ସେପ୍ଟେମ୍ବର ୧ରୁ ୫ ମଧ୍ୟରେ ମିଳିବ +୨ ମାର୍କସିଟ୍‌ ଏବଂ ସାର୍ଟିଫିକେଟ।

ଭୁବନେଶ୍ୱର: ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ମାର୍କସିଟ୍‌, ସାର୍ଟିଫିକେଟ୍ ଏବଂ ମାଇଗ୍ରେସନ ଯୋଗାଇଦେବା ଲାଗି +୨ ପରିଷଦ ପକ୍ଷରୁ ପକ୍ରିୟା ଆରମ୍ଭ ହୋଇଛି । ଗତ ୨ବର୍ଷ ହେବ କୋଭିଡ ଲାଗି ପରୀକ୍ଷା ବାତିଲ ହୋଇଥିବା ବେଳେ ଚଳିତବର୍ଷ ଅଫ୍‌ଲାଇନ୍ ପଦ୍ଧତିରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷ ମୋଟ୍ ୩ଲକ୍ଷ ୧୪ହଜାର ୬୩୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଯେଉଁମାନେ ପରୀକ୍ଷାରେ ପାସ୍ କରିଛନ୍ତି ସେମାନଙ୍କୁ ମାର୍କସିଟ୍‌, ସାର୍ଟିଫିକେଟ୍ ଏବଂ ମାଇଗ୍ରେସନ ପ୍ରଦାନ କରାଯିବ । ମାତ୍ର ଯେଉଁ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି, ସେମାନଙ୍କୁ କେବଳ ମାର୍କସିଟ୍ ଏବଂ ମାଇଗ୍ରେସନ ଦିଆଯିବ । ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଏହି ସାର୍ଟିଫିକେଟ୍ ପ୍ରସ୍ତୁତି ପ୍ରକ୍ରିୟା ଖୁବଶୀଘ୍ର ଶେଷ ହୋଇଥିବା ବେଳେ ପିଲାଙ୍କୁ ମାର୍କସିଟ୍‌, ସାର୍ଟିଫିକେଟ୍ ଦେବାରେ +୨ ପରିଷଦ ସଫଳ ହୋଇପାରିଛି ।

ରାଜ୍ୟ ବାହାରେ ଏକ ଫାର୍ମରେ ପ୍ର୍ରାୟ ସାଢ଼େ ଛଅ ଲକ୍ଷରୁ ଅଧିକ ମାର୍କସିଟ୍‌, ସାର୍ଟିଫିକେଟ୍ ଏବଂ ମାଇଗ୍ରେସନ ପ୍ରିଣ୍ଟ୍ରିଂ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ତାହା +୨ ପରିଷଦ କାର୍ଯ୍ୟାଳୟରେ ଆଜି ପହଁଞ୍ôଚବ ବୋଲି ଜଣାପଡ଼ିଛି । ତେବେ ବ୍ରହ୍ମପୁର, ସମ୍ବଲପୁର ଏବଂ ବାରିପଦା ଜୋନକୁ ୩୧ତାରିଖ ସୁଦ୍ଧା ସମସ୍ତ ସାର୍ଟିଫିକେଟ୍ ପଠାଯିବ । ସେଠାରେ ସେପ୍ଟେମ୍ବର ୧ରୁ ପିଲାଙ୍କୁ ବାଣ୍ଟିବା ପ୍ରକ୍ରିୟା ଆରମ୍ଭ ହେବ । ସେହିପରି ସେଣ୍ଟ୍ରାଲ ଜୋନ ବା ମୁଖ୍ୟକାର୍ଯ୍ୟାଳୟ ଅଧୀନରେ ରହିଥିବା ଜୁନିୟର କଲେଜ କର୍ତ୍ତୃପକ୍ଷ ୩୧ସୁଦ୍ଧା ସାର୍ଟିଫିକେଟ ନେବା ସହ ୧ରୁ ପିଲାଙ୍କୁ ଦେବା ଲାଗି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତବର୍ଷ ଶାନ୍ତି ଶୃଙ୍ଖଳାର ସହ ପରୀକ୍ଷା, ମୂଲ୍ୟାଙ୍କନ ଏବଂ ବିଭିନ୍ନ ପରିଚାଳନା କାର୍ଯ୍ୟ ଶେଷ ହୋଇଥିବା ବେଳେ ଖୁବଶୀଘ୍ର ମଧ୍ୟ ମାର୍କସିଟ୍ ଏବଂ ସାର୍ଟିଫିକେଟ୍ ପିଲାଙ୍କୁ ଦେବାରେ +୨ ପରିଷଦ ସଫଳ ହୋଇପାରିଛି । ବିଶେଷକରି ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଏବଂ ଉଜ୍ଜ୍ୱଳ ଭବିଷ୍ୟତକୁ ଗୁରୁତ୍ୱ ଦେଇ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି ।

Comments are closed.