ପୁସ୍ତକ ଦିବସର ଅନୁଚିନ୍ତା ଗାନ୍ଧିଜୀଙ୍କ ଜୀବନରେ ଏକ ପୁସ୍ତକ

ଅର୍ଜୁନୀ ଚରଣ ବେହେରା

ପୁସ୍ତକ ଦିବସର ଅନୁଚିନ୍ତା
ଗାନ୍ଧିଜୀଙ୍କ ଜୀବନରେ ଏକ ପୁସ୍ତକ
=================
ଦକ୍ଷିଣଆଫ୍ରିକାର ଜୋହନସବର୍ଗ ରେଳଷ୍ଟେସନ l 1904 ମସିହାର ଜୁନ ମାସର ଉଷୁମ ସକାଳ l ମହାତ୍ମା ଗାନ୍ଧୀ ଟ୍ରେନରେ ଡର୍ବାନ ଯାତ୍ରା କରିବା ପାଇଁ ସେଠାରେ ପହଞ୍ଚିଲେ l ବିଦାୟ ଦେବାପାଇଁ ଆସିଥାନ୍ତି ଘନିଷ୍ଠ ବନ୍ଧୁ ହେନରୀ ପୋଲକ l ଟ୍ରେନ୍‌ ଛାଡ଼ିବା ସଂକେତ ଦେଲା l ବାହାରେ ଛିଡ଼ା ହୋଇ ଥିବା ବନ୍ଧୁ ପୋଲକ କହିଲେ, ଟ୍ରେନ୍‌ ଛାଡ଼ିବ, ହଁ ଏଇ ରଖ, ଏ ବହି ଖଣ୍ଡିକ, ତାକୁ ପଢ଼ିବ, ଯାତ୍ରା ଜନିତ କ୍ଳାନ୍ତି ଓ ବିରକ୍ତି ଦୂର ହେବ l ବହିଟିକୁ ହାତକୁ ନେଇ ଗାନ୍ଧୀ ଦେଖିଲେ ଓ ବନ୍ଧୁଙ୍କର ଏ ବିଦାୟ କାଳୀନ ଉପହାରକୁ ଆନନ୍ଦ ସହକାରେ ଗ୍ରହଣ କରି କହିଲେ,”ହଁ, ପଢ଼ିବି” l
ହେନରି ପୋଲକ୍‌ ଜୋହାନ୍‍ସବର୍ଗରୁ ପ୍ରକାଶିତ The Critic ପତ୍ରିକାର ସମ୍ପାଦନା କରୁଥିଲେ l ସେ ମହାତ୍ମା ଗାନ୍ଧୀଙ୍କୁ ଦେଇଥିବା ପୁସ୍ତକଟି ଥିଲା ଜନ ୠସ୍କିନଙ୍କ ଲିଖିତ “Unto This Last” l
ଟ୍ରେନ ଭିତରେ ବହିଟି ପଢ଼ିବା ଆରମ୍ଭ କଲାପରେ ଗାନ୍ଧୀଙ୍କ ଆଖିରୁ ନିଦ ହଜି ଯାଇଥିଲା l ବହିଟିର ଚିନ୍ତା ଧାରା ଗାନ୍ଧିଜୀଙ୍କୁ ସମ୍ପୂର୍ଣ୍ଣ ରୂପେ ମୋହାଚ୍ଛନ୍ନ କରି ଦେଇଥିଲା l ଟ୍ରେନ୍ ଯାତ୍ରା ସରିଯିବା ପୂର୍ବରୁ ସେ ବହିଟିକୁ ପଢ଼ି ସାରି ଦେଇ ଥିଲେ l ବହିଟି ପଢ଼ି ଗାନ୍ଧୀ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ବହିରେ ଥିବା କିଛି ମହତ୍‌ ଚିନ୍ତନକୁ ସଙ୍ଗେ ସଙ୍ଗେ ନିଜ ଜୀବନରେ ଆପଣେଇବାକୁ ନିଷ୍ପତ୍ତି ନେଇଥିଲେ l ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ମୋହନରୁ ମହାତ୍ମା ହେବାର ସୂତ୍ରପାତ ସେହି କ୍ଷଣରୁ ହିଁ ଆରମ୍ଭ ହୋଇଥିଲା l ମହାତ୍ମା ଗାନ୍ଧୀ ନିଜ ଆତ୍ମଜୀବନୀ ” My Experiments With Truth ” ରେ ସେହି ଅସାଧାରଣ ବହି ବିଷୟରେ ‘ଗୋଟିଏ ବହିର ଯାଦୁକରୀ ପ୍ରଭାବ’ ଶୀର୍ଷକରେ ଲେଖିଛନ୍ତି,‘ବହିଟି ପଢ଼ିଲାପରେ ମୁଁ ବହିଟିରେ ଥିବା ଚିନ୍ତନ ଅନୁସାରେ ନିଜ ଜୀବନ ପରିବର୍ତ୍ତନ କରିବା ପାଇଁ ଦୃଢ଼ମନା ହୋଇଥିଲି।’
ମୋହନ ଦାସଙ୍କୁ ମହାତ୍ମାଗାନ୍ଧୀରେ ରୂପାନ୍ତରିତ କରିବାରେ ପ୍ରମୁଖ ଭୂମିକାନେଇଥିବା ଏହି ବହିଟି ‘କର୍ଣ୍ଣହିଲ୍‌’ପତ୍ରିକାରେ 1860ଅଗଷ୍ଟରୁ ଡିସେମ୍ବର ମାସ ଭିତରେ ଚାରୋଟି ଭାଗରେ ବିଭକ୍ତ ହୋଇ ପ୍ରକାଶ ହୋଇଥିଲା l ଜନ ରସ୍କିନ୍‌ ପରେ ଏହାକୁ 1862 ରେ ଏକ ପୁସ୍ତକ ଆକାରରେ ପ୍ରକାଶ କରି ଥିଲେ l ପୁଞ୍ଜିବାଦ ଉପରେ ଶାଣିତ ପ୍ରହାର କରି ରସ୍କିନ୍‌ ‘ସାମାଜିକ-ଅର୍ଥନୀତି’ ର ପ୍ରସ୍ତାବନା ତାଙ୍କ ଏହି ପୁସ୍ତକରେ ରଖିଥିଲେ l ବିଶ୍ୱରେ ସାମାଜିକ ଅର୍ଥନୀତିକୁ ନେଇ ଯେତେ ଚିନ୍ତାଚିନ୍ତନ ହୋଇଛି, ତାହା ମଧ୍ୟରେ ରସ୍କିନ୍‌ଙ୍କ ଚିନ୍ତନ ଅନ୍ୟତମ l ଏହି ପୁସ୍ତକ ସମ୍ପର୍କରେ ମହାତ୍ମା ଗାନ୍ଧୀ ପୁଣି କହିଛନ୍ତି, ଏ ବହିରେ ମୋର ଅନ୍ତରର କିଛି ଦୃଢ଼ଚିନ୍ତନ ସବୁ ପ୍ରତିଫଳନ ହୋଇ ଥିଲା l ପୁସ୍ତକରେ ରସ୍କିନ୍‌ଙ୍କ ତିନୋଟି ତତ୍ତ୍ୱ ଗାନ୍ଧୀଙ୍କୁ ଖୁବ୍‌ ପ୍ରଭାବିତ କରିଥିଲା ଏବଂ ସେ ଗୁଡ଼ିକ ହେଲେ :-
1. ଜଣେ ବ୍ୟକ୍ତିର କଲ୍ୟାଣ ବା ପ୍ରଗତି ସମସ୍ତଙ୍କ କଲ୍ୟାଣ ବା ପ୍ରଗତି ଭିତରେ ସମାହିତ l
2. ସମାନ ସମୟର ପରିଶ୍ରମ ପାଇଁ ସମାନ ପାରିଶ୍ରମିକ l
3. ପରିଶ୍ରମ ଆଧାରିତ ଜୀବନ ଉତ୍କୃଷ୍ଟ ଜୀବନ l
ରସ୍ମିନ୍‌ଙ୍କ ‘ଅନ୍‌‍ଟୁ ଦିସ ଲାଷ୍ଟ’ର ଆବେଦନ ଏତେ ପ୍ରଖର ଥିଲା ଯେ, ବିଭିନ୍ନ ସମୟରେ ଗାନ୍ଧୀଜୀ ବିଭିନ୍ନ ସଭା ସମିତିରେ ତଥା ବ୍ୟକ୍ତିଗତ ଚିଠି ମାଧ୍ୟମରେ ତା’ର ଉଲ୍ଲେଖ କରିଛନ୍ତି l ପୁନେରେ ଥରେ ଆୟୋଜିତ ଏକ ସମ୍ମିଳନୀରେ ମହାତ୍ମା ଗାନ୍ଧୀ କହିଥିଲେ, ମଣିଷ ସମାଜକୁ ସମାନତା ଏବ˚ ଭ୍ରାତୃତ୍ବ ଭାବ ଦିଗରେ ବଢ଼ିବାକୁ ହେଲେ Unto This Last ର ମହତ୍‌ ଚିନ୍ତନ ଗୁଡ଼ିକୁ ଜୀବନରେ ଆପଣେଇବାକୁ ପଡ଼ିବ ଯାହା ମୁଁ ସ୍ପଷ୍ଟ ଭାବରେ ଦେଖି ପାରୁଛି l
ବ୍ରିଟେନର ପ୍ରସିଦ୍ଧ ପତ୍ରିକା ‘ ଦି ସ୍ପେକଟାଟର’ ର ସମ୍ପାଦକ ଏଭିଲିନ୍‌ ରେଞ୍ଚ 1921 ମସିହାରେ ଗାନ୍ଧୀଜୀଙ୍କୁୁ ପ୍ରଶ୍ନ କରିଥିଲେ,କେଉଁ ପୁସ୍ତକ ତାଙ୍କୁ ବେଶି ପ୍ରଭାବିତ କରିଛି ଓ ତାଙ୍କ ଜୀବନ ପଥକୁ ନିର୍ଣ୍ଣାୟକ ମୋଡ଼ ଦେଇଛି? ସେ ଆଶା କରୁଥିଲେ ଗାନ୍ଧୀଜୀ କିଛି ଭିନ୍ନ ଉତ୍ତର ଦେବେ, କିନ୍ତୁ ଗାନ୍ଧୀ ସ୍ପଷ୍ଟ ଭାବେ ଉତ୍ତର ଦେଇଥିଲେ, ରସ୍କିନ୍‌ଙ୍କ ଅନ୍‌‍ଟୁ ଦିସ ଲାଷ୍ଟ ମୋ ଜୀବନଯାତ୍ରାର ଶୈଳୀକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିବାର ନିର୍ଣ୍ଣାୟକ ଭୂମିକା ନେଇଛି l ମହାତ୍ମା ଗାନ୍ଧୀଙ୍କ ପୁସ୍ତକୀୟ ଚିନ୍ତାଧାରା ଥିଲା :-
“My heart is drawn backwards & forwards between the spinning wheel and books.”
“Let our lives be open books for all to study.”
“What better book can there be than the book of humanity.”
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ପୋଖରୀପୁଟ, ଭୁବନେଶ୍ୱର
ମୋ -7693091871

Comments are closed.