ଗଣେଶ ପୂଜା ମେଢ଼ ପାଇଁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେଲା ଅଗ୍ରିମ ପ୍ରସ୍ତୁତି ବୈଠକ 

୧୨ ଫୁଟ୍ ମଧ୍ୟରେ ମେଢ଼ ଉଚ୍ଚତା, ଧ୍ୱନି ପ୍ରଦୂଷଣ ଓ ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ଗୁରୁତ୍ୱ

0
ବାଲେଶ୍ୱର, ୨୩/୮(କୃଷ୍ଣ କୁମାର ମହାନ୍ତି): ଆଗାମୀ ଗଣେଶ ପୂଜାକୁ ଶାନ୍ତିପୂର୍ଣ୍ଣ, ସୁବ୍ୟବସ୍ଥିତ ଓ ସୁରକ୍ଷିତ ଭାବେ ପାଳନ ପାଇଁ ବାଲେଶ୍ୱର ପ୍ରଶାସନ ପକ୍ଷରୁ ଅଗ୍ରିମ ପ୍ରସ୍ତୁତି ବୈଠକ ଗାନ୍ଧୀ ସ୍ମୃତି ଭବନ ଠାରେ ବାଲେଶ୍ୱର ଉପଜିଲ୍ଲାପାଳ ଶିବ ମାଲବ୍ୟଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଗଣେଶ ପୂଜା ମେଢ଼ କମିଟିର ସଦସ୍ୟମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ସଦର ତହସିଲଦାର ଅନିଲ କୁମାର ମହାନ୍ତି, ବାଲେଶ୍ୱର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶିରିୟାଲ ଶୁଭ୍ର ପଟେଲ୍ ଏବଂ ସହଦେବଖୁଣ୍ଟା ଥାନାର ଆଇଆଇସି ଆଲୋକ ପରିଡ଼ା ଉପସ୍ଥିତ ଥିଲେ। ଏଥିରେ ସହରର ବିଭିନ୍ନ ଅଞ୍ଚଳର ପ୍ରାୟ ୯୦ଟି ଗଣେଶ ପୂଜା ମେଢ଼ କ୍ଲବର ସଦସ୍ୟ ଯୋଗ ଦେଇଥିଲେ।
ବୈଠକରେ ବିଭିନ୍ନ ମେଢ଼ କମିଟି ପକ୍ଷରୁ ଶୋଭାଯାତ୍ରାର ସମୟ ନିର୍ଘଣ୍ଟ, ପରିମଳ ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା ସମ୍ପର୍କରେ ଉପସ୍ଥାପିତ ଚିନ୍ତା ଓ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ଉତ୍ସବ ସମୟରେ ସାଧାରଣ ଲୋକଙ୍କ ଯାତାୟାତରେ ଯେପରି ଅସୁବିଧା ନହୁଏ ଏବଂ ଶୋଭାଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୁଏ, ସେନେଇ ବିଭିନ୍ନ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ଏଥିସହ ନିର୍ଦ୍ଧାରିତ ନିୟମାବଳୀର କଡ଼ା ଅନୁପାଳନ ପାଇଁ ପ୍ରଶାସନ ପକ୍ଷରୁ ମେଢ଼ କମିଟିଗୁଡ଼ିକୁ ସଚେତନ କରାଯାଇଥିଲା।
ବିଶେଷକରି ମାଟି‌ ଠାରୁ ମେଢ଼ର ଉଚ୍ଚତା ୧୨ ଫୁଟ୍ ମଧ୍ୟରେ ସୀମିତ ରଖିବା, ଧ୍ୱନି ପ୍ରଦୂଷଣ ସମ୍ପର୍କିତ ନିର୍ଦ୍ଧାରିତ କଟକଣା ପାଳନ କରିବା ସହ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ଅନୁସରଣ କରିବାକୁ କମିଟିଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା।
ପ୍ରଶାସନ ପକ୍ଷରୁ ଉତ୍ସବ ସମୟରେ ଶୃଙ୍ଖଳା, ସୁରକ୍ଷା ଓ ଆଇନଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଶୋଭାଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମ୍ପୃକ୍ତ ସମସ୍ତ ମେଢ଼ କମିଟି ପ୍ରଶାସନ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ କୁହାଯାଇଛି।
ଶାନ୍ତିପୂର୍ଣ୍ଣ, ସୁବ୍ୟବସ୍ଥିତ ଓ ସୁରକ୍ଷିତ ଭାବେ ଗଣେଶ ପୂଜା ପାଳନ ପାଇଁ ଆଗାମୀ ଦିନରେ ଏକ ବିସ୍ତୃତ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଉତ୍ସବ ସମ୍ପର୍କିତ ପରବର୍ତ୍ତୀ ବ୍ୟବସ୍ଥା, ଆଇନଶୃଙ୍ଖଳା ଓ ସୁରକ୍ଷା ପଦକ୍ଷେପ ନେଇ ବିସ୍ତୃତ ଆଲୋଚନା କରାଯିବ।
Leave A Reply

Your email address will not be published.