ପାଣ୍ଡବଙ୍କ ପୂର୍ବ ଜନ୍ମ ବୃତ୍ତାନ୍ତ
==============
ମହାଭାରତ ଆଦି ପର୍ବରୁ ଏହି ଉପାଖ୍ୟାନ l ଲକ୍ଷ୍ୟ ଭେଦ କରି ଅର୍ଜ୍ଜୁନ ଦ୍ରୌପଦୀଙ୍କୁ ଲାଭକଲେ l ଅନ୍ୟ ଭାଇମାନଙ୍କ ସହିତ ସେ ଦ୍ରୌପଦୀଙ୍କୁ ଧରି ରହୁଥିବା କୁମ୍ଭାର ଘରକୁ ଫେରିଆସିଲେ l ଦ୍ୱାରରେ ଥାଇ ଅତି ଆନନ୍ଦସହ ସେମାନେ ମାଆ କୁନ୍ତୀଙ୍କ ଉଦ୍ଦେଶ୍ୟରେ କହିଲେ,ମାଆ ମାଆ ! ଦେଖିବ ଆସ, ଆଜି ଆମେ ଗୋଟିଏ ଅପୁର୍ବ ବସ୍ତୁ ଆଣିଛୁ l କୁନ୍ତୀ କିଛି ନଦେଖି ଭିତରୁ ଥାଇ କହିଦେଲେ, ଯାହା ଆଣିଛ ବାଣ୍ଟି କରି ଖାଅ l ଏଥିରୁ ନିଶ୍ଚିନ୍ତ ହୋଇଗଲା, ଦ୍ରୌପଦୀ ପାଞ୍ଚ ପତିଙ୍କର ପତ୍ନୀ ହେବେ l ତାଙ୍କ ସହିତ ଆସି ଥିଲେ, ଦ୍ରୌପଦୀଙ୍କ ଭାଇ ଧୃଷ୍ଟଦ୍ୟୁମ୍ନ l ସେ ପିତା ଦ୍ରୁପଦଙ୍କୁ ଏକଥା ଜଣାଇବାରୁ, ଏହା କେମିତି ସମ୍ଭବ ହୋଇ ପାରିବ ଭାବି ସେ ଅତ୍ୟନ୍ତ ନିରାଶ ହୋଇପଡ଼ିଲେ l ସେହି ସମୟରେ ମହର୍ଷି ବ୍ୟାସ, ସେଠାରେ ପହଞ୍ଚି ଦ୍ରୁପଦଙ୍କୁ ସାନ୍ତ୍ଵନାଦେଲେ ଓ ବିବାହ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଲେ l ପାଣ୍ଡବ ମାନେ କିଏ କହି ସେ ଦ୍ରୁପଦଙ୍କୁ ନିମ୍ନ କାହାଣୀ ଶୁଣାଇଲେ l
ଦିନେ ନୈମିଷାଣ୍ୟରେ ଦେବତାମାନେ ବିଶ୍ଵମଙ୍ଗଳ ପାଇଁ ଗୋଟିଏ ଯଜ୍ଞ ଅନୁଷ୍ଠାନ କଲେ l ପରିଚାଳନା ଦାୟିତ୍ଵ ଯମଙ୍କ ଉପରେ ନ୍ୟସ୍ତ କରାଗଲା l ଯମ ତ ମୃତ୍ୟୁର ଦେବତା, ସେ ଯଜ୍ଞରେ ବ୍ୟସ୍ତରହିବା ହେତୁ ତାଙ୍କ କର୍ମରେ ବ୍ୟାଘାତ ଘଟିଲା l ତେଣୁ ଆଉ ଧରା ପୃଷ୍ଠରେ କାହାର ମୃତ୍ୟୁ ହେଲାନାହିଁ l ଏହା ଦେବତା ମାନଙ୍କ ପାଇଁ ଏକ ସମସ୍ୟା ହୋଇଗଲା l ପ୍ରତିକାର ପାଇଁ ସମସ୍ତେ ଯାଇ ବ୍ରହ୍ମାଙ୍କ ନିକଟରେ ପହଞ୍ଚିଲେ l ବ୍ରହ୍ମା କହିଲେ,ତୁମେମାନେ ଯଜ୍ଞ ସମାପ୍ତକର l ଯମ ଏଥିରୁ ଅବ୍ୟାହତି ପାଇଲେ ସବୁ ଠିକ୍ ଚାଲିବ l
ଦେବତା ମାନେ ଆଶ୍ବସ୍ତ ହୋଇ ଯଜ୍ଞସ୍ଥଳୀକୁ ଫେରି ଆସିଲେ l ଯଜ୍ଞକାର୍ଯ୍ୟ ଚାଲିଥାଏ ଦିନେ ସେମାନେ ଦେଖିଲେ ନିକଟ ଗଙ୍ଗା ନଦୀରେ ଏକ ସୁନ୍ଦର ସ୍ୱର୍ଣ୍ଣ କମଳ ଭାସିଯାଉଛି l ଏଭଳି ଏକ ବିଚିତ୍ର ପଦ୍ମପୁଷ୍ପ କୁଆଡୁ ଭାସିଆସିଲା ଜାଣିବାପାଇଁ ଦେବରାଜ ଇନ୍ଦ୍ର ଗଙ୍ଗା ତୀରରେ ଗତିକରି ଯାଇ ଗଙ୍ଗାଙ୍କ ଉଦ୍ଗମସ୍ଥଳ ଗଙ୍ଗୋତ୍ରୀରେ ପହଞ୍ଚି ଗଲେ l ସେଠାରେ ଦେଖିଲେ ଜଣେ ସୁନ୍ଦରୀ ନାରୀ ଠିଆହୋଇ କାନ୍ଦୁଛନ୍ତି l ତାଙ୍କ ଚକ୍ଷୁରୁ ଝରି ପଡୁୁଥିବା ଲୋତକବିନ୍ଦୁ ଗଙ୍ଗା ଜଳରେ ପଡ଼ି ସ୍ୱର୍ଣ୍ଣ କମଳ ହୋଇ ଭାସି ଯାଉଛି l
କୌତୁହଳୀ ହୋଇ ଇନ୍ଦ୍ର ମହିଳାଙ୍କ ନିକଟକୁ ଯାଇ ତାଙ୍କ ପରିଚୟ ମାଗିଲେ l ମହିଳାଜଣକ କୌଣସି ଉତ୍ତର ନଦେଇ କହିଲେ,ମୁଁ ଆଗେ ଆଗେ ଯାଉଛି, ତୁମେ ମୋ ପଛେ ପଛେ ଆସ l ଏପରି ଚାଲି ଚାଲି ସେମାନେ ଯାଇ ହିମାଦ୍ରୀ ଶିଖରରେ ପହଞ୍ଚି ଗଲେ l ସେଠାରେ ଇନ୍ଦ୍ର ଦେଖିଲେ ଏକ ତେଜମୟ ପୁରୁଷ ସିଦ୍ଧାସନରେ ବସିଛନ୍ତି ଏବଂ ତାଙ୍କ ପାଖରେ ଅଛନ୍ତି ଜଣେ ରୂପସୀ ମହିଳା l ନିଜ ଭିତରେ ଖୁବ୍ ଖୁସିରେ ସେମାନେ ବାର୍ତ୍ତାଳାପ କରୁଥାନ୍ତି l ସେମାନେ ଇନ୍ଦ୍ରଙ୍କୁ କୌଣସି ସମ୍ମାନ କଲେ ନାହିଁ l ଦେବରାଜ ଭୀଷଣ ରାଗି ଯାଇ ତାଙ୍କୁ କହିଲେ, ତୁମେ ମାନେ ଜାଣିପାରୁ ନାହଁ ମୁଁ ଦେବତାଙ୍କ ରାଜା ଇନ୍ଦ୍ର ତୁମ ପାଖରେ ଠିଆ ହୋଇଛି l ତୁମକୁ ମୁଁ ଉଚିତ ଦଣ୍ଡ ଦେବି l
ସେ ଦୁହେଁ ଥିଲେ ଶଙ୍କର ପାର୍ବତୀ l ଶଙ୍କର ଇନ୍ଦ୍ରଙ୍କ ଅହଙ୍କାର ଭଙ୍ଗପାଇଁ ତାଙ୍କୁ ସ୍ତମ୍ଭିତ କରିଦେଇ ତାଙ୍କ ସଙ୍ଗେ ଯାଇଥିବା ଯୁବତୀଙ୍କୁ ନିର୍ଦ୍ଦେଶ ଦେଲେ ତାଙ୍କ ପାଖକୁ ଶକ୍ତିହୀନ ଇନ୍ଦ୍ରଙ୍କୁ ଧରି ଆଣିବା ପାଇଁ l ଶିବ ଇନ୍ଦ୍ରଙ୍କୁ ଏପରି ଗର୍ବ ନକରିବା ପାଇଁ କହି ତାଙ୍କୁ ଏକ ଗୁମ୍ଫା ନିକଟକୁ ନେ଼ଇ ଗଲେ ଓ ତାଙ୍କୁ ସେ ଗୁମ୍ଫାର ଦ୍ଵାର ଖୋଲି ପ୍ରବେଶକରିବାକୁ କହିଲେ l ଗୁମ୍ଫାରେ ଇନ୍ଦ୍ର ପ୍ରବେଶକରି ଦେଖନ୍ତି ତ ସେଠାରେ ତାଙ୍କପରି ଆଉ ଚାରିଜଣ ଇନ୍ଦ୍ର ଆବଦ୍ଧ ହୋଇ ରହିଛନ୍ତି l ସେ ତାଙ୍କୁ ଦେଖି ଆତଙ୍କିତ ହୋଇପଡ଼ିଲେ ଓ ଶଙ୍କରଙ୍କୁ ହାତଯୋଡ଼ି କ୍ଷମା ପ୍ରାର୍ଥନା କଲେ l
ଶିବ କହିଲେ ଏହି ପାଞ୍ଚ ଇନ୍ଦ୍ର, ଏପରି ଅହଂକାରୀ ହୋଇ ଅପରାଧ କରିଥିବାରୁ ଏଠାରେ ବନ୍ଦିହୋଇ ରହିଛନ୍ତି l ତୁମେ ମଧ୍ୟ ତାଙ୍କ ସହ ବନ୍ଦିହୋଇ ଦଣ୍ଡ ଭୋଗ କରିବ l ତୁମେ ମାନେ ମନୁଷ୍ୟ ଯୋନିରେ ଜନ୍ମ ହୋଇ ଓ ସତ୍କର୍ମ କଲେ ଯାଇ ମୁକ୍ତି ପାଇବ l ଶଙ୍କରଙ୍କ କଥାରେ ପଞ୍ଚ ଇନ୍ଦ୍ର ସମ୍ମତ ହେଲେ ଏବଂ ଶଙ୍କର ସେମାନଙ୍କୁ ମୁକ୍ତକରିବାରୁ ସେମାନେ ମାତା କୁନ୍ତୀଙ୍କ ଗର୍ଭରୁ ପଞ୍ଚୁ ପାଣ୍ଡବ ରୁପେ ଜନ୍ମ ହେଲେ l ଇନ୍ଦ୍ରଙ୍କ ସହିତ ଆସିଥିବା, ଯୁବତୀ ଥିଲେ ଇନ୍ଦ୍ରପତ୍ନୀ ଶଚିଦେବୀ l ସେ ଦ୍ରୌପଦୀ ଭାବେ ଜନ୍ମହେଲେ ଓ ପାଣ୍ତବଙ୍କ ପତ୍ନୀ ହେବାକୁ ଯାଉଛନ୍ତି l
ବନ୍ଦୀ ସେହି ପାଞ୍ଚ ଇନ୍ଦ୍ର ଥିଲେ ବିଶ୍ୱଭୂକ, ଭୂତଧାମା ଇନ୍ଦ୍ରଶିବି, ଶାନ୍ତି ଓ ତେଜସୀ l ସେମାନେ ସମସ୍ତେ ଦେବକାର୍ଯ୍ୟ କରି, ମୁକ୍ତି ଲାଭ କରିବେ l ମହର୍ଷିଙ୍କ ମୁଖରୁ ଏହା ଶୁଣି, ଦ୍ରୁପଦଙ୍କ ସମସ୍ତ ଶଙ୍କା ଆଶଙ୍କା ଦୂରହେଲା l ବ୍ୟାସଦେବଙ୍କ ପଦବନ୍ଦନା କରି ମହା ଆଡମ୍ବରରେ ସେ ପୁତ୍ରୀର ବିବାହ ସମ୍ପନ୍ନ କଲେ l
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
Sign in
Sign in
Recover your password.
A password will be e-mailed to you.
Prev Post
Next Post
Comments are closed.