ଖାଲି ଆଲିଶାନ୍ ଘର ନୁହେଁ, ବର୍ଷକରେ ୨ଟି କମ୍ପାନୀ କରିଛନ୍ତି ଅର୍ଚ୍ଚନା

ଭୁବନେଶ୍ୱର: ପ୍ରତିଷ୍ଠିତ ନେତା, ଅଫିସର, ବ୍ୟବସାୟୀ ଓ ବିତ୍ତଶାଳୀ ବ୍ୟକ୍ତିଙ୍କୁ ହନି ଟ୍ରାପ୍ କରି ଫସାଇବା ସହ ସେମାନଙ୍କଠୁ କୋଟି କୋଟି ଟଙ୍କା ଲୁଟିଥିବା ଅର୍ଚ୍ଚନା ନାଗ ଗତ ବର୍ଷକ ମଧ୍ୟରେ କେବଳ ଗୋଟିଏ ଆଲିଶାନ୍ ଘର ନୁହେଁ ବରଂ ୨ଟି ନୂଆ କମ୍ପାନୀ ବି ଖୋଲିଛନ୍ତି । ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଅର୍ଚ୍ଚନା ନିଜର ଆଲିଶାନ୍ ଘରେ ଏକ ମିନି ବାର୍ ଖୋଲି ସେଠାରେ ଦାମୀ ବ୍ରାଣ୍ଡର ମଦ ମଧ୍ୟ ରଖିଥିବାର ଫଟୋଚିତ୍ର ପଦାକୁ ଆସିଛି । ପୂର୍ବରୁ ତାଙ୍କର ବିଳାସପୂର୍ଣ୍ଣ ଗାଡ଼ି ସହ ଘୋଡ଼ା ଓ ବିଦେଶୀ କୁକୁର ରହିଥିବା ଆଦି ତଥ୍ୟ ପଦାକୁ ଆସିଥିଲା ।

ମିଳିଥିବା ସୂଚନା ଅନୁସାରେ, ପୁଲିସ ଗିରଫ କରିଥିବା ଅର୍ଚ୍ଚନା ନାଗ ଓ ତାଙ୍କ ଫେରାର୍‌ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଭୁବନେଶ୍ୱରର ସତ୍ୟବିହାର ଅଂଚଳରେ ୨୦୨୧ ଜାନୁଆରୀ ମାସରେ ଏକ ଆଲିଶାନ୍ ଘରର ପ୍ରତିଷ୍ଠା ଉତ୍ସବ ପାଳନ କରିଥିଲେ । ତତକାଳୀନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ଫିତା କାଟିଥିବା ଫଟୋଚିତ୍ର ପଦାକୁ ଆସିଛି । କେବଳ ସେତିକି ନୁହେଁ, ଜଗବନ୍ଧୁ ଓ ତାଙ୍କ ପତ୍ନୀ ଅର୍ଚ୍ଚନାଙ୍କ ସହ ବିଜେଡି ବରିଷ୍ଠ ବିଧାୟକ ଶ୍ରୀ ପାତ୍ରଙ୍କ ଘନିଷ୍ଠତା ରହିଥିଲା । ଶ୍ରୀ ପାତ୍ର ବାଚସ୍ପତି ଥିବାବେଳେ ବିଧାନସଭା ବାଚସ୍ପତିଙ୍କ ଚାମ୍ବରକୁ ମଧ୍ୟ ଏହି ପତି-ପତ୍ନୀ ଯାଇଥିବାର ଫଟୋଚିତ୍ର ସୋଶାଲ ମିଡିଆରେ ଘୁରି ବୁଲୁଛି ।

ଅର୍ଚ୍ଚନା ଓ ଜଗବନ୍ଧୁ ଗତ ୩ ମାସ ପୂର୍ବରୁ ଗୋଲଡେନ୍ ଏମ୍ପ୍ରାସ ପ୍ରାଃ ଲିଃ ନାମକ ଏକ କମ୍ପାନୀ ଗଠନ କରିଛନ୍ତି। ଯେଉଁଥିରେ ଉଭୟ ନିର୍ଦ୍ଦେଶକ ଥିବାବେଳେ ଏହା ହୋଟେଲ, ରେଷ୍ଟୁରାଂଟ ଓ ସଟ୍ ଷ୍ଟେ ଭଳି ବ୍ୟବସାୟ କରୁଥିବା ଦର୍ଶାଯାଇଛି । ଏହାସହିତ ଉଭୟ ପତି-ପତ୍ନୀ ଗତବର୍ଷ ଆଦିତ୍ୟ ପ୍ରେଷ୍ଟିଜ୍ ଆଗ୍ରୋ ପ୍ରାଃ ଲିଃ ନାମକ ଏକ କମ୍ପାନୀ ମଧ୍ୟ ଗଠନ କରିଥିଲେ । ଏହି ଦୁଇ କମ୍ପାନୀ ସହିତ ଏବିସି ମୋଟର୍ସ ନାମରେ ଅର୍ଚ୍ଚନାଙ୍କ ଏକ ପୁରୁଣା ଗାଡ଼ି ଶୋ’ର ରୁମ୍ ମଧ୍ୟ ରହିଛି।

Comments are closed.