ମନ୍ଦମତି ମହାମାନୀ ଦୁର୍ଯ୍ୟୋଧନ ପାଣ୍ଡଵମାନଙ୍କୁ ବାଟରୁ ସଫା କରି ଦେବା ପାଇଁ ଜତୁଗୃହ ନିର୍ମାଣ କରି ତାଙ୍କୁ ବରୁଣାବନ୍ତକୁ ପଠାଇ ଦେଲା l ଶକୁନି ମାମାଙ୍କ କୁଟିଳବୁଦ୍ଧିରେ ସ୍ଥିର ହୋଇଥାଏ ଗଭୀର ରାତ୍ରିରେ ସେମାନେ ନିଦ୍ରିତ ଥିବା ଅବସ୍ଥାରେ ଜତୁ ଗୃହରେ ଅଗ୍ନି ଲଗାଇ ଦିଆଯିବ l ସମସ୍ତେ ପୋଡ଼ି ହୋଇ ମରିବେ l ଦୁର୍ଯ୍ୟୋଧନ ଏବଂ ଶକୁନିଙ୍କ ଏ ଯୋଜନା ବିଷୟରେ ଜାଣି ପାରି ମହାତ୍ମା ବିଦୁର ଲାକ୍ଷା ଗୃହରୁ ଯମୁନାତୀର ପର୍ଯ୍ୟନ୍ତ ଏକ ସୁଢ଼ଙ୍ଗ ଖୋଳାଇ ଦେଲେ l
ଭୀମ ଜତୁ ଗୃହରେ ନିଆଁ ଲଗାଇ ଦେଇ ସୁଢ଼ଙ୍ଗ ବାଟେ ଚାରିଭାଇ ଓ ମାଆ କୁନ୍ତୀଙ୍କୁ ଧରି ପଳାଇ ଗଲେ l ଜତୁ ଗୃହ ନିର୍ମାଣ କାରୀ ପୁରଞ୍ଜନ ପଣ୍ଡା ସେହି ଘର ଭିତରେ ଶୋଇଥିଲେ l ପ୍ରବଳ ବର୍ଷା ଓ ଵଜ୍ରପାତ ଯୋଗୁଁ ସେଠାରେ ତା’ ପାଞ୍ଚ ପୁଅଙ୍କୁ ସାଥିରେ ନେଇ ଜୟନ୍ତୀ ନାମରେ ଶବରୁଣୀଟିଏ ଆଶ୍ରୟ ନେଇ ଥିଲା l ଏ ଛଅଜଣ ଯାକ ସମସ୍ତେ ପୋଡ଼ିହୋଇ ମଲେ l ରାତି ପାହିବାରୁ ଗୋଟିଏ ଯାଗାରେ ଛଅଟି ପୋଡ଼ା ପିଣ୍ଡ ପଡ଼ିଥିବା ଖବର ପାଇ,ଦୁର୍ଯ୍ୟୋଧନର ଆନନ୍ଦ କହିଲେ ନ ସରେ l ସେ ଭାବିଲା ପାଣ୍ଡଵ ବଅଁଶଟା ଏଇଥର ନିପାତ ହୋଇଗଲା l ଏଥର କଣ୍ଟା ଯାଇଛି l
ଜତୁଗୃହରୁ ରକ୍ଷାପାଇ ଯାଇ ପାଣ୍ଡଵ ଭାଇମାନେ ମାତା କୁନ୍ତୀଙ୍କ ସହ ଏକଚକ୍ର ନଗରରେ ନିବାସ କଲେ l ସେଠାରେ ସେମାନେ ଗୋଟିଏ ବ୍ରାହ୍ମଣଙ୍କ ଘରେ ବାସ କରୁଥାନ୍ତି l ଭିକ୍ଷା ମାଗିଆଣି ମାଆଙ୍କ ନିକଟରେ ଦିଅନ୍ତି l ମା’ କୁନ୍ତୀ ଭିକ୍ଷାନ୍ନକୁ ଫୁଟାଇ ଦେଇ ପୁତ୍ରମାନଙ୍କୁ ଖାଇବାକୁ ଦିଅନ୍ତି l ସେଥିରେ ଅଧେ ଭାଗ ଭୀମଙ୍କର l ଦିନେ ଅନ୍ୟ ଭାଇମାନେ ଭିକ୍ଷାପାଇଁ ଯାଇଥାନ୍ତି l ଘରେ ଥାନ୍ତି, ମାଆ କୁନ୍ତୀ ଓ ଭୀମ l ହଠାତ ଆଶ୍ରୟ ଦାତା ବ୍ରାହ୍ମଣଙ୍କ ଘରୁ କ୍ରନ୍ଦନରୋଳ ଶୁଣାଗଲା l କୁନ୍ତୀ ଭୀମଙ୍କୁ ଡକାଇ କହିଲେ, ବାବୁରେ ! ବ୍ରାହ୍ମଣଙ୍କ ଘରେ ବୋଧହୁଏ କିଛି ବିପଦପଡ଼ିଛି l ଆହା ବିଚରା କେତେ ସେବା ଶୁଶ୍ରୁଷା କରିଛନ୍ତି ଆମର l ଭୀମ କହିଲେ, ମାଆ ତୁମେ ଯାଇ ଅନୁସନ୍ଧାନ କର ଆମର ସାଧ୍ୟ ମତେ ତାଙ୍କୁ ଆମେ ସାହାଯ୍ୟ କରିବା l
କୁନ୍ତୀ ଯାଇ ବ୍ରାହ୍ମଣଙ୍କ ଘରେ ଦେଖିଲେ, ବ୍ରାହ୍ମଣ ତାଙ୍କ ପତ୍ନୀଙ୍କୁ କହୁଛନ୍ତି,ତୁମେ ମୋ ପ୍ରାଣପ୍ରୀୟା, ତୁମକୁ ମୁଁ ବଳି ପାଇଁ ପଠାଇ ପାରିବି ନାହିଁ l ସ୍ତ୍ରୀ ସ୍ୱାମୀଙ୍କୁ କହୁଛନ୍ତି, ତୁମେ ଆମ ସଂସାର ପାଳନ କର୍ତ୍ତା ତୁମକୁ ମୁଁ ଛାଡ଼ିବି କେମିତି? ପିତା ମାତାଙ୍କ କଥାଶୁଣି ତାଙ୍କ କନ୍ୟା କହିଲା ମୁଁ ତ ପରଘରକୁ ଯିବା ଲୋକ ତୁମେ କାହିଁକି ଚିନ୍ତା କରୁଛ ମୋତେ ଛାଡ଼ l ପିଲାଟାକୁ ବାପାମାଆ କେମିତି ଛାଡ଼ନ୍ତେ l ଶେଷରେ ତାଙ୍କର ଛୋଟପୁଅଟି କହିଲା, ମୋତେ ଛାଡୁ ନା, ମୁଁ ସେ ରାକ୍ଷସଟାକୁ ବାଡ଼େଇ ବାଡ଼େଇ ମାରି ପକାଇବି l କୁନ୍ତୀ କିଛି ବୁଝି ପାରୁ ନ ଥାନ୍ତି l ସେ ବ୍ରାହ୍ମଣୀଙ୍କୁ ପଚାରିଲେ,” ଭଉଣୀ ତୁମର କି ବିପତ୍ତି ପଡ଼ିଛି କୁହ, ଆମେ ଯଥା ଶକ୍ତି ସାହାଯ୍ୟ କରିବୁ “l ବ୍ରାହ୍ମଣୀ କହିଲେ, ହଁ ଭଉଣୀ, ଆମର ଜଣେ ରାଜା ଥିଲେ ସେ ଖୁବ ଦୁର୍ବଳ l ଏକଚକ୍ର ନଗର ପାର୍ଶ୍ଵ ଗୁମ୍ଫାରେ ଏକ ରାକ୍ଷସ ବାସକରୁଛି l ନାଆଁ ତାର ବକାସୁର l ସେ ଗ୍ରାମ ଭିତରେ ପଶି ମନୁଷ୍ୟ ମାନଙ୍କୁ ମାରି ଖାଇ ଯାଉଥିଲା l ଦୁର୍ବଳ ରାଜା କିଛି ପ୍ରତିକାର କରି ନପାରି ରାଜ୍ୟ ତ୍ୟାଗ କରି ଚାଲିଗଲେ l ଆମେ ଉପାୟନପାଇ ରାକ୍ଷସ ସଙ୍ଗେ ଚୁକ୍ତି କରିଛୁ,” ତୁମେ ଆଉ ଆମ ମାନଙ୍କୁ ଧରି ଖାଆ ନାହିଁ, ଆମେ ପାଳି କରି, ତୁମ ପାଇଁ ଶଗଡ଼େ ଖାଦ୍ୟ ଏବଂ କୌଣସି ଏକ ପରିବାରରୁ ଜଣେ ମନୁଷ୍ୟ ପଠାଇବୁ,ଏହା ତୁମର ସପ୍ତାହକ ପାଇଁ ଖାଦ୍ୟ ରହିବ l ସେ ଚୁକ୍ତି ଅନୁସାରେ ଆଜି ଆମର ପାଳି l ତା ପାଖକୁ କିଏ ଯିବ ସେଥିପାଇଁ ଆମର ଭାଳେଣି ପଡ଼ିଛି” l
କୁନ୍ତୀ କହିଲେ,” ତୁମେ ଚିନ୍ତା କର ନାହିଁ, ମୋର ପାଞ୍ଚ ପୁତ୍ର ଅଛନ୍ତି,ତାଙ୍କ ଭିତରୁ କାହାକୁ ଶଗଡ଼େ ଖାଦ୍ୟ ସହ ମୁଁ ପଠାଉଛି l ତୁମେ ଆମର ଆଶ୍ରୟ ଦାତା l ଏଣୁ ତୁମ ପାଇଁ, ଆମେ ଏତକ କରିବୁ l ବ୍ରାହ୍ମଣ କହିଲେ,ହେ ଦେବୀ,ଶରଣାଗତକୁ ରକ୍ଷା କରିବା ଆମର କର୍ତ୍ତବ୍ୟ l ଏପରି କଦାପି ହୋଇ ପାରିବ ନାହିଁ l କୁନ୍ତୀ କହିଲେ, ସେ ପାଇଁ ତୁମେ ବ୍ୟସ୍ତ ହୁଅ ନାହିଁ, ମୋର ଜଣେ ପୁତ୍ର ଅଛି ମହା ବଳଶାଳୀ, ସେ ମନ୍ତ୍ର ସିଦ୍ଧ l ତାକୁ ଅସୁର କେବେ ମାରି ପାରିବନାହିଁ, ବରଂ ତା ଦ୍ୱାରା ନିହତହେବ l ତୁମେ ଏକଥା କାହା ଆଗରେ ପ୍ରକାଶ କରନାହିଁ, ନିଶ୍ଚିନ୍ତରେ ରୁହ l ବହୁ ବାଧ୍ୟରେ ବ୍ରାହ୍ମଣ ଏଥିରେ ରାଜି ହୋଇଗଲେ l
କୁନ୍ତୀ ଆସି, ପୁତ୍ର ଭୀମକୁ ଏହା କହିଲେ l ତାହା ଶୁଣି ଭୀମଙ୍କ ଆନନ୍ଦ କହିଲେ ନସରେ l ଏକରେ ପ୍ରଚୁର ଖାଦ୍ୟ ମିଳିବ,ଦ୍ୱିତୀୟରେ ରାକ୍ଷସକୁ ମାରି ଦେଲେ ବ୍ରାହ୍ମଣ ତଥା ଲୋକ ମାନଙ୍କର ଉପକାର ହେବ l ଯୁଧିଷ୍ଠିର ଭିକ୍ଷାରୁ ଫେରି ଆସି ଏହା ଶୁଣି କହିଲେ, ମାଆ ! ତୁମର ମତି ଭ୍ରମ ହୋଇଛି ନାଁ କ’ଣ ! ଭୀମ ବାହୁ ବଳକୁ ଆଶ୍ରାକରି ଆମେ ବଞ୍ଚି ରହିଛେ l ତାକୁ ରାକ୍ଷସ ମୁହଁକୁ ପଠାଇ ଦେବାକୁ ଚାହୁଁଛ କିପରି !! ଭୀମ ବଳ ତ କୁଇନ୍ତାକୁ ଜଣା l ତେଣୁ କୁନ୍ତୀ କହିଲେ,ବାପ ! ତୁମେ ଭୀମର ବଳ ବିଷୟରେ କୌଣସି ସନ୍ଦେହ କର ନାହିଁ l ନିଶ୍ଚୟ ସେ ରାକ୍ଷସକୁ ମାରି ବ୍ରାହ୍ମଣଙ୍କ ଉପକାର କରିବ l ଏକଚକ୍ର ନଗରର ଦୁଃଖ ଚିର ଦିନ ପାଇଁ ସମାପ୍ତ ହୋଇଯିବ l ମାଆଙ୍କ ପାଖରୁ ଏପରି ବଚନ ଶୁଣି ଯୁଧିଷ୍ଠିର ରାଜି ହୋଇଗଲେ l
ପରଦିନ ଭୀମ ଶକଟଭରା ଖାଦ୍ୟ ଧରି ବକାସୁର ରହୁଥିବା ସ୍ଥାନକୁ ଯାତ୍ରା କଲେ l ରାସ୍ତାରେ ଭୀମ ସବୁ ଭୋଜ୍ୟ ସାମଗ୍ରୀକୁ ଖାଇ ଖାଇ ଯାଉଥାନ୍ତି l ବକାସୁର ପାଖରେ ପହଞ୍ଚି ସେ ଯୋରରେ ଡାକ ପକାଇଲେ l ବକାସୁର ଆସି ପହଞ୍ଚିଲା l ଭୀମ ତା’ ଖାଦ୍ୟ ସବୁ ଖାଇଯାଉଥିବା ଦେଖି ରାଗରେ ଜଳି ଉଠି କହିଲା,” ରହ,ଏହି କ୍ଷଣି ମୁଁ ତୋତେ ଯମାଳୟକୁ ପଠାଇ ଦେଉଛି “l ଭୀମ ଅସୁରର କଥାକୁ କର୍ଣ୍ଣପାତ ନକରି ସେହିଭଳି ଖାଇବାରେ ଲାଗିଥାନ୍ତି l ଅସୁର ଗୋଟିଏ ବୃକ୍ଷ ଉପାଡ଼ି ଆଣି ଭୀମକୁ ପ୍ରହାର କଲା l ଭୀମ ଗଛଟାକୁ ହାତରେ ଆରାମରେ ଆଡ଼େଇ ଦେଇ ଖାଇବାକୁ ଲାଗିଲେ l ସବୁ ଖାଦ୍ୟତକ ଖାଇସାରି ସେ ରାକ୍ଷସ ଉପରକୁ କୁଦି ପଡ଼ିଲେ l ଦୁହିଁଙ୍କ ମଧ୍ୟରେ ଘୋର ଯୁଦ୍ଧ ଲାଗି ଗଲା l ଭୀଷଣ ରଡ଼ିଛାଡ଼ି ଦୁହେଁ ପରସ୍ପରକୁ ମୁଥ ଘାତ କରି ଭୂମିରେ ପଡ଼ି ଗଡ଼ା ପଡ଼ା ହେଉଥାନ୍ତି l ଭୀମଙ୍କ ପ୍ରବଳ ଆଘାତରେ ବକାସୁର ବଳହୀନ ହୋଇ ପଡ଼ିଲା l ଭୀମ ଅସୁରକୁ ଜଙ୍ଘତଳେ ମାଡ଼ି ବସି ତାର ବେକକୁ ମୋଡ଼ି ଧରିଲେ l ଘୋର ରଡ଼ି କରି ବକାସୁର ଆଁ କରି ଟଳି ପଡ଼ିଲା l
ଭୀମ ବକାସୁରର ବିରାଟ ମୃତପିଣ୍ଡଟିକୁ ଘୋଷାଡ଼ି ଘୋଷାଡ଼ି ଆଣି ଏକଚକ୍ର ନଗର ନିକଟରେ ଫିଙ୍ଗି ଦେଇ ସ୍ନାନ ଶୌଚ ହୋଇ ଯାଇ ବ୍ରାହ୍ମଣଙ୍କ ଘରେ ପହଞ୍ଚି ସମସ୍ତକଥା କହିଲେ l ପର୍ବତାକାର ଅସୁର ମୃତ ଶରୀରଟାକୁ ଦେଖିବା ପାଇଁ ଏକଚକ୍ର ନଗର ଲୋକମାନେ ଯାଇ ଗହଳି ଲଗାଇ କଥା ହେଲେ, ଏ ଭୟଙ୍କର ରାକ୍ଷସଟାକୁ କିଏ ମାରିଲା l ବ୍ରାହ୍ମଣ ଘର ପାଳି ଥିଲା ତେଣୁ ସେମାନେ ସମସ୍ତେ ତାଙ୍କୁ ଯାଇ ପଚାରିଲେ l ବ୍ରାହ୍ମଣ କହିଲେ, ଜଣେ ଦିବ୍ୟ ମନ୍ତ୍ରସିଦ୍ଧପୁରୁଷ ଆସି ତାକୁ ମାରିଛି l ନଗରବାସୀ ମାନେ ସ୍ଥିର କଲେ,ତାହେଲେ ଚାଲ ଆମେ ସେହି ପୁରୁଷଙ୍କୁ ସମ୍ବର୍ଦ୍ଧନା କରିବା l
ମାତା କୁନ୍ତୀ ଓ ପାଣ୍ଡଵ ଭାଇମାନେ ଏହା ଜାଣିବା ପରେ ଭାବିଲେ ଏଠାରେ ରହିବା ଆମର ଏଣିକି ଆଉ ନିରାପଦ ହେବନାହିଁ l ଏକେତ ଆମେ ଏଠି ଦୁର୍ଯ୍ୟୋଧନର ଅଜ୍ଞାତରେ ବାସ କରୁଛୁ, ଦୁଇରେ ବକାସୁର ନିଧନ କଥା ଚାରିଆଡ଼େ ପ୍ରଘଟ ହୋଇ ଗଲାଣି l ଦୁର୍ଯ୍ୟୋଧନ ନିଶ୍ଚୟ ଧରି ନେବ,ଏ କର୍ମ ଭୀମର ବୋଲି l ଏପରି ଚିନ୍ତାକରି ସେମାନେ ତା’ ପରଦିନ ପ୍ରଭାତରୁ ବ୍ରାହ୍ମଣଙ୍କଠାରୁ ବିଦାୟ ନେଇ ଅରଣ୍ୟକୁ ଚାଲିଗଲେ l ଅରଣ୍ୟ ନିବାସ କାଳରେ ଦିନେ ମହର୍ଷି ବ୍ୟାସଦେବ ଆସି ପହଞ୍ଚିଲେ l ସେ ପାଣ୍ଡଵମାନଙ୍କୁ କହିଲେ,ପାଞ୍ଚାଳ ନରେଶଙ୍କ ପୁତ୍ରୀ ଦ୍ରୌପଦୀଙ୍କ ସ୍ଵୟଂବର ହେଉଛି l ପାଞ୍ଚାଳନନ୍ଦିନୀ ତୁମ ପାଇଁ ଵିଧିନିର୍ଦ୍ଦିଷ୍ଟ l ତୁମେମାନେ ଯାଇ ସେହି ସ୍ଵୟଂବର ସଭାରେ ଯୋଗଦିଅ l ବ୍ୟାସଦେବଙ୍କ ଉପଦେଶାନୁସାରେ ସେମାନେ ସମସ୍ତେ ପାଞ୍ଚାଳ ଅଭିମୁଖେ ଯାତ୍ରା ଆରମ୍ଭ କରିଦେଲେ l
ଏପଟେ ବ୍ରାହ୍ମଣଙ୍କ ଆତିଥ୍ୟତା ଫଳରେ ବକାସୁର ବଧ ସମ୍ଭବ ହେଲା ଏବଂ ଚିରକାଳ ପାଇଁ ତାଙ୍କର କଷଣ ଦୂର ହୋଇ ଥିବାରୁ ଲୋକମାନେ ଅତ୍ୟନ୍ତ ଆନନ୍ଦିତ ହୋଇ ଏକଚକ୍ର ନଗରରେ ସେ ଭିକ୍ଷୁକ ବ୍ରାହ୍ମଣଙ୍କୁ ରାଜା କରାଇଲେ l ବ୍ରାହ୍ମଣଙ୍କର ନାମ ଥିଲା ବେଦଶ୍ରବା l ଶାରଳା ମହାଭାରତ ବର୍ଣ୍ଣନା ଅନୁସାରେ :-
ସମସ୍ତ ଲୋକେ ଭିକ୍ଷୁକ ପାଦ କଲେ ପୂଜା l
ଏକଚକ୍ରନଗ୍ରେ ବେଦଶ୍ରବା ହେଲେ ରାଜା ll
ବଦନ୍ତୀ ଅଗସ୍ତୀ ଦେଖ ମନୁ ନରନାଥ l
ମହତ ଆଶ୍ରିତ ପ୍ରାଣୀ ହୁଅନ୍ତି ଏମନ୍ତ ll
🙏🙏🙏
ଅର୍ଜୁନୀ
————
ମୋ -୭୬୯୩୦୯୧୯୭୧
Sign in
Sign in
Recover your password.
A password will be e-mailed to you.
Next Post
Comments are closed.