ଦେବଗଡ଼: ବର୍ଷା ଆଣିଦେଇଛି ଦୁର୍ଦ୍ଦଶା। ପୋଲ ଉପରେ ଆଣ୍ଠୁଏ ପାଣି ଚାଲୁଥିବାରୁ ଅଧାବାଟରେ ଅଟକିଗଲା ଆମ୍ବୁଲାନ୍ସ। ଶେଷରେ ଗର୍ଭବତୀଙ୍କୁ ବୋହି ନାଳ ପାର କରିବାକୁ ପଡ଼ିଲା ପରିବାର ଲୋକଙ୍କୁ। ଦେବଗଡ଼ ଜିଲ୍ଲା ବରକୋଟ ବ୍ଲକ କାଳିଆପାଳ ଗାଁରୁ ଆସିଛି ଏଭଳି ଅଭାବନୀୟ ଚିତ୍ର।
କାଳିଆପାଳ ଗାଁର ଜଣେ ଗର୍ଭବତୀଙ୍କୁ ପ୍ରସବ ପାଇଁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଉଥିଲା। ତେବେ ଟାଙ୍କୁଜୁରା ନାଳ ଉପରେ ନିର୍ମିତ ପୋଲ ଉପରେ ବର୍ଷାଜଳ ଆଣ୍ଠୁଏ ଉଚ୍ଚରେ ପ୍ରବାହିତ ହେଉଥିବାରୁ ଆମ୍ବୁଲାନ୍ସ ଆଉ ଆଗକୁ ଯାଇପାରିନଥିଲା।
ପରିସ୍ଥିତି ଜଟିଳ ହେବାରୁ ପରିବାର ଲୋକେ ଗର୍ଭବତୀଙ୍କୁ ବୋହି ନାଳ ପାର କରାଇଥିଲେ। ଏହାପରେ ପୁଣି ତାଙ୍କୁ ଆମ୍ବୁଲାନ୍ସ ନିକଟକୁ ନିଆଯାଇଥିଲା। ତେବେ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ହିଁ ଆମ୍ବୁଲାନ୍ସ ଭିତରେ ଗର୍ଭବତୀ ଜଣକ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।
ବର୍ଷା ଦିନେ ଟାଙ୍କୁଜୁରା ନାଳରେ ପାଣି ବଢ଼ିବା ଯୋଗୁଁ ଏହି ଅଞ୍ଚଳର ଯାତାୟାତ ପ୍ରଭାବିତ ହୋଇଥାଏ। ଏଭଳି ସମୟରେ ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ଗନ୍ତବ୍ୟସ୍ଥଳରେ ପହଞ୍ଚି ନପାରିବା ଘଟଣା ଅଞ୍ଚଳର ଦୁର୍ବଳ ଯୋଗାଯୋଗ ବ୍ୟବସ୍ଥାକୁ ପଦାରେ ପକାଇଛି।