ଯଜ୍ଞ ନୃସିଂହଙ୍କୁ ପ୍ରତିଷ୍ଠା କରି, ମହାରାଜ ଇନ୍ଦ୍ରଦ୍ୟୁମ୍ନ ଯଜ୍ଞ ବେଦୀରେ ଆରମ୍ଭ କରିଥାନ୍ତି ଅଶ୍ଵମେଧ ଯଜ୍ଞ l ଯଜ୍ଞ ସମାପ୍ତହେବାକୁ ଆଉମାତ୍ର ଗୋଟିଏ ଦିନ ବାକି ଅଛି,ମହାପ୍ରଭୁଙ୍କ ପ୍ରକାଶ ସମୟ ଉପଗତ l ପରମ ଉତ୍କଣ୍ଠାରସହ ରାଜା ଶୋଇଛନ୍ତି l ଅପୂର୍ବ ଏକ ସ୍ବପ୍ନ ଦେଖିଲେ ମହାରାଜ “ନୀଳସମୁଦ୍ର ବୁକୁରେ ଭାସୁଛି ଏକ ମହାଦାରୁ, ଆଉ ଗୁରୁ ଗମ୍ଭୀର ସ୍ବରରେ ଶୁଭୁଛି ‘ହେ ରାଜନ୍ ! ତୁମେ ବିଚଳିତ ନହୋଇ ମୋର ବ୍ରହ୍ମ ସ୍ୱରୂପ ଦାରୁଙ୍କୁ ଯଜ୍ଞବେଦୀକୁ ଘେନିଆସ, ସେଠାରେ ସ୍ୱୟଂ ବିଶ୍ୱକର୍ମା ଆସି ନିର୍ମାଣ କରିବେ, ମୋର ନିଜ ସ୍ୱରୂପକୁ’ l ମହାରାଜଙ୍କ ନିଦ୍ରା ଭାଙ୍ଗିଗଲା l ପ୍ରଭାତ ହୋଇ ଯାଇଥାଏ l ସ୍ନାନ, ଶୌଚ ଶେଷ କରି ରାଜା ଧାଇଁଲେ ଯଜ୍ଞବେଦୀ ନିକଟକୁ ପୂର୍ଣ୍ଣାହୁତି ପାଇଁ l ମହୋଦଧି ତଟକୁ ରାଜା ସୈନ୍ୟ ସାମନ୍ତଙ୍କୁ ପଠାଇ ଦେଲେ ସେହି ମହାଦାରୁ ଅନ୍ୱେଷଣ ପାଇଁ l ସତକୁ ସତ ସୈନ୍ୟ ମାନଙ୍କୁ ଦୃଶ୍ୟମାନ ହେଲା ଏକ ଦିବ୍ୟ ଲକ୍ଷଣ ଯୁକ୍ତ ମହାଦାରୁ ମହୋଦଧି ବକ୍ଷରେ l ମହା ଉତ୍ସବସହ ରାଜା ପବିତ୍ର ଦାରୁଙ୍କୁ ଆଣି ମହାବେଦୀ ଉପରେ ସ୍ଥାପନ କଲେ l ଅନେକ ଶିଳ୍ପୀ, ମହାରଣା ଆସିଲେ ସେହି ଦାରୁରେ ବିଗ୍ରହନିର୍ମାଣ କରିଦେବା ପାଇଁ l ମାତ୍ର ସମସ୍ତେ ବିଫଳ ହେଲେ l ସେମାନେ ଦିଅଁ ଗଢିବେ କଅଣ ସାମାନ୍ୟ ବକଳଟିଏ ବି ଦାରୁ ଦେହରୁ ଛଡ଼ାଇ ପାରିଲେ ନାହିଁ l ରାଜା ଇନ୍ଦ୍ରଦ୍ୟୁମ୍ନ ଚିନ୍ତିତ ହୋଇ ପଡ଼ିଲେ, କଅଣ ଆଉ ବିଗ୍ରହ ଗଢ଼ା ହୋଇ ପାରିବ ନାହିଁ !!!
ଠିକ୍ ଏହି ସମୟରେ ଜଣେ ବୃଦ୍ଧ ବର୍ଦ୍ଧକୀ କୁଆଡ଼ୁ ଆସି ପହଂଚିଲେ l ପାକୁଆ ପାଟି, ଠୁକୁଠୁକୁ ଚାଲି, ହାତ ଗୋଡ଼ ଥରୁଛି l ନିଜର ପରିଚୟ ଦେଇ ବୃଦ୍ଧ ଥଙ୍ଗଥଙ୍ଗ ହୋଇ କହିଲେ,’ ମୁଁ, ଅନନ୍ତ ମହାରଣା l ମୋତେ ଟିକିଏ ସୁଯୋଗ ଦିଆଯାଉ, ମୁଁ ଏ ଦାରୁରୁ ଦିଅଁ ଗଢିଦେବି’ l
ସମସ୍ତେ ଆଶ୍ଚର୍ଯ୍ୟ, ଆରେ କେତେ କେତେ ଲୋକ ଥକି ଗଲେଣି ଏ ବୁଢ଼ାଟା କହୁଛି ଦିଅଁ ଗଢ଼ିଦେବ l ଏମିତି କଥାବାର୍ତ୍ତା ଚାଲିଥିଲା ବେଳେ ବୃଦ୍ଧ ବର୍ଦ୍ଧକୀ ନିଜର ବୃଦ୍ଧାଙ୍ଗୁଳି ନଖରେ, ଦାରୁକୁ ଟିକିଏ ଆଞ୍ଚୁଡ଼ି ଦେବାରୁ ଦାରୁରୁ ବକଳ ଛାଡ଼ିଗଲା l ରାଜାଙ୍କ ସ୍ଵପ୍ନ କଥା ସ୍ମରଣ ହେଲା, ହଁ ପ୍ରଭୁ ତ କହିଥିଲେ, ଜଣେ ବୃଦ୍ଧବର୍ଦ୍ଧକୀ ଆସି ପହଞ୍ଚିବ ଦିଅଁ ଗଢ଼ିଦେବା ପାଇଁ l ରାଜାଙ୍କ ବିଶ୍ୱାସ ହେଲା l ସେହି ବୃଦ୍ଧଙ୍କୁ ମହାରଣା ରୂପେ ବରଣ କଲେ ମହାରାଜା l
ଅନନ୍ତ ମହାରଣା ଏକ ବିଚିତ୍ର ସର୍ତ୍ତ ରଖି କହିଲେ, “ହେ ରାଜା ! ମୁଁ ଏକୋଇଶି ଦିନ ଯାଏ, ଗୋଟିଏ ନିବୁଜ କୋଠରୀରେ ରହି, ମୂର୍ତ୍ତୀ ନିର୍ମାଣ କରିବି l କୌଣସି ଖାଦ୍ୟ କି ପାନୀୟ ଗ୍ରହଣ କରିବି ନାହିଁ l ଆପଣ କୋଠରୀ ଚାରି ପଟରେ ସୈନ୍ୟ ମୁତୟନ କରନ୍ତୁ, ଯେପରି କେହି ଭିତରକୁ ପ୍ରବେଶ କରିବେ ନାହିଁ l କୌଣସି ସ୍ଥିତିରେ ଏକୋଇଶି ଦିନ ପୂର୍ବରୁ ତୁମେ କବାଟ ଖୋଲିବ ନାହିଁ l
ସେଇଆ ହେଲା l ନିବୁଜ କୋଠରୀ ମଧ୍ୟରେ ବୃଦ୍ଧ ବର୍ଦ୍ଧଳୀ, ମୂର୍ତ୍ତୀ ନିର୍ମାଣ ଆରମ୍ଭ କଲେ l ତାଙ୍କ ଠକ୍ ଠକ୍ ଶବ୍ଦରୁ କାମ ଚାଲିଛି ବୋଲି ଜଣା ପଡୁଥାଏ l ପ୍ରତିଦିନ ମହାରାଣୀ ଗୁଣ୍ଡିଚା ସେହି ଠକ ଠକ ଶବ୍ଦ ଶୁଣି ଆଶ୍ୱସ୍ତ ହେଉଥାନ୍ତି l ଏପରି ପନ୍ଦରଦିନ ଗଲା l ଷୋହଳ ଦିନ ବେଳକୁ ଆଉ ସେହି ଶବ୍ଦ ଶୁଣାଗଲା ନାହିଁ l ସମସ୍ତଙ୍କର ଆଶଙ୍କା ହେଲା ବୁଢ଼ା ବଢ଼େଇର ଆଉ କଅଣ କିଛି ହୋଇ ଗଲା କି ? ରାଣୀ ଗୁଣ୍ଡିଚା ଆଉ ଧୈର୍ଯ୍ୟଧରି ରହିପାରିଲେ ନାହିଁ, ମହାରାଜାଙ୍କ ପାଖରେ ଜିଗରକଲେ, ବୁଢ଼ାବଢେଇ ଆଉ ବୋଧେ ନାହିଁ l କବାଟ ଫିଟାଇଦିଅ l ଅବୁଝା ରଣୀଙ୍କୁ ଆଉ ରାଜା କେତେ ବୁଝାଇବେ, ଶେଷରେ ବାଧ୍ୟ ହେଲେ କବାଟ ଫିଟାଇବାକୁ l
କବାଟଫିଟାଇ ଦେଖନ୍ତି, ଅନନ୍ତ ମହାରଣା କୁଆଡ଼େ ଅନ୍ତର୍ଦ୍ଧାନ,ଥୁଆ ହୋଇଛନ୍ତି ଅଧାଗଢ଼ା ଅପୁର୍ବ ବିଗ୍ରହ ତିନୋଟି ଏବଂ ପାଖରେ ସ୍ତମ୍ଭ ଗୋଟିଏ l ସେହି ବୃଦ୍ଧ ବର୍ଦ୍ଧକୀ ଅନନ୍ତ ମହାରଣା ଆଉକେହି ନଥିଲେ, ସେ ଥିଲେ ସ୍ଵୟଂ ବିଶ୍ଵକର୍ମା l ପ୍ରଭୁ ତାଙ୍କୁ ପଠାଇ ନିଜର ରହସ୍ୟମୟ ଦାରୁ ବିଗ୍ରହ, ନିଜେ ଗଢ଼ାଇ ଦେଲେ l ଓଃ! କି ରୂପ ସିଏ l ସମସ୍ତ ଅପୂର୍ଣ୍ଣତା ମଧ୍ୟରେ ସିଏ ସମ୍ପୂର୍ଣ୍ଣ l ସେ ପୂର୍ଣ୍ଣ ବ୍ରହ୍ମ, ନିର୍ଗୁଣ, ନିରାକାର l
ଦାରୁବ୍ରହ୍ମ ନିରାକାରଂ ନିର୍ଗୁଣଂ ନିର୍ବିକାରକମ୍ l ନିଶ୍ଚେଷ୍ଟଂସର୍ବତ୍ତୋବ୍ୟାପ୍ତଂ ଭାବାଭାବ ବିରାର୍ଜିତମ୍ ll
!!! ଜୟ ଜଗନ୍ନାଥ !!!
🙏🙏🙏
ଅର୍ଜୁନୀ
—————-
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
Sign in
Sign in
Recover your password.
A password will be e-mailed to you.
Next Post
Comments are closed.