ଢାବାମାଲିକଙ୍କୁ ଗୁଳି କରି ହତ୍ୟା

କୋଇଡ଼ା : ପୂର୍ବଶତ୍ରୁତାକୁ କେନ୍ଦ୍ରକରି ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ଚୋରମାଲଦା ଗ୍ରାମରେ ଜଣେ ଢାବାମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଗୁଳିମାଡ଼ରେ ଜଣେ ଢାବା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
କୋଇଡ଼ା ବ୍ଲକ ଅନ୍ତର୍ଗତ ମାଲଦା ପଞ୍ଚାୟତ ଚୋରମାଲଦା ଗ୍ରାମର ଢାବା ମାଲିକ ରମେଶ ଚାତମ୍ବ (୨୭) ଓ କର୍ମଚାରୀ ରାମ ପୂର୍ତ୍ତି (୨୩) ଢାବାରେ ଥିବା ବେଳେ ରାତି ୮ଟାରେ ୨ଜଣ ଯୁବକ ଏକ ବାଇକରେ ସେଠାରେ ପହଞ୍ଚିଥିଲେ। ସେମାନେ ମିଲ୍‌ ଅଛି କି ବୋଲି ପଚାରିବାରୁ ରମେଶ ମନା କରିଥିଲେ। ହଠାତ୍‌ ଦୁଇ ଯୁବକ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ରମେଶଙ୍କ ମୃତ୍ୟୁ ଘଟିଥିବା ବେଳେ ରାମ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଯୋଡ଼ା ଡାକ୍ତରଖାନା ନିଆଯାଇଥିଲା, ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ମେଡିକାଲକୁ ପଠାଯାଇଥିଲା। ପୂର୍ବଶତ୍ରୁତାକୁ ନେଇ ଏହି ଗୁଳିମାଡ଼ ହୋଇଥିବା ଏଠାରେ ଆଲୋଚନା ହେଉଛି। ପୁଲିସ ପହଞ୍ଚି ଶବ ଜବତ କରିବା ସହ ଫେରାର ଦୁଇ ଦୁର୍ବୃତ୍ତଙ୍କ ସନ୍ଧାନ ଜାରି ରଖିଛି।

Comments are closed.