‘ଆଇରନ୍‌ମ୍ୟାନ୍‌ ରିଲେ ଚାଲେଞ୍ଚ୍‌’ରେ ୯୦ କିଲୋମିଟର୍‌ ସାଇକେଲ୍‌ ଚଳାଇ ରେକର୍ଡ କଲେ ସାଂସଦ ତେଜସ୍ବୀ ସୂର୍ଯ୍ୟ

ନୂଆଦିଲ୍ଲୀ: ରବିବାର ଦିନ ଗୋଆରେ ୯୦ କିଲୋମିଟର୍‌ ସାଇକେଲ୍‌ ଚଳାଇ ‘ଆଇରନ୍‌ମ୍ୟାନ୍‌ ରିଲେ ଚାଲେଞ୍ଜ୍‌’ ସମ୍ପୂର୍ଣ୍ଣ କରି ବେଙ୍ଗାଲୁରୁ ସାଉଥ୍‌ ନିର୍ବାଚନ ମଣ୍ଡଳୀର ‘ବିଜେପି’ ସାଂସଦ ତେଜସ୍ବୀ ସୂର୍ଯ୍ୟ ରେକର୍ଡ ବୁକ୍ସ୍‌ରେ ସ୍ଥାନିତ ହୋଇଛନ୍ତି। ଏହି ଗୌରବ ଅର୍ଜନ କରିବାରେ ସେ ହେଉଛନ୍ତି ପ୍ରଥମ ସାଂସଦ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌’ ପ୍ରତି ସମର୍ଥନ ଜଣାଇ ସିଭିଲ୍‌ ସର୍ଭାଣ୍ଟ୍‌ ଶ୍ରେୟସ୍‌ ହୋସୁର୍‌ ଏବଂ ଉଦ୍ୟୋଗୀ ଅଙ୍କିତ ଜୈନ୍‌ଙ୍କ ସହିତ ‘ଟିମ୍‌ ନିୟୁ ଇଣ୍ଡିଆ’ର ସଦସ୍ୟ ଭାବେ ସୂର୍ଯ୍ୟ ୭୦.୩ରେ ‘ଆଇରନ୍‌ମ୍ୟାନ୍‌’ ଶେଷ କରିଥିଲେ।

କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସନ୍ତରଣରେ ହୋସୁର୍‌ ପ୍ରଥମେ ୧.୯ କିଲୋମିଟ୍‌ ସନ୍ତରଣ କରିଥିବା ବେଳେ, ଦ୍ବିତୀୟ ପର୍ଯ୍ୟାୟରେ ସୂର୍ଯ୍ୟ ୯୦ କିଲୋମିଟର୍‌ ସାଇକେଲ୍‌ ଚଳାଇଥିଲେ। ସେହିପରି, ଅଙ୍କିତ ଜୈନ୍‌ ମଧ୍ୟ ୨୧.୧ କିଲୋମିଟର୍‌ ‘ହାଫ୍‌ ମାରାଥନ୍‌’ (ଦୌଡ଼) ଶେଷ କରିଥିଲେ।

ସୂର୍ଯ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ନେତୃତ୍ବାଧୀନ ସରକାର କ୍ରୀଡ଼ା ଓ ଫିଟ୍‌ନେସ୍‌ ଉପରେ ଖୁବ୍‌ ଗୁରତ୍ବ ଦେଇଛନ୍ତି। ‘ଆଇରନ୍‌ମ୍ୟାନ୍‌ ୭୦.୩ ଚାଲେଞ୍ଜ୍‌ ହେଉଛି ଆମ ସାମର୍ଥ୍ୟ ପରୀକ୍ଷା କରାଇବାର ଏକ ପ୍ଲାଟ୍‌ଫର୍ମ। ଏହାଛଡ଼ା, ସୁସ୍ବାସ୍ଥ୍ୟ ଓ ଫିଟ୍‌ନେସ୍‌ ବଜାୟ ରଖିବା ପାଇଁ ମଧ୍ୟ ଏହା ଆମକୁ ପ୍ରୋତ୍ସାହିତ କରୁଛି। ଅଧିକରୁ ଅଧିକ ଯୁବା କ୍ରୀଡ଼ା ଓ ଫିଟ୍‌ନେସ୍‌କୁ କ୍ୟାରିୟର୍‌ କରିବା ପାଇଁ ଉତ୍ସାହିତ ହେଉଥିବା ବେଳେ ଏଭଳି କାର୍ଯ୍ୟକ୍ରମ ସେମାନଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ପାଇଁ ‘ପ୍ଲାଟ୍‌ଫର୍ମ’ ଯୋଗାଇ ଦେଉଛି।

ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏହି ‘ଚାଲେଞ୍ଜ୍‌’ର ଶୁଭାରମ୍ଭ କରିଥିଲେ। ଏଥିରେ ୩୩ଟି ଦେଶର ପ୍ରାୟ ୧୫୦୦ ଯୁବକ ଓ ଯୁବତୀ ଅଂଶଗ୍ରହଣ କରିଥିଲେ।

‘ହାଫ୍‌ ଆଇରନ୍‌ମ୍ୟାନ୍‌’ ନାମରେ ଜଣାଶୁଣା ‘ଦି ଆଇରନ୍‌ମ୍ୟାନ୍‌ ୭୦.୩’ କାର୍ଯ୍ୟକ୍ରମ ହେଉଛି ‘ସନ୍ତରଣ, ଦୌଡ଼ ଏବଂ ସାଇକେଲ୍‌ ଚାଳନା’ର ଏକ ‘ଟ୍ରିଆଥ୍‌ଲୋନ୍‌’। ୨୦୧୯ରେ ପ୍ରଥମେ ଏହା ଗୋଆରେ ଆରମ୍ଭ ହୋଇଥିଲା, କିନ୍ତୁ ଭୋଭିଡ୍‌-୧୯ ମହାମାରୀ ବ୍ୟାପିବାରୁ ଗତ ୨ ବର୍ଷ ଧରି ‘ଦି ଆଇରନ୍‌ମ୍ୟାନ୍‌ ୭୦.୩’ ବନ୍ଦ ଥିଲା।

Comments are closed.