ଆନନ୍ଦପୁର ନିଆଳି ଝରଣା ଗାଁରେ ଟ୍ରିପଲ୍‌ ମର୍ଡର

କେନ୍ଦୁଝର  : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଖାଳିଆମେଣ୍ଟା ପଞ୍ଚାୟତ ନିଆଳି ଝରଣା ଗାଁରେ ତିନି ଜଣଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ଗୋଟିଏ ପରିବାରର ଝିଅ ସସ୍ମିତା ସୋରେନ (୧୪), ବାପା ଜିତେନ୍ଦ୍ର ସୋରେନ (୫୦), ମାଆ ମାଳତୀ ସୋରେନ (୪୬) । ପାରିବାରିକ ଗଣ୍ଡଗୋଳ କାରଣରୁ ଏଭଳି ଅମାନୁଷିକ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଥିବାବେଳେ କେହି କେହି ଗୁଣିଗାରେଡ଼ିକୁ ନେଇ ଘଟିଥିବା ଆଲୋଚନା ହେଉଛି । ପଡ଼ୋଶୀ ଅଭିଯୁକ୍ତ ଲକ୍ଷ୍ମଣ ସୋରେନ୍‌ଙ୍କୁ ପୁଲିସ ଅଟକ ରଖିଛି । ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବାବେଳେ ତଦନ୍ତ ପରେ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

ଘଟଣାରେ ଘସିପୁରା ପୁଲିସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଲକ୍ଷ୍ଣଣ ସୋରେନକୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି । ଲକ୍ଷ୍ମଣ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ପ୍ରଥମେ ମାଳତୀକୁ ଆକ୍ରମଣ କରିବା ପରେ ସସ୍ମିତାଙ୍କୁ ଆକ୍ରମଣ କରିଥିଲା । ପରେ ଜିତେନ୍ଦ୍ରଙ୍କୁ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲା । ଘସିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କର ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବାବେଳେ ଘଟଣାର ତଦନ୍ତ ଜାରି ରଖିଛି । ଲକ୍ଷ୍ମଣ ନିଜେ ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଛି ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି । ହତ୍ୟାକାଣ୍ଡ ଘଟଣାକୁ ନେଇ ଅଭିଯୁକ୍ତର ଭଉଣୀ ଚେତାଶୂନ୍ୟ ହୋଇ ପଡ଼ିଥିଲା । ଅଭିଯୁକ୍ତ ନିଜେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସୋମବାର ସକାଳେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରିଥିବା ସୂଚନା ମିଳିଛି।

Comments are closed.