ପୂଜାରେ ଆକର୍ଷଣ ପାଲଟିବ ରାଷ୍ଟ୍ରପତି ଭବନ ତୋରଣ ।

ଭୁବନେଶ୍ୱର : ଚଳିତ ବର୍ଷ ଜୟଦେବ ବିହାର ଦୁର୍ଗାପୂଜା ସମିତି ପକ୍ଷରୁ ସ୍ଵତନ୍ତ୍ର ପୂଜା ଅନୁଷ୍ଠିତ ହେବ। ଯେଉଁଥିରେ ମୁଖ୍ୟ ଆକର୍ଷଣ ରହିବ ତୋରଣ। ରାଷ୍ଟ୍ରପତି ଭବନ ଭଳି ଅବିକଳ ପ୍ରତିକୃତି ତୋରଣ ତିଆରି କରାଯିବ। ଏହି ତୋରଣକୁ ପଶ୍ଚିମବଙ୍ଗ କାରିଗରମାନେ ନିର୍ମାଣ କରିବେ। ଏଥିପାଇଁ ୧୦ଦିନରୁ ଅଧିକ ସମୟ ଲାଗିବ। ତୋରଣ ତିଆରି କାମରେ ୧୦ରୁ ଊର୍ଦ୍ଧ୍ବ କାରିଗର ନିୟୋଜିତ ହେବେ। ତୋରଣ ପାଇଁ ସାଢ଼େ ୩ଲକ୍ଷ ଟଙ୍କାର ବଜେଟ୍‌ ରଖାଯାଇଛି। ଏଥିସହ ମା’ଙ୍କ ମୂର୍ତ୍ତିକୁ କଟକ ଚୌଦ୍ୱାରର କାରିଗର ନିର୍ମାଣ କରିବେ। ମୂର୍ତ୍ତି ନିର୍ମାଣରେ ୪୫ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ପୂଜା ସମିତି ପକ୍ଷରୁ କୁହାଯାଇଛି। ଜୟଦେବ ବିହାର ଦୂର୍ଗାପୂଜା ସମିତି ପକ୍ଷରୁ ଦୁର୍ଗାପୂଜା ୧୯୯୦ ମସିହାରୁ ଆରମ୍ଭ ହୋଇ ମା’ଙ୍କ ମୃଣ୍ମୟ ମୂର୍ତ୍ତ ପୂଜା ପାଇ ଆସୁଛନ୍ତି। ଚଳିତ ବର୍ଷ ଏହି ପୂଜା ୩୨ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଏ ବର୍ଷ ଏଠାରେ ୧୯ ଫୁଟ୍ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯିବ।

ମା’ଙ୍କୁ ସୁନା, ରୁପା ଅଳଙ୍କାରରେ ଭୂଷିତ କରାଯିବ। ଅଷ୍ଟମୀ ଠାରୁ ଦଶମୀ ପର୍ଯ୍ୟନ୍ତ ବିଧି ଅନୁସାରେ ପୂଜା ସମେତ ଭୋଗ ଲାଗି ହେବ। ପୂଜା କାର୍ଯ୍ୟରେ ୧୦ଜଣ ବ୍ରାହ୍ମଣ ନିୟୋଜିତ ହେବେ। ପ୍ରତିଦିନ ୨ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ। ମା’ ଙ୍କ ଦର୍ଶନ ଲାଗି ହଜାର ହଜାର ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯିବ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ। ପ୍ରତିଦିନ ଭଜନ ସନ୍ଧ୍ୟା ଆୟୋଜନ କରାଯିବ। ପୂଜା ପାଇଁ ସମୁଦାୟ ୭ରୁ ୮ଲକ୍ଷ ଟଙ୍କାର ବଜେଟ୍‌ ରହିଛି। କରୋନା ମହାମାରୀ ପାଇଁ ପୂର୍ବ ୨ ବର୍ଷ ହେଲା ପୂଜା ଭଲାଭାବେ ହୋଇପାରିନଥିଲା। ଯେଉଁଥିପାଇଁ ଭକ୍ତମାନେ ମା’ ଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ। କିନ୍ତୁ ଚଳିତ ବର୍ଷ କିପରି ଭକ୍ତମାନେ ଭଲଭାବେ ମା’ ଙ୍କ ଦର୍ଶନ କରିପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବୁ। ସେଥିପାଇଁ ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ବଜେଟ୍ ମଧ୍ୟ ଅଧିକ ରହିଛି। ପ୍ରତିଦିନ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ରହିଛି।
ସୁଶାନ୍ତ କୁମାର ସାହୁ, ସଭାପତି

Comments are closed.