ଆଜିଠୁ ଆଦିବାସୀ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା ।

ଭୁବନେଶ୍ୱର :  ଭୁବନେଶ୍ୱରରେ ଆଜିଠୁ ୟୁନିଟି-୧ ସ୍ଥିତ ଆଦିବାସୀ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା  । ଯାହା ଫେବ୍ରୁଆରୀ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିବାସୀ ମେଳାକୁ ଉଦ୍‌ଘାଟନ କରିବେ।  ଏଥର ମେଳା ସକାଳ ସାଢେ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲାରହିବ । ଦିନକ ପରେ ମେଳାଥିବାରୁ ସମସ୍ତ ପ୍ରସ୍ତୁତି ପ୍ରାୟତ ସରିଆସିଲାଣି । ଚଳିତ ବର୍ଷ ଆଦିବାସୀ ମେଳାରେ ମୋଟ ୯୪ଟି ଷ୍ଟଲ ଖୋଲିବ । ୧୫ ଷ୍ଟଲରେ ବିକ୍ରି ହେବ ଆଦିବାସୀ ହସ୍ତଶିଳ୍ପ ବାରିପଦାର ସବାଇଘାସ ସାମଗ୍ରୀ ଖୋଜନ୍ତୁ କିମ୍ବା ନବରଙ୍ଗପୁରର ଟେରାକୋଟା ଅବା ରାଇରଙ୍ଗପୁରର ବାଉଁଶ କଳାକୃତି । ସବୁକିଛି ଗୋଟିଏ ସ୍ଥାନରେ । ଲୋକମାନେ ଆଦିବାସୀ ଗାଁ’ର ମଜା ନେବା ସହିତ କିଣିପାରିବେ ସେମାନଙ୍କ ହାତତିଆରି କଳାକୃତି । ଆଦିବାସୀ କଳା ଓ ହସ୍ତଶିଳ୍ପକୁ ନେଇ ମୋଟ ୧୫ଟି ଷ୍ଟଲ ଖୋଲିବ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ ପ୍ରତିଦିନ ସନ୍ଧ୍ୟାରେ ମଞ୍ଚରେ ଆୟୋଜିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ଯେଉଁଠି ବିଭିନ୍ନ ଅଞ୍ଚଳର ଆଦିବାସୀ ଲୋକମାନେ ନିଜର ନୃତ୍ୟ, ଗୀତ, ଭଜନ, ବାଦ୍ୟ ପରିବେଷଣ କରିବେ । ଖାଲି ସେତିକି ନୁହେଁ ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ହେବାକୁ ଥିବା ଡ୍ରାମା ସାଜିବ ମୁଖ୍ୟ ଆକର୍ଷଣ । ଯାହାର ମଜା ନେବେ ରାଜଧାନୀବାସୀ ।

ଆଦିବାସୀ ମେଳାରେ ଶୋଭା ପାଇବ ୧୦ଟି ଆଦିବାସୀ ଘର । ଏହି ଘର ତିଆରି ପାଇଁ ଦଶଦିନ ପୂର୍ବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆଦିବାସୀ ସମ୍ପ୍ରଦାୟର ଲୋକେ ଆସି ପହଞ୍ଚିଥିଲେ ରାଜଧାନୀରେ । କୋରାପୁଟର ଆଦିବାସୀ ଗଦବା ଘର, କେଉଁଝରର ଜୁଆଙ୍ଗ ଘର, ସୁନାବେଢାର ଭୁଞ୍ଜିଆ ଘର ଭଳି ୧୦ଟି ଜନଜାତିଙ୍କ ଘର ଆଦିବାସୀ ମେଳାରେ ଦେଖିବାକୁ ମିଳିବ । ବିଭିନ୍ନ ଅଞ୍ଚଳର ଆଦିବାସୀ ନିଜ ଅଞ୍ଚଳର ବାସ ଗୃହ ପ୍ରଦର୍ଶିତ କରୁଥିବାରୁ ଘରଗୁଡ଼ିକ ଭିନ୍ନ ଭିନ୍ନ ପରିଲକ୍ଷିତ ହେଉଛି । କେହି ନିଜ ଘର ଛଣବିଡ଼ାରେ ସଜାଉଛି ତ କେହି ମାଟି ଖପରାରେ ଆଉ କେହି ଡବଲ ଛାତ ଘର କରୁଛନ୍ତି । ଅନେକ ସମ୍ପ୍ରଦାୟ ଅଗଣା ସମ୍ମୁଖରେ କୁଳଦେବୀଙ୍କୁ ରଖିଛନ୍ତି । ଅନେକେ ଚାଷଜମି, କୂଅ, ଝରଣା, ଗୁହାଳ ଘର, ଧାନ ରଖିବା ଅମାର, କୁକୁଡ଼ା ଭାଡ଼ି ପ୍ରଦର୍ଶନ କରୁଛନ୍ତି । ଯାହା ସେମାନଙ୍କ ଚାଲିଚଳଣି କଥା କହୁଛି ।

Comments are closed.