ଭୁବନେଶ୍ବର : ଅଭିଯୋଗର ୬ମାସ ପରେ ପୂର୍ବତନ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପାଣ୍ଡିଆନଙ୍କ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ସଭା ଆୟୋଜନରେ କିଭଳି ସରକାରୀ ପାଣ୍ଠି ଖର୍ଚ୍ଚ ହୋଇଥିଲା ତାହାର ତଦନ୍ତ ପାଇଁ ଅଭିଯୋଗକାରୀଙ୍କ ସହଯୋଗ ଲୋଡ଼ା ଯାଇଛି। ଅଭିଯୋଗର ସତ୍ୟତା ପରଖିବାକୁ ଆସନ୍ତା ୬ ତାରିଖ ସୁଦ୍ଧା ସମସ୍ତ ଦସ୍ତାବିଜ, ଇଲେକ୍ଟ୍ରୋନିକ୍ସ ରେକର୍ଡ ଏବଂ ଅନ୍ୟାନ୍ୟ ପ୍ରମାଣ ଦାଖଲ କରିବାକୁ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ଅନୁରୋଧ କରାଯାଇଛି।
୨୦୨୪ ନିର୍ବାଚନ ପୂର୍ବରୁ ପୂର୍ବତନ ୫-ଟି ଅଧ୍ୟକ୍ଷ ରାଜ୍ୟର ବିଭିନ୍ନ ସ୍ଥାନକୁ ହେଲିକପ୍ଟରରେ ଯାଇ ଅଭିଯୋଗ ସଂଗ୍ରହ କରିଥିଲେ। ତାଙ୍କ ପାଇଁ ସରକାରୀ ଖର୍ଚ୍ଚରେ ବିଭିନ୍ନ ସ୍ଥାନରେ ସଭା ହୋଇଥିଲା। ପାଣ୍ଡିଆନ ବିଭିନ୍ନ ସଭା ଓ କାର୍ଯ୍ୟକ୍ରମରେ ବେଆଇନ ଭାବେ ସରକାରୀ କ୍ଷମତା ଅପବ୍ୟବହାର କରିଥିଲେ। ଏହା ଓଡ଼ିଶା ରୁଲସ ଅଫ ବିଜିନେସ-୧୯୫୬ର ଉଲ୍ଲଙ୍ଘନ ବୋଲି ଭାରତୀୟ ବିକାଶ ପରିଷଦର ସଭାପତି ଶ୍ରୀ ପାଣିଗ୍ରାହୀ ୨୦୨୪ ଫେବୃଆରୀ ୮ରେ ରାଜ୍ୟ ଗୃହ ସଚିବଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗର ୧୫ମାସ ପରେ ବି ତଦନ୍ତ ନହେବାରୁ ଅଭିଯୋଗକାରୀ ୨୦୨୫ ମେ’ ୨୯ରେ କ୍ରାଇମବ୍ରାଞ୍ଚ ନିକଟରେ ପୁନର୍ବାର ଅଭିଯୋଗ କରିଥିଲେ। ଅଭିଯୋଗର ୬ମାସ ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଡିସେମ୍ବର ୧୫ରେ ଅଭିଯୋଗ ସମ୍ପର୍କିତ ପ୍ରମାଣପତ୍ର ଦାଖଲ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀ ଡିଏସ୍ପି ସନ୍ତୋଷ କୁମାର ଗୌଡ଼ ଶ୍ରୀ ପାଣିଗ୍ରାହୀଙ୍କୁ ନୋଟିସ୍ ଜାରି କରିଛନ୍ତି। କ୍ରାଇମବ୍ରାଞ୍ଚର ଖୋଳତାଡ଼ ପାଣ୍ଡିଆନଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି। ପାଣ୍ଡିଆନଙ୍କ ଉପରେ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଭୁଲ କାମ କଲେ ଦଣ୍ଡ ମିଳେ। ତଦନ୍ତର ସାମ୍ନା କରିବାକୁ ପଡେ। ଯେଉଁମାନେ ଭୁଲ କରିଥିଲେ, ସେମାନଙ୍କୁ ଆଗାମୀ ଦିନରେ ତଦନ୍ତର ସାମ୍ନା କରିବାକୁ ପଡ଼ିବ। ଯେତେବେଳେ ଯିଏ ଭୁଲ କରୁଥିଲେ, ସେତେବେଳେ ସେ କ’ଣ ଏହା ଜାଣିନଥିଲେ। ଆଜି ଯେତେବେଳେ ତଦନ୍ତ ହେଉଛି ଏଥିରେ ବିଚିତ୍ର କିଛି ନାହିଁ।
ବରିଷ୍ଠ ବିଜେଡି ନେତା ଗଣେଶ୍ବର ବେହେରା କହିଛନ୍ତି, ଆକ୍ରୋଶମୂଳକ ଭାବେ ଏହା କରାଯାଉଛି। କ୍ରାଇମବ୍ରାଞ୍ଚ ଛାଡ଼ି ସିବିଆଇ ତଦନ୍ତ କରନ୍ତୁ, କିଛି ହେବନି। ଜଣେ ସରକାରୀ ଅଧିକାରୀ ସରକାରଙ୍କ ଅନୁମତି ନେଇ ବୁଲିବାରେ କିଛି ସମସ୍ୟା ନାହିଁ। ଯିଏବି ଚାହିଁଲେ, ଅଭିଯୋଗ କରିପାରିବେ ହେଲେ ଅଭିଯୋଗ ପ୍ରମାଣିତ ହେବା ଦରକାର। ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ ଠିକ ଭାବେ ହେବ ନାହିଁ। ଚିଟ୍ଫଣ୍ଡ ତଦନ୍ତ କ’ଣ ହୋଇଛି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Comments are closed.