ତୁମ ଆଖି ସହ
*******
ଆକାଂକ୍ଷା ମୟୀ ଦାଶ
ତୁମ ଆଖି ସହ ମୋ ଆଖିକୁ ପ୍ରଭୁ
ମିଶାଇଛି ବହୁବାର
ତୁମ ମନ ସହ ଏ ମନ ମିଶାଇ
ହଜିଛି ଅନେକ ଥର ||(0)
ଆକାଶ ପାତାଳ ବାୟୁମଣ୍ଡଳରେ
ସବୁଠାରେ ତୁମ ସତ୍ତା
ରହିଥାଅ ତୁମେ ଜଗତେ ଅଦୃଶ୍ୟ
ରଖି ଚିର ନୀରବତା
ସୁକ୍ଷ୍ମ ଲୋକେ ଥାଇ ସବୁରି କାର୍ଯ୍ୟ କୁ
ପରଖ ତ ବାରବାର(1)
ତୁମ ଆଖି ସହ….
ତମସା ନିଶିର ଦୁଃଖ କାରାଗାରେ
ହୋଇଗଲେ କେବେ ବନ୍ଦୀ
ତୁମ ସେଇ ଆଖି ଚାହାଣୀ ସ୍ମରଣେ
ନିମିଷେ ହୁଏ ମୁଁ ଛନ୍ଦି
ଅପସରି ଯାଏ ଯେତେ ଯେତେ କ୍ଳେଶ
କ୍ଲାନ୍ତି ଦୂର ବହୁ ଦୂର (2)
ତୁମ ଆଖି ସହ…
ପଥ ଚାଲୁ ଚାଲୁ ଅଚାନକେ ଆସେ
ଅଦିନ ଶୋକ ବତାସ
ଆଗରୁ ସୂଚନା ନ ଥାଏ ତାହାର
ଲାଗଇ ବଡ଼ ହତାଶ
କୋଟି ଜନତା ର ପ୍ରାଣ କେନ୍ଦ୍ର ବିନ୍ଦୁ
ସ୍ମରଣେ କର ଉଦ୍ଧାର (3)
ତୁମ ଆଖି ସହ
Comments are closed.