ବିଡ଼ିଓଙ୍କ ପ୍ରତିଶ୍ରୁତି ପରେ ବର୍ଷେ ବିତିଲା : ଜମ୍ବେଶ୍ୱରପୁରର ପଙ୍କ-କାଦୁଅ ରାସ୍ତାର ଅବସ୍ଥା ତଦ୍ରୂପ

0
ବାଲେଶ୍ୱର, ୫/୬(କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତ ଅଧୀନ ଜମ୍ବେଶ୍ୱରପୁର ଗ୍ରାମର ଉପଜାତି ବସ୍ତିର ରାସ୍ତା ସମସ୍ୟା ଆଜି ବି ସମାଧାନ ହୋଇନାହିଁ। ବର୍ଷେ ତଳେ ସ୍ଥାନୀୟ ବିଡ଼ିଓ ଘଟଣାସ୍ଥଳ ପରିଦର୍ଶନ କରି ପକ୍କା ରାସ୍ତା କରିବାକୁ ପ୍ରତିଶୃତି ଦେଇଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ଫଳ ଶୂନ।
ଅଭିଯୋଗ ଅନୁସାରେ, ଗ୍ରାମର ପୂର୍ବପଟ ପୋଖରୀ ଆଡ଼ରେ ଥିବା ପୁର୍ବପୁରୁଷଙ୍କ ଆମଳରୁ ବ୍ୟବହୃତ ରାସ୍ତାକୁ ପୋଖରୀ ଖୋଳିବା ବାହାନାରେ ସରପଞ୍ଚଙ୍କ ନିର୍ଦ୍ଦେଶରେ ପଙ୍କ ଓ କାଦୁଅରେ ଭର୍ତ୍ତି କରିଦିଆଯାଇଥିଲା। ଫଳରେ ବସ୍ତିବାସିନ୍ଦାଙ୍କ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଅଭିଯୋଗ ପରେ ସଦର ବିଡ଼ିଓ ପରିଦର୍ଶନରେ ଯାଇ ସ୍ଥାୟୀ ରାସ୍ତା କରିବାକୁ ଆଶ୍ୱାସନା ଦେଇଥିଲେ।
କିନ୍ତୁ ବର୍ଷେ ବିତିଯିବା ପରେ ବି ପକ୍କା ରାସ୍ତା ହେବା ଦୂର କଥା, ନାଲିଗୋଡି ମୁଠେ ବି ପଡ଼ିଲା ନାହିଁ। ବହୁ ବିଳମ୍ବରେ ଅଳ୍ପ ପଥର ଖାଦାନର ମଇଳା ପକାଇ ପ୍ରଶାସନ କର୍ତ୍ତବ୍ୟ ସରିଗଲା ବୋଲି ଭାବିନେଲା। ଏବେ ମଟାଳ ଓ ପଙ୍କୁଆ ମାଟି ଯୋଗୁଁ ଅଳ୍ପ ବର୍ଷା ହେଲେ ବି ରାସ୍ତା ଆଣ୍ଠୁଏ କାଦୁଅରେ ପରିଣତ ହୋଇଯାଉଛି।
ଏହି କାରଣରୁ ଜରୁରୀକାଳୀନ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ବସ୍ତିବାସିନ୍ଦା। ବୟସ୍କ ଲୋକଙ୍କ ଚଳାପିରା କଷ୍ଟକର ହୋଇପଡ଼ିଛି। ସ୍ଥାନୀୟ ବାସିନ୍ଦା ଜୟନ୍ତୀ ସେଠୀ କୋହଭରା କଣ୍ଠରେ କୁହନ୍ତି, “ମୋ ବାପା-ମାଙ୍କ ବୟସ ଅଶୀ ଉପରେ। ଆମର ସ୍ଥାୟୀ ଘର, କେଉଁ କାଳରୁ ରାସ୍ତାକୁ ଏମିତି ଖରାପ କରି ଚଳାପିରା ବନ୍ଦ କରିବା ଆମେ କେବେ ଦେଖିନୁ।”
ସାମାଜିକ କର୍ମୀ ମନାଲିସା ସେଠୀ କହିଛନ୍ତି, ସରକାର ଅବହେଳିତ ବର୍ଗର ବିକାଶ ପାଇଁ ବହୁ ଯୋଜନା କରୁଥିଲେ ବି ଅଧିକାରୀଙ୍କ ଅସହଯୋଗ ଯୋଗୁଁ ତାହା କାର୍ଯ୍ୟକାରୀ ହେଉନାହିଁ। ଗେଙ୍ଗୁଟି ସରପଞ୍ଚ ଉଚ୍ଚ ବର୍ଣ୍ଣର ହୋଇ ଅବହେଳିତ ବର୍ଗଙ୍କ ସମସ୍ୟା ସୃଷ୍ଟି କରି ସମାଧାନ ନ କରିବା ଘଟଣାକୁ ସାର୍ବଜନୀନ ନିନ୍ଦା କରାଯାଉଛି।
Leave A Reply

Your email address will not be published.