ଶୌଚାଳୟ ସମସ୍ୟା: ଏକାମ୍ର କ୍ଷେତ୍ରରେ ପର୍ଯ୍ୟଟକ ହନ୍ତସନ୍ତ

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଚାଲିଥିବାରୁ ସମ୍ପ୍ରତି ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଶୌଚାଳୟ ସମସ୍ୟା ସୁଧୁରିପାରୁନଥିବାରୁ ପର୍ଯ୍ୟଟକମାନେ ବେଶ୍ ହନ୍ତସନ୍ତ ହେଉଛନ୍ତି। ବାଧ୍ୟ ହୋଇ ପର୍ଯ୍ୟଟକମାନେ ରାସ୍ତାକଡ଼ରେ ଶୌଚ ହେଉଛନ୍ତି ଏବଂ ଏଥିପାଇଁ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଏନେଇ ଲୋକମାନେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିବା ପ‌ରେ ବି କିଛି ସୁଫଳ ମିଳିପାରିନାହିଁ। ତେଣୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ସ୍ଥାନୀୟ ଅଧିବାସୀମାନଙ୍କ ଅଭିଯୋଗ ଅନୁସାରେ ପୂର୍ବରୁ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଦୁଇଟି ଶୌଚାଳୟ ଥିଲା। ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ ହେବା ବେଳେ ବିଏମ୍‌ସି ପକ୍ଷରୁ ଏହାକୁ ଭାଙ୍ଗିଦିଆଗଲା। ତେବେ କାମଚଳା ପାଇଁ ଅସ୍ଥାୟୀ ଶୌଚାଳୟ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ଏହା ଭିତରେ ୩ ବର୍ଷ ବିତିଗଲାଣି। ପର୍ଯ୍ୟଟକଙ୍କ ପାଇଁ ଲିଙ୍ଗରାଜ ମାର୍କେଟ ନିକଟରେ ଦୁଇଟି ଶୌଚାଳୟ ରହିଛି। କିନ୍ତୁ ଏହି ଦୁଇ ଶୌଚାଳୟରେ ସବୁବେଳେ ତାଲା ଝୁଲୁଛି। ତେଣୁ ତାହା ଥାଇ ନଥିବା ଭଳି ବୋଲି ଲୋକେ ଅଭିଯୋଗ କରିଛନ୍ତି। ପୂର୍ବରୁ ଥିବା ଇ- ଟିଏଲେଟ୍(ଭ୍ରାମ୍ୟମାଣ ଶୌଚାଳୟ) ଆଉ ଏବେ ନାହିଁ। ଏବେ ବଢ଼େଇବାଙ୍କ ଛକଠାରୁ ନୂଆ ଲିଙ୍ଗରାଜ ମାର୍କେଟ ଓ କେଦାରଗୌରୀ ରାସ୍ତାରେ ପର୍ଯ୍ୟଟକମାନଙ୍କ ଗାଡ଼ି ରହୁଛି। ଏବେ ଦିନକୁ ୫୦ରୁ ଊର୍ଧ୍ବ ତୀର୍ଥ ଯାତ୍ରୀ ବସ୍‌ ଆସୁଥିବା ବେଳେ ପ୍ରାୟ ୧୦୦ରୁ ଊର୍ଧ୍ବ କାର୍‌ ଆସୁଛି। ଏତେ ସଂଖ୍ୟକ ପର୍ଯ୍ୟଟକ ଆସୁଥିବା ବେଳେ ଶୌଚାଳୟ ସୁବିଧା ନଥିବାରୁ ସେମାନେ ବଡ଼ ସମସ୍ୟାରେ ପଡ଼ୁଛନ୍ତି।

ବି‌ଶେଷକରି ମହିଳାମାନେ ବଡ଼ କଲବଲ ଅବସ୍ଥା ଭୋଗୁଛନ୍ତି। ତେଣୁ ସେମାନେ ଅନ୍ୟ ଉପାୟ ନପାଇ ରାସ୍ତାକଡ଼ରେ ଶୌଚ ହେଉଛନ୍ତି। ବେଳେବେଳେ ରାସ୍ତାକଡ଼ରେ ପରିସ୍ରା କରୁଥିବା ଲୋକଙ୍କୁ ସ୍ଥାନୀୟ ଲୋକେ ଗାଳିମନ୍ଦ କରୁଛନ୍ତି। ବିକଳ୍ପ ବ୍ୟବସ୍ଥା ନଥିବାରୁ ରାସ୍ତାକଡ଼ରେ ପରିସ୍ରା କରିବାକୁ ବାଧ୍ୟ ହେଉଥିବା ପର୍ଯ୍ୟଟକମାନେ ଅକାରଣରେ ଗାଳି ଖାଇ ଏକ ତିକ୍ତ ଅନୁଭବ ନେଇ ଫେରୁଛନ୍ତି।

ଏହା କେବଳ ଶ୍ରୀଲିଙ୍ଗରାଜ ମନ୍ଦିରର କଥା ନୁହେଁ। କେଦାରଗୌରୀ, ମୁକ୍ତେଶ୍ବର, ପର୍ଶୁରାମେଶ୍ବର ମନ୍ଦିରକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଏଥିପାଇଁ ସମସ୍ୟା ଭୋଗୁଛନ୍ତି। ସେଠାରେ ଥିବା ଶୌଚାଳୟ ୪ବର୍ଷ ହେବ ଭଙ୍ଗା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିର୍ମାଣ ହୋଇପାରିଲା ନାହିଁ। ସେହିଭଳି ଦେବୀ ପାଦହରା ପୁଷ୍କରିଣୀ ନିକଟରେ ଗୋଟିଏ ମାତ୍ର ଶୌଚାଳୟ ରହିଛି। ଏହା ପର୍ଯ୍ୟଟକ, ବ୍ୟବସାୟୀ ଓ ସେବାୟତମାନଙ୍କ ପାଇଁ ଯଥେଷ୍ଟ ହେଉନାହିଁ।

ସମାଜସେବୀ ମାନେ କହିବା କଥା ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାର ବହୁ ଅର୍ଥ ବିନିଯୋଗ କରୁଛନ୍ତି ବୋଲି ମିଛ ଡିଣ୍ଡିମ ପିଟୁଛନ୍ତି। ଯେଉଁଠି ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟ ଭଳି ମୌଳିକ ସୁବିଧା ନାହିଁ, ସେଠାରେ ଅନ୍ୟ କୌଣସି ବିକାଶର ମାନେ କିଛି ନାହିଁ। ବିଏମ୍‌ସି ତୁରନ୍ତ ଏସବୁ ପର୍ଯ୍ୟଟନସ୍ଥଳରେ ‌ଆବଶ୍ୟକ ସଂଖ୍ୟକ ଶୌଚାଳୟ ନିର୍ମାଣ ନକଲେ, ସେମାନେ ଆନ୍ଦୋଳନ କରିବେ।

Comments are closed.