ରାଜନୀତି ମୋହ: ଚାକିରି ଛାଡ଼ିଲେ ପୁଣି ଜଣେ ମହିଳା ଅଫିସର

0

ଉତ୍ତରପ୍ରଦେଶ:ଉତ୍ତର ପ୍ରଦେଶ ନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି, ସେଠାକାର ରାଜନୀତି ରୋଚକ ମୋଡ ନେବାରେ ଲାଗିଛି । ରାଜ୍ୟରେ ଉଚ୍ଚ ଶିକ୍ଷିତା ଓ ଉଚ୍ଚ ଚାକିରିରେ ଥିବା ମହିଳାମାନଙ୍କର ରାଜନୀତି ପ୍ରତି ରୂଚି ବଢିବାରେ ଲାଗିଛି । ଗତ କିଛିମାସ ତଳେ ରାଜ୍ୟର ଜଣେ ଆଇଏଏସ୍ ଅଫିସର ଦିବ୍ୟା ମିତ୍ତଲ ଇସ୍ତଫା ଦେଇ ନିଜର ଏକ ରାଜନୈତିକ ଦଳ ଗଢିଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ଅଧୀନରେ ଜିଏସଟି ଡେପୁଟି କମିଶନର ଥିବା ଅନୁପମା ସରୋଜ ସିଂହ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ\’ରେ ନିଜ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି।

ଗାୟିକା ଭାବେ ପରିଚିତ ଅନୁପମା ଏକ ରାଜନୈତିକ ପରିବାରରୁ ଆସିଛନ୍ତି । ସେ ହେଉଛନ୍ତି ସମାଜବାଦୀ ପାର୍ଟିର ମୁଖପାତ୍ର ଅନୁରାଗ ଭଦୌରିଆଙ୍କ ପତ୍ନୀ। ତାଙ୍କ ମାଆ ସୁଶୀଳା ସରୋଜ ଲକ୍ଷ୍ନୌର ମୋହନଲାଲଗଞ୍ଜ ଲୋକସଭା ଆସନରୁ ସାଂସଦ ମଧ୍ୟ ରହିସାରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅନୁପମା ଆଗାମୀ ବିଧାନସଭା ନିର୍ବାଚନରେ ଭାଗ ନେଇପାରନ୍ତି। ସୀତାପୁର ଜିଲ୍ଲାର ସିଧୌଲି ଆସନରୁ ସେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଅନୁପମା କହିଛନ୍ତି ଯେ, ଭବିଷ୍ୟତରେ ନୂଆ ସଂକଳ୍ପ ସହ ଏକ ନୂଆ ଯାତ୍ରା ଆରମ୍ଭ କରିବେ। ତେବେ ନିର୍ବାଚନ ଲଢ଼ିବା ନେଇ ସେ ସିଧାସଳଖ କିଛି କହିନାହାନ୍ତି। କିନ୍ତୁ ତାଙ୍କ ଇସ୍ତଫାକୁ ୨୦୨୭ ବିଧାନସଭା ନିର୍ବାଚନ ସହ ଯୋଡ଼ି ଦେଖାଯାଉଛି।
ସୂଚନାଯୋଗ୍ୟ ଯେ, ଦୁଇ ମାସ ପୂର୍ବରୁ ଆଇଏଏସ୍ ଅଧିକାରୀ ଦିବ୍ୟା ମିତ୍ତଲ ମଧ୍ୟ ସରକାରୀ ଚାକିରିରୁ ଇସ୍ତଫା ଦେଇଥିଲେ। ୨୦୧୩ ବ୍ୟାଚ୍‌ର ଉତ୍ତରପ୍ରଦେଶ କ୍ୟାଡର୍‌ର ଏହି ଆଇଏଏସ୍ ଅଧିକାରୀ ଇସ୍ତଫା ଦେବାର ମାତ୍ର ମାସକ ପରେ ଉତ୍ତରପ୍ରଦେଶ ରାଜନୀତିରେ ପ୍ରବେଶ କରିବା ନେଇ ଘୋଷଣା କରିଥିଲେ। ସେ ସୋସିଆଲ ମିଡିଆରେ ନିଜର ନୂଆ ରାଜନୈତିକ ଦଳ ‘ଜନନୀତି ଭାରତ ପାର୍ଟି\’ ଗଠନ ସମ୍ପର୍କରେ ଘୋଷଣା କରିଥିଲେ। ତାଙ୍କ ଦଳ ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ଶକ୍ତି ସହ ଲଢ଼ିବ ବୋଲି ସେ କହିଥିଲେ। ସେ ମିର୍ଜାପୁରରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.