ଅଧୀକ୍ଷଣ ଯନ୍ତ୍ରୀଙ୍କ ଗସ୍ତ ବିବରଣୀ: ଛୁଟିରେ ଗସ୍ତକୁ ନେଇ ସନ୍ଦେହ ବଢ଼ୁଛି

ଯାଜପୁର : ଚଣ୍ଡିଖୋଲସ୍ଥିତ ଆରଡବ୍ଲୁଏସ୍‌ଏସ୍‌ ଡିଭିଜନରେ ବ୍ୟାପକ ଟେଣ୍ଡର ଫିକ୍ସିଂ ଓ ଗୁପ୍ତଟେଣ୍ଡର କାରବାର ଘଟଣାକୁ ନେଇ ଚର୍ଚ୍ଚା ଲାଗିରହିଛି। ଏପରିସ୍ଥଳେ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀଙ୍କର ଛୁଟିରେ ଗସ୍ତ ବିବରଣୀକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

ହସ୍ତଗତ ତଥ୍ୟ ଅନୁସାରେ, ଅଧୀକ୍ଷଣ ଯନ୍ତ୍ରୀ ସୁଶାନ୍ତ ଘଡ଼େଇ ୨୦୨୧ ଜୁନ୍ ୪ତାରିଖରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେ ଓଡି ୦୫-ଏଏକ୍ସ ୯୦୦୭ ନମ୍ବରର ସ୍କର୍ପିଓ ଗାଡ଼ି ବ୍ୟବହାର କରୁଛନ୍ତି। ମାସିକ ଗାଡ଼ି ଭଡ଼ା ୨୮ ହଜାର ୧୦୦ ଟଙ୍କା। ଆର୍‌ଟିଆଇ ତଥ୍ୟ ଅନୁଯାୟୀ ୨୦୨୨ ମେ ମାସର ଗସ୍ତ ବିବରଣୀକୁ ଅନୁଧ୍ୟାନ କଲେ ଅଧୀକ୍ଷଣ ଯନ୍ତ୍ରୀ ମେ୨ ଠାରୁ ୩୧ତାରିଖ ମଧ୍ୟରେ ୨୦ ଦିନ ଗାଡ଼ି ବ୍ୟବହାର କରିଛନ୍ତି। ଏଥିରେ ୨୯୬୦ କିଲୋମିଟର ଯାତ୍ରା କରିଥିବା ବେଳେ ୨୪୬.୬୭ ଲିଟର ଡିଜେଲ ବ୍ୟବହାର ହୋଇଛି। ମେ ୬ତାରିଖରେ ଚଣ୍ଡିଖୋଲସ୍ଥିତ କାର୍ଯ୍ୟାଳୟରୁ ବାହାରି ଅଧୀକ୍ଷଣ ଯନ୍ତ୍ରୀ ଯାଜପୁର ବ୍ଲକ୍‌ ଗସ୍ତ କରି ଚଣ୍ଡିଖୋଲ ଫେରିଆସିଛନ୍ତି। ମୋଟ୍‌ ୧୧୦ କିଲୋମିଟର ଗସ୍ତ କରିଥିବାର ଦର୍ଶାଇଛନ୍ତି। ସେହିଦିନ ଏହି ଗାଡ଼ି ମଙ୍ଗୁଳି ଟୋଲ୍‌ପ୍ଲାଜା ଦେଇ ଦୁଇଥର ଯାତ୍ରା କରିଛି। ମେ୧୧ରେ ଚଣ୍ଡିଖୋଲ ଡିଭିଜନ୍ କାର୍ଯ୍ୟାଳୟରୁ ଦଶରଥପୁର ବ୍ଲକ୍ ଗସ୍ତ କରି ପାଇପ୍‌ ଯୋଗେ ଜଳଯୋଗାଣ ଯୋଜନା କାର୍ଯ୍ୟକ୍ରମ ସମୀକ୍ଷା କରି ଫେରିଛନ୍ତି । ଏହି ଗାଡ଼ିରେ ୧୮୦ କିଲୋମିଟର ଅଧୀକ୍ଷଣ ଯନ୍ତ୍ରୀ ଗସ୍ତ କରିଥିବା ଦର୍ଶାଇଛନ୍ତି। ସେହିଦିନ ବି ଏହି ଗାଡ଼ି ୨ ଥର ମଙ୍ଗୁଳି ଟୋଲ୍‌ପ୍ଲାଜା ଅତିକ୍ରମ କରିଛି। ସେହିଭଳି, ମେ୧୯ରେ ଡିଭିଜନ କାର୍ଯ୍ୟାଳୟରୁ ଅଧୀକ୍ଷଣ ଯନ୍ତ୍ରୀ ସୁକିନ୍ଦା, ନଗଡ଼ା ଓ ଯାଜପୁରରୋଡ୍‌କୁ ଯାଇ କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟାଳୟକୁ ଫେରିଆସିଛନ୍ତି। ୨୨୦ କିଲୋମିଟର ଏହି ଗାଡ଼ିରେ ଗସ୍ତ କରିଛନ୍ତି। ଏହିଦିନ ମଧ୍ୟ ଗାଡ଼ି ୨ଥର ମଙ୍ଗୁଳି ଟୋଲ୍‌ପ୍ଲାଜା ଅତିକ୍ରମ କରିଛି। ମାତ୍ର, ମଙ୍ଗୁଳି ଟୋଲ୍‌ପ୍ଲାଜା ଦେଇ ଯାତାୟାତର ବିବରଣୀ ଗସ୍ତସୂଚୀରେ ନାହିଁ।

ଅନ୍ୟପକ୍ଷରେ, ଛୁଟି ଦିବସ ମେ ୩ , ୮ ,୨୮ ଓ ୩୦ ତାରିଖରେ ଅଧୀକ୍ଷଣ ଯନ୍ତ୍ରୀ ସରକାରୀ ଗସ୍ତ କରି କ୍ଷେତ୍ର ପରିଦର୍ଶନ କରିଛନ୍ତି ବୋଲି ଗସ୍ତ ବିବରଣୀରେ ଦର୍ଶାଯାଇଛି। ଏହି ଛୁଟିଦିନଗୁଡ଼ିକରେ ମଙ୍ଗୁଳି ଟୋଲ୍‌ପ୍ଲାଜା ଅତିକ୍ରମ କରିଥିବାର ରେକର୍ଡ ନାହିଁ। ଛୁଟିଦିନରେ ସେ ଭୁବନେଶ୍ବରରୁ ଆସିନଥିବାରୁ ରେକର୍ଡରେ ନଥିବା ସ୍ପଷ୍ଟ ହୋଇଥିବା ବେ‌ଳେ କିଭଳି ଜିଲ୍ଲା ଗସ୍ତ କରିଥିବା ଦର୍ଶାଇଛନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

Comments are closed.