ହକି ତାରକା ଅମିତ ରୋହିଦାସଙ୍କ ହକି-ଜୀବନ-କାହାଣୀ।

ହକି ଅଲିମ୍ପିଆନ ଅମିତ ରୋହିଦାସଙ୍କ ସହିତ ସାକ୍ଷାତକାର ।

ନିଜ ସଂଘର୍ଷ ଓ ସଫଳତାର ଲମ୍ବା କାହାଣୀ କହିଲେ ଅମିତ ଦେଶକୁ ଗର୍ବିତ କରିବା ପାଇଁ ଆଗକୁ ବି ପରିଶ୍ରମ ଜାରି ରହିବ : ଅମିତ
(ସୁନ୍ଦରଗଡ଼, ସଉନାମୁରାରୁ ପ୍ରୀତିବର୍ଦ୍ଧନ ନାୟକ ଓ ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ): ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ପରିଚତ ନାଁଟିଏ ହେଲା ଅମିତ ରୋହିଦାସ। ଭାରତୀୟ ପୁରୁଷ ହକି ଟିମ୍‌ରେ ସେ ଡିଫେଣ୍ଡର ଭାବେ ଖେଳି ଟୋକିଓ ଅଲିମ୍ପିକ୍ସରେ ଦେଶକୁ ଗର୍ବିତ କରିଛନ୍ତି। କିନ୍ତୁ ଦିନ ଥିଲା ସୁନ୍ଦରଗଡ଼ର ଏହି ସୁନାପୁଅ ଅମିତ ବହୁ ଦୁଃଖ କଷ୍ଟରେ ସମୟ କାଟିଥିଲେ। ତାଙ୍କୁ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ହେଲେ ନିଜର ନିଷ୍ଠାପର ପରିଶ୍ରମ ଓ ଦୃଢ଼ ମନୋବଳ ଯୋଗୁଁ ଏବେ ସଫଳତାର ଶୀର୍ଷରେ ଅମିତ। ତାଙ୍କର ଏହି ସଂଘର୍ଷ ଓ ସଫଳତାର ଲମ୍ବା ଯାତ୍ରା କେମିତି ଥିଲା ଜାଣିବାକୁ ଅମିତଙ୍କ ସହ ସାକ୍ଷାତକାର ।

ଆପଣ ଏବେ ଜଣେ ସଫଳ ହକି ତାରକା। ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କ ମନ କିଣି ନେଇଛନ୍ତି। ତେବେ କହିବେ କି ସୁନ୍ଦରଗଡ଼ର ଏକ ଛୋଟିଆ ଗାଁରୁ ଆପଣ କେମିତି ହକି ସ୍ୱପ୍ନ ଦେଖିଥିଲେ?

ସୁନ୍ଦରଗଡ଼ ଜିଲ୍ଲା ସଉନାମୁରାରେ ମୁଁ ଜନ୍ମ ହୋଇଛି। ଏହି ଗାଁ ହକି କିମ୍ବଦନ୍ତୀ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ଜନ୍ମମାଟି। ପିଲାବେଳୁ ତାଙ୍କୁ ଦେଖି ମୁଁ ହକି ପ୍ରତି ଆକୃଷ୍ଟ ହୋଇଥିଲି। ସେ ଯେଉଁଭଳି ହକି ଖେଳି, ନିଜ ଦେଶ, ରାଜ୍ୟ, ଗାଁକୁ ଗୌରାବାନ୍ୱିତ କରିଛନ୍ତି ମୁଁ ଦିନେ ସେହି ବାଟରେ ଯିବି ବୋଲି ସ୍ଥିର କରିଥିଲି। ତାଙ୍କୁ ମୁଁ ମୋ ଆଦର୍ଶ ମାନି ହକି ଆଡ଼କୁ ପାଦ ବଢ଼ାଇଥିଲି।

ଆପଣଙ୍କ ବାପା ଗୋପାଳ ରୋହିଦାସ ଚାଷ କରୁଥିଲେ। ମା’ ଜଣେ ଗୃହିଣୀ। ଆପଣଙ୍କର ପିଲାବେଳ ଅଭାବ ଅନଟନରେ କଟିଥିଲା। ପ୍ରତିକୂଳ ପରିସ୍ଥିତିରେ ବି କେମିତି ହକି ପାଇଁ ପ୍ରସ୍ତୁତ ହେଉଥିଲେ?

ମୋ ବାପା ଚାଷ କାର୍ଯ୍ୟ କରି ପରିବାର ଭରଣ ପୋଷଣ କରୁଥିଲେ। ପରିବାରରେ ଅଭାବ ଅନଟନ ଲାଗି ରହୁଥଲା। ବାପା ବେଳେ ବେଳେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ବି ଯାଉଥିଲେ। ହେଲେ ତାଙ୍କର ବି ହକି ପ୍ରତି ଭଲ ପାଇବା ଥିଲା। ସେଥିପାଇଁ ମୁଁ ହକି ଖେଳେ ବୋଲି ସେ ଚାହୁଁଥିଲେ। ମୋ ପାଖରେ ପିଲା ବେଳେ ହକି ଷ୍ଟିକ୍‌ ନଥିଲା। ମତେ ହକି ଷ୍ଟିକ୍‌ କିଣି ଦେବାକୁ ବାପାଙ୍କ ପାଖରେ ପଇସା ବି ନଥିଲା। ମୁଁ ବାଉଁଶକୁ କାଟି ସେଥିରେ ଗାଁ ଦାଣ୍ଡରେ ହକି ଖେଳୁଥିଲି। ଏବେ ମୋ ପାଖରେ ୧୦ରୁ ୧୫ଟି ଦାମୀ ଦାମୀ ଷ୍ଟିକ ଅଛି। ସେତେବେଳେ ଯଦି ମୁଁ କଷ୍ଟ କରିନଥାନ୍ତି ଆଜି ହୁଏତ ଏ ସଫଳତା ମିଳିନଥାନ୍ତା

ସବୁ ଖେଳାଳିଙ୍କର ଇଚ୍ଛା ଥାଏ, ନିଜ କ୍ୟାରିୟରରେ ଥରେ ଅଲିମ୍ପିକ୍ସ ଖେଳିବାକୁ। ଆପଣ ଟୋକିଓ ଅଲିମ୍ପିକ୍ସରେ ସୁଯୋଗ ପାଇଲେ। ଆପଣଙ୍କ ଟୋକିଓ ଯାତ୍ରା ବିଷୟରେ କହନ୍ତୁ?

ମୋର ଇଚ୍ଛା ଥିଲା ଅଲିମ୍ପିକ୍ସ ଖେଳିବାକୁ। ମୋ ବାପାଙ୍କର ବି ସ୍ୱପ୍ନ ଥିଲା ମୁଁ ଅଲିମ୍ପିକ୍ସ ଖେଳି ଦେଶ ପାଇଁ ମେଡାଲ ଆଣେ। ବାପାଙ୍କ ସ୍ୱପ୍ନ ପୂରା କରିବାକୁ ମୁଁ ବହୁତ ପରିଶ୍ରମ କରିଥିଲି। କୋଭିଡ୍‌ ଯେତେବେଳେ ସାରାଦେଶକୁ କବଳିତ କରିଥିଲା ସେତେବେଳେ ଖେଳ ପାଇଁ ନିଜକୁ ପ୍ରସ୍ତୁତ କରିବା କଷ୍ଟକର ଥିଲା। ୮ ମାସ ଘରଠାରୁ ଦୂରରେ ରହି ମୁଁ ବେଙ୍ଗଳୁରରେ ଅଭ୍ୟାସ କରିଥିଲି। ସେଠାରେ କିଛି ପିଲା କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲେ। ତା’ଭିତରେ ଗାଇଡଲାଇନ ମାନି ଅଭ୍ୟାସ କରିବା ମୋ ପାଇଁ ଚାଲେଞ୍ଜ ଥିଲା। ତଥାପି ମୁଁ ସବୁ କଟକଣା ମାନି ଅଭ୍ୟାସ ଜାରି ରଖିଥିଲି, ଯାହାର ଫଳ ଟୋକିଓରେ ମିଳିଲା।

ଏତେ ସଫଳତା ପରେ ବି ମନରେ ଗୋଟିଏ ଦୁଃଖ ରହିଗଲା ଯେ, ମୋ ପାଇଁ ବାପା ଦେଖିଥିବା ଅଲିମ୍ପିକ୍ସ ସ୍ୱପ୍ନ ସିନା ପୂରଣ ହେଲା କିନ୍ତୁ ଏ ଖୁସିର ମୁହୂର୍ତ୍ତ ଦେଖିବାକୁ ବାପା ଆଜି ଆମ ନିକଟରେ ନାହାନ୍ତି।

୪୧ ବର୍ଷ ପରେ ଅଲିମ୍ପିକ୍ସରେ ଭାରତକୁ ବ୍ରୋଞ୍ଜ୍‌ ମେଡାଲ ମିଳିଲା। ସେହି ଐତିହାସିକ ମୁହୂର୍ତ୍ତରେ ଆପଣଙ୍କୁ କିଭଳି ଅନୁଭବ ହୋଇଥିଲା, ସେ ବିଷୟରେ କହନ୍ତୁ?

୪୧ ବର୍ଷ ପରେ ଅଲିମ୍ପିକ୍ସରେ ଦେଶକୁ ପଦକ ମିଳିଲା। ସେହି ମୁହୁର୍ତ୍ତ ମୋ ପାଇଁ ଅବିସ୍ମରଣୀୟ। ଦେଶବାସୀଙ୍କୁ ଏତେ ବର୍ଷ ପରେ ଏହି ପଦକ ଜିତିବାର ଖୁସି ମିଳିଲା। ଦେଶବାସୀ ଜୟ ଜୟକାର କଲେ। ସେ ଅନୁଭୂତିକୁ ଶବ୍ଦରେ କହିବା ମୋ ପାଇଁ କଷ୍ଟ।

ଆଗାମୀ ୧୦ ବର୍ଷ ପାଇଁ ଓଡ଼ିଶା ସରକାର ଭାରତୀୟ ହକି ଦଳର ପ୍ରାୟୋଜକ ରହିବେ। ଏ ସମ୍ପର୍କରେ କ’ଣ କହିବେ?

ଓଡ଼ିଶା ସରକାର ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ଅଛନ୍ତି। ଟୋକିଓ ସଫଳତା ପରେ ଓଡ଼ିଶା ସରକାର ଆଉ ୧୦ ବର୍ଷ ପ୍ରାୟୋଜକ ରହିବେ ବୋଲି ହକି ଇଣ୍ଡିଆ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏଥିପାଇଁ ମୁଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେବି। ସରକାରଙ୍କ ପଦକ୍ଷେପ ଓଡ଼ିଶାର ଯୁବପିଢ଼ିଙ୍କୁ ହକି ପ୍ରତି ନିଶ୍ଚୟ ଆକର୍ଷିତ କରିବ।

ହକିର ଗଡ଼ ସୁନ୍ଦରଗଡ଼କୁ କ’ଣ ବାର୍ତ୍ତା ଦେବେ ?

ହକିର ଗଡ଼ ସୁନ୍ଦରଗଡ଼। ଏଠାକାର ଲୋକ ହକି ପ୍ରେମୀ। ଭାରତୀୟ ହକ ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀଙ୍କଠାରୁ ଆରମ୍ଭ କରି ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନ, ବିକାଶ ଟପ୍ପୋ ତଥା ଆଗାମୀ ଆଶା ଭାବେ ଜଣା ଶୁଣା ଦୀପ୍‌ସାନ୍ ତୀର୍କୀଙ୍କ ଭଳି ଅନେକ ଖେଳାଳି ଦେଇଛି ଏହି ଜିଲ୍ଲା। ଆଗାମୀ ଦିନରେ ଏହି ଜିଲ୍ଲାରୁ ଆହୁରି ଅନେକ ପ୍ରତିଭାବାନ ଖେଳାଳି ସୃଷ୍ଟି ହେବେ ବୋଲି ମୋର ବିଶ୍ୱାସ।

Comments are closed.