ନୂଆଦିଲ୍ଲୀ: କେନ୍ଦ୍ର ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବାଘେଲ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ଏକ ସମାରୋହରେ ମଡେଲ ଯୁବ ଗ୍ରାମ ସଭା (ଏମୱାଇଜିଏସ)ର ବିଜେତାମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ସମାରୋହରେ ଛାତ୍ରଛାତ୍ରୀ, ଶିକ୍ଷକ, ପଞ୍ଚାୟତିରାଜ ପ୍ରତିଷ୍ଠାନର ନିର୍ବାଚିତ ପ୍ରତିନିଧି ଏବଂ ଏମୱାଇଜିଏସ କାର୍ଯ୍ୟକ୍ରମରେ ସାମିଲ ପ୍ରମୁଖ ଅଂଶୀଦାରଙ୍କ ସମେତ ପ୍ରାୟ 900 ଅଂଶଗ୍ରହଣକାରୀ ଭାଗ ନେଇଥିଲେ। ପୁରସ୍କୃତ ପ୍ରତିଯୋଗୀମାନେ ଏମୱାଇଜିଏସର ପରିବର୍ତ୍ତନଶୀଳ ଯାତ୍ରାକୁ ଡକ୍ୟୁମେଣ୍ଟେସନ୍ କରି ଏକ ଇଂରାଜୀ ଓ ହିନ୍ଦୀର ବିସ୍ତୃତ ସଂକଳନ ପ୍ରକାଶ କରିଥିଲେ। ଏଥିରେ ଦେଶବ୍ୟାପୀ 619 ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଏବଂ ଜବାହର ନବୋଦୟ ବିଦ୍ୟାଳୟରେ ଆୟୋଜିତ ଛାୟା ଗ୍ରାମ ସଭା ଏବଂ ଗ୍ରାମପଞ୍ଚାୟତରେ କିପରି 28 ହଜାରରୁ ଅଧିକ ଭାଗ ନେଇଥିଲେ ତାହା ଦର୍ଶାଯାଇଥିଲା।
ଜବାହର ନବୋଦୟ ବିଦ୍ୟାଳୟ ବର୍ଗରେ ହିମାଚଳ ପ୍ରଦେଶର ଉନା ପ୍ରଥମ ସ୍ଥାନ ହାସଲ କରି ଏକ କୋଟି ଟଙ୍କାର ପୁରସ୍କାର ରାଶି ପାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା କେରଳ କନ୍ନୁର ଜେଏନଭି 75 ଲକ୍ଷ ଏବଂ ତୃତୀୟ ସ୍ଥାନରେ ଥିବା ମଣିପୁର ଉଖ୍ରୁଲ -1 ଜେଏନଭି 50 ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଥିଲା। ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ବର୍ଗରେ ଛତିଶଗଡ଼ର କୋସାମ୍ବୁଡ଼ା ବିଦ୍ୟାଳୟ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ହିର୍ଲି ଇଏମଆରଏସ ଦ୍ୱିତୀୟ ପୁରସ୍କାର ହାସଲ କରିଥିଲା। ସେହିପରି ମଧ୍ୟପ୍ରଦେଶ ଯବଲପୁର ଇଏମଆରଏସ ତୃତୀୟ ପୁରସ୍କାର ପାଇଥିଲା। ଏହି ତିନୋଟି ବିଦ୍ୟାଳୟକୁ ମଧ୍ୟ ଯଥାକ୍ରମେ 1କୋଟି, 75 ଲକ୍ଷ ଏବଂ 50 ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି ।
Comments are closed.