ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ମାଲଗୋଦାମରେ ଯୋଗାଣ ବିଭାଗର ଚଢ଼ାଉ

କଟକ (ବିବି ନିୟୁଜ ବ୍ୟୁରୋ): ସମ୍ପ୍ରତି ରାଜ୍ୟରେ ବଜାର ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯୋଗାଣ ବିଭାଗର ଚଢ଼ାଉ ଆରମ୍ଭ ହୋଇଛି । ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ଓ ସଚିବଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ଯୋଗାଣ ସ୍କ୍ୱାର୍ଡ଼ ଆଜି କଟକର ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ ଆରମ୍ଭ କରିଛି । ବିଶେଷ କରି କଟକର ମୁଖ୍ୟ ବ୍ୟବସାୟିକ ସ୍ଥଳ ମାଲଗୋଦାମରେ ଥିବା ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଗୋଦାମ ସହ ଖୁଚୁରା ବିକ୍ରୟକାରୀ ଦୋକାନରେ ଚଢ଼ାଉ ହୋଇଥିଲା । ବିଶେଷ କରି ମାଲଗୋଦାମ ଅଞ୍ଚଳର ଦେବୀ ଭଣ୍ଡାର, ଶ୍ରୀ ଚନ୍ଦନ ଷ୍ଟୋର, ସନ୍ତୋଷୀ ମା’ ଭଣ୍ଡାର, ଗିରିଧାରୀ ଷ୍ଟୋର ଭଳି ଗୋଦାମରେ ଅଟା, ସୁଜି, ଡାଲି, ବେଶନ, ମଇଦା, ଚିନି ଆଦି ଅତ୍ୟାବଶ୍ୟକୀୟ ସମଗ୍ରୀର ଷ୍ଟକ ଏବଂ କ୍ରୟ-ବିକ୍ରୟ ମୂଲ୍ୟ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସାମୟରେ କେତେକ ବ୍ୟବସାୟୀ ସଠିକ ଭାବେ ଖାଦ୍ୟ ସାମଗ୍ରୀର ହିସାବ ନରଖିବାର ଦେଖିବାକୁ ମିଳିଥିଲା । ଫଳରେ ସ୍କାର୍ଡ଼ ଟିମ ପକ୍ଷରୁ ସେମାନଙ୍କୁ ତୁରନ୍ତ ସବିଶେଷ ବିବରଣୀ ବିଭାଗ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ହୋଲସେଲ ଦୋକାନରେ ଆବଶ୍ୟକ ମୁତାବକ ଷ୍ଟକ ରହିଥିବାବେଳେ କେତେକ ଦୋକାନୀ କିଛି ସାମଗ୍ରୀକୁ ଚଢ଼ା ଦରରେ ବିକ୍ରୟ କରାଯାଉଥିବା ଦେଖିବାକୁ ମିଳିଥିଲା । ତେବେ ଏଗୁଡ଼ିକୁ ପରବର୍ତ୍ତୀ ସମୟରେ ବିପ୍ପଣୀ ଗୁପ୍ତ ବାର୍ତ୍ତା ନିରିକ୍ଷୀକାଙ୍କ ଦ୍ୱାରା ତଦନ୍ତ କରାଯିବା ପାଇଁ ସ୍କ୍ୱାର୍ଡ଼ ପକ୍ଷରୁ ସୁପାରିଶ କରାଯାଇଥିବା ଜଣାପଡ଼ିଛି । ପୁନଶ୍ଚ ଯୋଗାଣ ବିଭାଗ ସ୍କ୍ୱାର୍ଡ଼ ମାଲଗୋଦାମର ଚାମ୍ବର ଅଫ କମର୍ସ ସହ ଯୋଗାଯୋଗ କରି ତାଙ୍କୁ ପ୍ରତିଦିନର ଖାଦ୍ୟ ସାମଗ୍ରୀର ଷ୍ଟକ ସହ ମୂଲ୍ୟ ସମ୍ପର୍କରେ ଯୋଗାଣ ବିଭାଗକୁ ଜଣାଇବା ପାଇଁ ପରାମର୍ଶ ଦିଆଯାଇଛି । ଏହି ଚଢ଼ାଉରେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ମାନସ ରଞ୍ଜନ ମହାପାତ୍ର, ଅତିରକ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ର, ଯୋଗାଣ ନିରୀକ୍ଷିକା ନସିମା ବେଗମ, ଯୋଗାଣ ନିରୀକ୍ଷକ କେଦାନନାଥ ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ । ଏଭଳି ଚଢ଼ାଉ ନିୟମିତ କରାଯିବାକୁ ଥିବାବେଳେ ଆଗାମୀ ଦିନରେ ଅଭିଯୋଗ ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର କହିଛନ୍ତି ।

Comments are closed.