ୍ତ୍ରିକ ଶୃଙ୍ଖଳା ଓ ସାମାଜିକ ସଦ୍ଭାବ ବଜାୟ ରଖିବା ଅପରିହାର୍ଯ୍ୟ ବୋଲି ବକ୍ତାମାନେ କହିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ସୁଶାସନ, ସ୍ୱଚ୍ଛତା, ଜନକଲ୍ୟାଣ, ଆତ୍ମନିର୍ଭରତା ଓ ସମାବେଶୀ ବିକାଶକୁ ନେଇ ନିର୍ଦ୍ଧାରିତ ଲକ୍ଷ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’ ମନ୍ତ୍ରକୁ ଆଧାର କରି ଏକ ବିକଶିତ, ସଶକ୍ତ ଓ ଆତ୍ମନିର୍ଭର ଭାରତ ଗଠନରେ ସମାଜର ସବୁ ବର୍ଗର ସକ୍ରିୟ ଭାଗୀଦାରି ଉପରେ ବକ୍ତାମାନେ ଗୁରୁତ୍ୱ ଦେଇଥିଲେ।
ବୁଦ୍ଧିଜୀବୀ ସମାଜର ଭୂମିକା ସମ୍ପର୍କରେ ମତ ରଖି ବକ୍ତାମାନେ କହିଥିଲେ ଯେ, ଶିକ୍ଷାବିତ୍, ଆଇନଜୀବୀ, ସମାଜସେବୀ ଓ ସଚେତନ ନାଗରିକମାନେ ସମାଜର ଦିଗ୍ଦର୍ଶକ। ଜନସାଧାରଣଙ୍କ ମଧ୍ୟରେ ସଠିକ୍ ସୂଚନାର ପ୍ରସାର, ସାମ୍ବିଧାନିକ ସଚେତନତା ସୃଷ୍ଟି, ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣରେ ସାମିଲ କରିବା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସମ୍ମାନ ସୃଷ୍ଟି କରିବାରେ ସେମାନଙ୍କର ଗୁରୁଦାୟିତ୍ୱ ରହିଛି।
ସମ୍ମିଳନୀରେ ଉପସ୍ଥିତ ବୁଦ୍ଧିଜୀବୀ ଓ ବିଶିଷ୍ଟ ବ୍ୟକ୍ତିମାନେ ନିଜ ନିଜର ମତାମତ ରଖିବା ସହ ଗଣତନ୍ତ୍ରକୁ ଅଧିକ ସୁଦୃଢ଼, ଉତ୍ତରଦାୟୀ ଓ ଜନାଭିମୁଖୀ କରିବାରେ ସଚେତନ ନାଗରିକ ସମାଜର ଭୂମିକା ଉପରେ ଆଲୋକପାତ କରିଥିଲେ। ପରିଶେଷରେ ଗଣତନ୍ତ୍ରର ସୁରକ୍ଷା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି, ଦଳ କିମ୍ବା ସଂଗଠନର ଦାୟିତ୍ୱ ନୁହେଁ, ବରଂ ଏହା ସମଗ୍ର ଦେଶବାସୀଙ୍କ ସାମୂହିକ କର୍ତ୍ତବ୍ୟ ବୋଲି ମତପ୍ରକାଶ ପାଇଥିଲା। ଦଳମତ ନିର୍ବିଶେଷରେ ସମ୍ବିଧାନର ଆଦର୍ଶକୁ ହୃଦୟଙ୍ଗମ କରି ଜାତୀୟ ଏକତା, ସାମାଜିକ ସଦ୍ଭାବ ଓ ଦେଶର ବିକାଶ ପାଇଁ ଏକଜୁଟ ହେବାକୁ ଆହ୍ୱାନ ଦିଆଯାଇଥିଲା।
ଏହି ସମ୍ମିଳନୀରେ ଈଶ୍ୱର ଚନ୍ଦ୍ର ବେହେରା, ପର୍ଶୁରାମ ବେହେରା, ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ପର୍ଶୁରାମ ପରିଡ଼ା, ଚନ୍ଦ୍ରଶେଖର ନନ୍ଦ, ସୁଧାଂଶୁ ଶେଖର ପରିଡ଼ା, ଭଗବାନ ଦାସ ଖଣ୍ଡେଲୱାଲ, ବିପ୍ଳବ ମହାନ୍ତି, ଲକ୍ଷ୍ମୀନାରାୟଣ ମହାନ୍ତି, ସତ୍ୟଜିତ ମିଶ୍ର, ପ୍ରଭାକର ସାହୁ, ଉମାକାନ୍ତ ମହାପାତ୍ର, ଚିତ୍ତରଞ୍ଜନ ପଣ୍ଡା, ସୁଜିତ ଦେବ, ଭାଗବତ ସାହୁ, ବିନୟ କୁମାର ମହାନ୍ତି, କେଶବ ଆଚାର୍ଯ୍ୟ, ରଶ୍ମିରେଖା ଦେବ, ମମତା ମହାପାତ୍ର, ସୁଷମା ବିଶ୍ୱାଳ, ମନୋଜ ଦାସ, ଦେବୀ ପ୍ରସାଦ ମହାପାତ୍ର, ଗୌରାଙ୍ଗ ପାଣିଗ୍ରାହୀ, ଗଗନ ରାଉତ, ଡ. କାଳିପଦ ପଣ୍ଡା, ବିଷ୍ଣୁଦାସ କୁଣ୍ଡୁ, ଅଶୋକ କୁମାର ଦାଶ, ଲକ୍ଷ୍ମୀକାନ୍ତ ବେହେରା, ରୋଜାଲିନ ପାଣି, ଗଙ୍ଗାଧର ରାଉତ, ରାଜେନ୍ଦ୍ର ଚାଟାର୍ଜି ଓ ବିରଞ୍ଚି ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।