ସୁବର୍ଣ୍ଣରେଖା ନଦୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ, ଅନ୍ୟ ଜଣେ ନିଖୋଜ

0

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା। ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ସମୟରେ ପ୍ରଖର ସ୍ରୋତରେ ଭାସିଯାଇ ଦୁଇ ଜଣ ନାବାଳକ ନିଖୋଜ ହୋଇଯାଇଥିଲେ। ସୂଚନା ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଡଙ୍ଗା ସାହାଯ୍ୟରେ ବ୍ୟାପକ ଖୋଜାଖୋଜି କରିବା ପରେ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରିଛି। ତେବେ ଅନ୍ୟ ଜଣେ ନାବାଳକ ଏପର୍ଯ୍ୟନ୍ତ ନିଖୋଜ ଥିବାରୁ ତାଙ୍କର ସନ୍ଧାନ ଜାରି ରହିଛି। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ, ଝାଡ଼େଶ୍ୱରପୁର ଅଞ୍ଚଳର କିଛି ନାବାଳକ ରାଜପୁର ନିକଟସ୍ଥ ସାହାଜାମାଲ ଅଞ୍ଚଳରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ନଦୀରେ ଗାଧୋଉଥିବା ସମୟରେ ହଠାତ୍ ଅସାବଧାନତା ହେତୁ ସେମାନେ ଗଭୀର ପାଣି ଏବଂ ପ୍ରଖର ସ୍ରୋତ ମଧ୍ୟକୁ ଚାଲିଯାଇ ଭାସିଯାଇଥିଲେ। ଏହି ଦୁର୍ଘଟଣାରେ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଅଳ୍ପକେ ରକ୍ଷା ପାଇଯାଇଥିବା ବେଳେ ଅନ୍ୟ ଦୁଇଜଣ ନଦୀର ସ୍ରୋତରେ ଭାସିଯାଇଥିଲେ।

ଭାସିଯାଇଥିବା ଦୁଇ ନାବାଳକ ହେଲେ ଝାଡ଼େଶ୍ୱରପୁର ଅଞ୍ଚଳର ୧୫ ବର୍ଷୀୟ ଶେଖ ସାମସେଦ ଏବଂ ଖଡ଼ଗପୁର ଅଞ୍ଚଳର ୧୧ ବର୍ଷୀୟ ଶେଖ ଜିସାନ। ଘଟଣା ପରେ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ନିଖୋଜ ନାବାଳକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସନ୍ଧାନ ଅଭିଯାନ ଜାରି ରହିଛି।

Leave A Reply

Your email address will not be published.