ଦଶ ମହାବିଦ୍ୟା

ଅର୍ଜୁନୀ ଚରଣ ବେହେରା

ମହାମାୟାଙ୍କ ଉପାସନାରେ ଦଶମହାବିଦ୍ୟା ତତ୍ତ୍ୱ ବହୁତ ଗୁରୁତ୍ୱ ପୂର୍ଣ୍ଣ l ତନ୍ତ୍ର ଶାସ୍ତ୍ର ମାନଙ୍କରେ ଦଶ ମହା ବିଦ୍ୟାଙ୍କ ନାମ, ଭିନ୍ନ ଭିନ୍ନ ଭାବରେ ବର୍ଣ୍ଣିତ ହୋଇଅଛି l ସବୁଠାରୁ ଗ୍ରହଣୀୟ ନାମ, ଚାମୁଣ୍ଡା ତନ୍ତ୍ରରେ ଦେଖାଯାଏ l ଏହି ଚାମୁଣ୍ଡାତନ୍ତ୍ରରେ ଦଶ ମହାବିଦ୍ୟାଙ୍କ ନାମ ଗୋଟିଏ ଶ୍ଳୋକରେ ବର୍ଣ୍ଣିତ ଅଛି l ଶ୍ଲୋକଟି ହେଲା :-
କାଳି ତାରା ମହାବିଦ୍ୟା ଷୋଡ଼ଶୀ ଭୁବନେଶ୍ୱରୀ l
ଭୈରବୀ ଛିନ୍ନମସ୍ତା ଚ ବିଦ୍ୟା ଧୂମାବତୀ ତଥା ll
ବଗଳା ସିଦ୍ଧ ବିଦ୍ୟା ଚ, ମାତଙ୍ଗୀ, କମଳାତ୍ମିକା l
ଏ ତା ଦଶ ମହାବିଦ୍ୟା ସିଦ୍ଧ ବିଦ୍ୟା ପ୍ରକିର୍ତ୍ତିତା ll
ଶ୍ରୀ ଭାଗବତ ମହାପୁରାଣରେ ଦଶ ମହାବିଦ୍ୟାଙ୍କ ଚିତ୍ତାକର୍ଷକ କାହାଣୀ ଅଛି l ମହାସତୀ ପାର୍ବତୀ ଦକ୍ଷଯଜ୍ଞ ଦେଖିବାକୁ ଯିବାପାଇଁ ଶିବଙ୍କ ଅନୁମତି ପ୍ରାର୍ଥନା କଲେ l ମାତ୍ର ଶିବ ନିମନ୍ତ୍ରିତ ହୋଇ ନ ଥିବାରୁ ସେ ସତୀଙ୍କୁ ସେଠିକୁ ଯିବା ଅନୁଚିତ କହି ବାରଣ କଲେ l କିନ୍ତୁ ସତୀ ଯିବା ପାଇଁ ଜିଦ ଧରି ବସିଲେ l ଶଙ୍କର ବିରକ୍ତ ହୋଇ କହିଲେ, ତୁମର ଯାହା ଇଚ୍ଛା ତାହା କର ଅନୁମତିର ଆବଶ୍ୟକତା ନାହିଁ l ଏଥିରେ ସତୀ ଅତୀବ କୃଦ୍ଧିତା ହେଲେ l ଭାବିଲେ ଶିବ ବୋଧହୁଏ ତାଙ୍କର ପ୍ରକୃତ ସ୍ୱରୂପ ଭୁଲି ଯାଇଛନ୍ତି l ତେଣୁ ଦେବୀ ଭୟଙ୍କର କାଳୀ ମୂର୍ତ୍ତି ଧାରଣ କଲେ l ଏ କରାଳ ମୂର୍ତ୍ତି ଦେଖି ଶିବ ଭୟରେ ପଳାୟନ ପାଇଁ ଚେଷ୍ଟା କଲେ l ସ୍ୱାମୀଙ୍କୁ ଭୟଭୀତ ଓ ପଳାୟନ କରୁଥିବା ଉଦ୍ୟତ ଦେଖି ତତ୍କ୍ଷଣାତ ଦେବୀ ଦଶ ଗୋଟି ମୂର୍ତ୍ତି ଧାରଣ କରି ଦଶଦିଗକୁ ଘେରି ତାଙ୍କର ପଥରୁଦ୍ଧ କଲେ l ଶିବ କୌଣସି ଆଡେ଼ ଯିବାଜୁ ଆଉ ବାଟ ନ ପାଇବାରୁ ଭୟରେ ଆଖି ବନ୍ଦ କରି ଦେଲେ ଓ କିଛି ସମୟ ପରେ ଆଖି ଖୋଲି ଦେଖିଲେ ତାଙ୍କ ସମ୍ମୁଖରେ ସେହି ଭୟଙ୍କରୀ କାଳୀ ଛିଡା ହୋଇଛନ୍ତି l ସେ ତାଙ୍କୁ ପଚାରିଲେ କିଏ ତୁମେ, ମୋ ସତୀ କାହିଁ l କାଳି କହିଲେ,ମୋତେ ଚିନ୍ହି ପାରୁ ନାହଁ,ମୁଁ ପରା ସେହି ସତୀ l ମୁଁ ସୃଷ୍ଟି ସଂହାର କାରିଣୀ ସୂକ୍ଷ୍ମା ପ୍ରକୃତି l ତୁମର ସ୍ତ୍ରୀ ହେବାପାଇଁ ମୁଁ ଗୌର ବର୍ଣ୍ଣ ଧାରଣ କରି ଥିଲି l ଭୟ ପରିହାର କର l ଦଶ ଦିଗରେ ଯେଉଁ ଦଶଟି ଭୟଙ୍କରୀ ମୂର୍ତ୍ତି ଦେଖୁଛ ସେ ସବୁ ମୋର ମୂର୍ତ୍ତି l ସତୀ ଏହି ଯେଉଁ ଦଶ ଗୋଟି ମୂର୍ତ୍ତି ଧାରଣ କରିଥିଲେ ସେହି ମାନେ ହିଁ ଦଶ ମହାବିଦ୍ୟା l ବର୍ତ୍ତମାନ ଏହି ମହାବିଦ୍ୟାଙ୍କ ସମ୍ବନ୍ଧରେ ଆଲୋଚନା କରିବା l
1.କାଳୀ ବା ମହାକାଳୀ -ଦେବୀ ଶିବଙ୍କ ଉପରେ ଆରୁଢ଼ା, ଚତୁର୍ଭୁଜା,ମୁକ୍ତ କେଶୀ ଓ ଲାସ୍ୟମୟୀ l ବାମ ଉର୍ଦ୍ଧ୍ୱ ଓ ନିମ୍ନ ବାହୁରେ ଯଥାକ୍ରମେ ଖଡ୍ଗ ଓ ନରମୁଣ୍ଡ ଧାରଣ କରିଛନ୍ତି l ଦକ୍ଷିଣ ଉର୍ଦ୍ଧ୍ୱ ଓ ନିମ୍ନ ବାହୁ ଅଭୟ ଓ ବରଦ ମୁଦ୍ରାରେ ଅଛି l ଦେବୀଙ୍କ କର୍ଣ୍ଣ ଭୂଷଣ ନର ମୁଣ୍ଡ l କଟିରେ ବସନ ସଦୃଶ କଟା ନର ହସ୍ତମାନ ଓହଳିଅଛି l ତାଙ୍କର ଲୋଳ ଜିହ୍ୱାରୁ ରୁଧିର ଝରୁଛି lତାଙ୍କର ବଡ଼ବଡ଼ ଦଶନ l ସେ ଘୋର ଶବ୍ଦ କାରିଣୀ ଓ ଭୟଙ୍କରୀ ଅଟନ୍ତି l ତାଙ୍କର ତ୍ରି ନୟନ ଅତ୍ୟନ୍ତ ସୁନ୍ଦର ଏବଂ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ପ୍ରତୀକ l ସେ ସମସ୍ତ ସୃଷ୍ଟିର କାରୀଣୀ ତଥା ସଂହାରୀଣୀ ଶକ୍ତି lଦେବୀ କୃଷ୍ଣବର୍ଣ୍ଣା ଓ ତମ ଗୁଣର ପ୍ରତୀକ l ସମସ୍ତ ସୃଷ୍ଟିକୁ ନିଜ ଦେହରେ ଲୀନ କରି ପାରନ୍ତି l ସେ ଶିବଙ୍କ ଉପରେ ଦଣ୍ଡାୟ ମାନ କାରଣ ସେ ଚିତ୍ ଶକ୍ତିକୁ ବିଲୀନ କରି ପାରନ୍ତି l ମାତୃତ୍ୱ ସ୍ନେହପାଇଁ ତାଙ୍କ କୁଚଦ୍ବୟ ବୃହତାକାର l ମହାକାଳୀଙ୍କୁ ଆରାଧନା କଲେ ଅଷ୍ଟ ସିଦ୍ଧି ପ୍ରାପ୍ତହୁଏ l କାଳୀଙ୍କ ବହୁ ନାମ ଅଛି ଯଥା ଦକ୍ଷିଣକାଳୀ, ଭଦ୍ରକାଳୀ, ସିଦ୍ଧକାଳି, ଚାମୁଣ୍ଡା,ଚଣ୍ଡିକା,କାତ୍ୟାୟନୀ ଇତ୍ୟାଦି l କାଳୀଙ୍କ ପୂଜା ଆରାଧନା ସାଧାରଣତଃ ସ୍ମଶାନରେ ରାତ୍ର କାଳରେ କରାଯାଇ ଥାଏ l
2. ତାରା – ଦେବୀ କରାଳ ଵଦନୀ,କରାଳରୁପା, ତ୍ରିନେତ୍ରୀ,ଲମ୍ବୋଦରୀ ଓ ଉତ୍ତନ ପିନ ପୟୋଧରି ଅଟନ୍ତି l ତାଙ୍କର ତୀକ୍ଷ୍ଣ ଦଶନ ଗୁଡ଼ିକ ବଡ଼ ବଡ଼ l ଦେବୀ ଖଡ୍ଗଖର୍ପର ଧାରିଣୀ,ନାନା ଅସ୍ତ୍ର ଧାରିଣୀ l ଦେବୀ ନୀଳ ବର୍ଣ୍ଣା ଏବଂ ବ୍ୟାଘ୍ର ଚର୍ମ ପରିହିତା l ଦେବୀ ତାରାଙ୍କୁ ଉଗ୍ରତାରା,ନୀଳ ସରସ୍ବତୀ,ଏକ ଜଟା ଏସବୁ ନାମରେ ମଧ୍ୟ ଅଭିହିତ କରାଯାଏ l ଦେବୀ ଆଲୋକ ଦାତ୍ରୀ ଓ ମୁକ୍ତି ଦାତ୍ରୀ ଅଟନ୍ତି l ଦେବୀ ଚତୁର୍ଭୁଜା, ସର୍ପ ଓ ମୁଣ୍ଡ ମାଳ ବିଭୂଷିତା l ଦକ୍ଷିଣ ଦୁଇ ବାହୁରେ ଖଡ୍ଗ ଓ କଟାରି ବାମ ଦୁଇ ବାହୁରେ କମଳ ଓ ନର ମୁଣ୍ଡ ଧରିଛନ୍ତି l ଦେବୀ ରତ୍ନଆଭୂଷଣ ମଣ୍ଡିତା lତାଙ୍କ ମସ୍ତକ,ଗ୍ରୀବା,ଅଣ୍ଟା, କାନ ଏବଂ ପାଦରେ ନାଗ ବିରାଜମାନ lତାରାଙ୍କୁ ସ୍ତବ କଲେ ସାଧକର ସବୁ କର୍ମରେ ସିଦ୍ଧି ହୁଏ ଓ ତ୍ରିଲୋକରେ ଅଭୟ ପ୍ରାପ୍ତି ହୋଇଥାଏ l
3. ଦେବୀ ଷୋଡ଼ଶୀ ବା ତ୍ରିପୁରା ସୁନ୍ଦରୀ :- ଦେବୀ ଶ୍ରୀଯନ୍ତ୍ର ଉପରେ ପ୍ରତିଷ୍ଠିତା l ସେ ତ୍ରିପୁରା ସୁନ୍ଦରୀ, ଷୋଡ଼ଶୀ, ଲଳିତା ଓ ଶ୍ରୀବିଦ୍ୟା ରୂପେ ପରିଚିତ l ଶ୍ରୀବିଦ୍ୟା ସାଧନ ପାଇଁ ସାଧକକୁ ଷଡ଼ ଚକ୍ରକୁ ଜାଗ୍ରତ କରି ଦେବୀ ଏବଂ ଆତ୍ମା ମଧ୍ୟରେ ସମନ୍ୱୟ ଆଣିବାକୁ ପଡିଥାଏ l ତ୍ରିପୁରା ସୁନ୍ଦରୀ ଦେବୀଙ୍କ କୁଣ୍ଡ ବଦ୍ରିକା ଆଶ୍ରମ ନିକଟରେ ଅଛି l ଉଜ୍ଜୟିନୀ, ଶୃଙ୍ଗେରି ମଠ, କନ୍ୟlକୁମାରୀ ଏବଂ ତ୍ରିପୁରାରେ ଦେବୀଙ୍କ ମନ୍ଦିର ରହିଛି l ତ୍ରିପୁରାର ଅଧିଷ୍ଠାତ୍ରୀ ଦେବୀ ତ୍ରିପୁରା ସୁନ୍ଦରୀ l ଓଡ଼ିଶାରେ ଦେବୀ ଶାରଳା ଓ ମାଆ ସୁଭଦ୍ରା ତ୍ରିପୁରାସୁନ୍ଦରୀ ଅଟନ୍ତି l ଶ୍ରୀକ୍ଷେତ୍ରରେ ରତ୍ନ ସିଂହାସନ ଶ୍ରୀ ଯନ୍ତ୍ର ଉପରେ ପ୍ରତିଷ୍ଠିତ lଶ୍ରୀବିଦ୍ୟାସାଧକ ରୂପେ ବ୍ୟାସ ଦୁର୍ବାସା, ପରାଶର,ବଶିଷ୍ଟ,ଶୁକଦେବ,କାଳିଦାସ, ଶଙ୍କରାଚାର୍ଯ୍ୟ ପରିଚିତ l ଓଡ଼ିଶାରେ ମହା କବି ଶାରଳା ଦାସ ଓ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଶ୍ରୀ ବିଦ୍ୟା ସାଧକ ରୂପେ ପରିଚିତ l ଦେବୀ ରକ୍ତ ବର୍ଣ୍ଣା,ଦୀର୍ଘନୟନା,ବିମ୍ବାଧରି,ମଣିକୁଣ୍ଡଳଧାରିଣୀ, ଲାକ୍ଷା ରଞ୍ଜିତ ପାଦ, ନୀଳ କୁନ୍ତଳା ଓ ଚନ୍ଦ୍ରକାନ୍ତି ଧାରିଣୀ l ଦେବୀ ଦୁଇ ହସ୍ତ ମାଳା,ପୁସ୍ତକ ଧାରଣ କରିଛି ଓ ଅନ୍ୟ ଦୁଇ ହାତ ବରଦ ଏବଂ ଅଭୟ ମୁଦ୍ରାରେ l ପ୍ରସ୍ଫୁଟିତ ପଦ୍ମ ଉପରେ ବିରାଜମାନ l ଦେବୀଙ୍କୁ ଆରାଧନା କରି ସାଧକ ବିଦ୍ୱାନ,ଚରିତ୍ର ବାନ ଓ ସାର୍ଵଭୌମ ମହାପୁରୁଷ ହୋଇ ପାରେ l କାଳିଦାସ,ଭଟ୍ଟ,ଶାରଳା ଦାସ,କବି ଉପେନ୍ଦ୍ରଭଞ୍ଜ, ବଳଦେବ ରଥ, ଅଚ୍ୟୁତାନନ୍ଦ ଆଦି ଶ୍ରୀ ବିଦ୍ୟାଙ୍କୁ ସାଧନକରି ମହାକବି ହୋଇଥିଲେ l ଦେବୀ ଭକ୍ତି ଓ ମୁକ୍ତି ପ୍ରଦାୟିନୀ l
4. ଭୁବନେଶ୍ୱରୀ :- ଦେବୀ ଭୁବନେଶ୍ୱରୀ ବାଳ ସୂର୍ଯ୍ୟକାନ୍ତି ବିଶିଷ୍ଟ ତ୍ରିନୟନୀ, ମସ୍ତକରେ କିରୀଟ ଓ ଅର୍ଦ୍ଧ ଚନ୍ଦ୍ର, ମନୋରମ ମୁଖୀ ଅଟନ୍ତି l ଦେବୀ ସିଂହବାହିନୀ ଗଳାରେ ଗୁଞ୍ଜ ଫଳମାଳ l ହସ୍ତରେ ଜପମାଳା, କଳସ, ପୁସ୍ତକ ଓ ଜ୍ଞାନ ମୁଦ୍ରା ଧାରଣ କରିଛନ୍ତି l ତାଙ୍କର ବାମ ପାଦ ଅର୍ଦ୍ଧ ପଦ୍ମାସନ ଓ ଦକ୍ଷିଣ ପାଦ ପ୍ରଲମ୍ବିତ l ବିଶାଳ ନୟନୀ ଦେବୀ ସହାସ୍ୟ ବଦନରେ ଭକ୍ତମାନଙ୍କୁ ଆଶୀର୍ବାଦ କରି ଥାନ୍ତି l ଲିଙ୍ଗରାଜ ମନ୍ଦିରର ଉତ୍ତର ଦିଗରେ ଏହି ଦେବୀଙ୍କ ମନ୍ଦିର ଅଛି l ଦେବୀ ଭୁବନେଶ୍ୱରୀଙ୍କୁ ସ୍ତବ କଲେ ଭକ୍ତମାନେ ବିଦ୍ୟା ଲାଭ କରିଥାନ୍ତି l
5. ଭୈରବୀ :- ଦେବୀଭୈରବୀ ସର୍ବ ସାଂସାରିକ ପୀଡାହାରିଣୀ lଶିବ ଭୈରବ,ଦେବୀ ତାଙ୍କ ପତ୍ନୀ ରୂପେ ଭୈରବୀ ଅଟନ୍ତି l ପୁରୁଷୋତ୍ତମକ୍ଷେତ୍ରରେ ଶ୍ରୀଜଗନ୍ନାଥ ଭୈରବ ଓ ମା’ ବିମଳା ଭୈରବୀ l ଦେବୀଙ୍କ ବର୍ଣ୍ଣ ଉଦୟ ଭାନୁ ସଦୃଶ l ସେ ଲାଲ ବସ୍ତ୍ର ପରିହିତା l ବେକରେ ମୁଣ୍ଡମାଳ, ରକ୍ତଵର୍ଣ୍ଣା ତ୍ରିନେତ୍ର ଓ ସେ ରତ୍ନ ଖଚିତ କିରୀଟ ପିନ୍ଧିଛନ୍ତି l ଚତୁର୍ଭୁଜରେ ଜପାମାଳା,ପୁସ୍ତକ,ବରଦ ଓ ଅଭୟ ମୁଦ୍ରା ଶୋଭିତ l ଦେବୀ ଭୈରବୀଙ୍କୁ ସ୍ତୁତି କଲେ ସେ ସମସ୍ତ ଦୁଃଖ ନାଶ କରନ୍ତି ଓ ବିଦ୍ୟା ପ୍ରଦାନ କରନ୍ତି l
6. ଛିନ୍ନମସ୍ତl :- ଦେବୀ ଛିନ୍ନମସ୍ତା ଗୋଟିଏ ପାଦ ଆଗକୁ ଓ ଅନ୍ୟଟି ପଛକୁ ରଖି କାମାଶକ୍ତ କାମ ଦେବ ଓ ରତିଦେବୀ ଉପରେ ଦଣ୍ଡାୟମାନ l ସେ ଦକ୍ଷିଣହସ୍ତରେ ଖଡ୍ଗ ଓ ବାମହସ୍ତରେ ନିଜ କର୍ତ୍ତିତ ମସ୍ତକ ଧାରଣ କରିଛନ୍ତି l କବନ୍ଧରୁ ତିନି ଧାରରେ ରୁଧିର ବୋହିଯାଉଛି l ଗୋଟିଏ ଧାର ରୁଧିର ସେ ନିଜେ ପାନ କରୁଛନ୍ତି ଓ ଅନ୍ୟ ଦୁଇଧାର ପାର୍ଶ୍ଵରେ ଦୁଇଜଣ ଯୋଗିନୀ ପାନ କରୁଛନ୍ତି l ଛିନ୍ନମସ୍ତିକା ଦିଗମ୍ବରୀ l ତାଙ୍କ ଦେହ ମଣି ମାଣିକ୍ୟ ଭୂଷିତ l ସେ ତ୍ରିନୟନା, ଲମ୍ବୋଦରି ଓ ଶରୀର ରକ୍ତବର୍ଣ୍ଣ ଅଟେ l ଦେବୀ ଛିନ୍ନମସ୍ତା ସ୍ନାନ ପାଇଁ ଯାଇଥିଲା ବେଳେ ନିଜେ ଶରୀରରୁ ଦୁଇଟି ଯୋଗିନୀ ପ୍ରକଟ କରିଥିଲେ l ସେମାନେ ମହାଦେବୀଙ୍କୁ ଖାଇବାକୁ ମାଗିବାରୁ ଦେବୀ ସେମାନଙ୍କୁ ନିଜ ମସ୍ତକ କାଟି ରୁଧିରପାନ କରାଉଛନ୍ତି ଓ ନିଜେ ପାନକରୁଛନ୍ତି l ଦକ୍ଷିଣ ପାସ ଯୋଗିନୀ ନାମ ବର୍ଣ୍ଣିନୀ l ସେ ଶୁକ୍ଳ ବର୍ଣ୍ଣl, ମୁକୁଳିତ କେଶା ଓ ହସ୍ତରେ ଖର୍ପର ଧାରଣ କରିଛନ୍ତି l ବାମ ପାର୍ଶ୍ଵ ଯୋଗିନୀ ନାମ ଡାକିନୀ l ସେ ମେଘ ବର୍ଣ୍ଣl ଓ ଖଡ୍ଗ ଖର୍ପର ଧାରିଣୀ l ଦେବୀ ଛିନ୍ନମସ୍ତା ପ୍ରଳୟ କାଳରେ ଏହି ସମସ୍ତ ଜଗତକୁ ଭକ୍ଷଣ କରିବାକୁ ସମର୍ଥ l ଦେବୀଙ୍କୁ ସ୍ତବ କଲେ ଧନ,ଧାନ୍ୟ,ପୁତ୍ର,କଳତ୍ର,ଅଶ୍ୱ,ହସ୍ତୀ ଓ ଭୂମି ପ୍ରାପ୍ତି ହୋଇଥାଏ l ଚଣ୍ଡିଖୋଲ,କୋରାପୁଟ,କଳାହାଣ୍ଡି ଜିଲ୍ଲାରେ ଦେବୀ ଛିନ୍ନମସ୍ତାଙ୍କ ମନ୍ଦିର ମାନ ଅଛି l ସର୍ବଭାରତୀୟ ସ୍ତରରେ ରାଞ୍ଚି ନିକଟ ରାଜରପ୍ପା ଛିନ୍ନମସ୍ତା ମନ୍ଦିର ବହୁ ପ୍ରସିଦ୍ଧ l ନବରାତ୍ର ବେଳେ ଏଠାରେ ପ୍ରବଳ ଜନ ସମାଗମ ହୁଏ l
7. ଧୂମାବତୀ :- ଦେବୀ ବିଧବା ବେଶୀ, ବିବର୍ଣ୍ଣା, ବିବର୍ଣ୍ଣ କୁନ୍ତଳା ଏବଂ ଶୁଭ୍ର ବସ୍ତ୍ର ପରିହିତା l ତାଙ୍କ ଚକ୍ଷୁ ରୁକ୍ଷ ଓ ନାସିକା ଲମ୍ବା l କୁଚଦ୍ବୟ ଲୋଳିତl ତାଙ୍କର ଗୋଟିଏ ହସ୍ତରେ କୁଲା ଓ ଅନ୍ୟ ହସ୍ତଟି ବରଦ ମୁଦ୍ରାରେ ଅଛି l ଦେବୀଙ୍କୁ ସ୍ତବକଲେ ସୁଖ ପ୍ରାପ୍ତି ତଥା ସ୍ୱର୍ଗବାସ ହୋଇଥାଏ ବୋଲି ବିଶ୍ୱାସ କରାଯାଏ l
8.ଦେବୀ ବଗଳାମୁଖୀ:- ଦେବୀ ସୁଧା ସାଗରରେ ମଣିମୟ ମଣ୍ଡପ ଉପରେ ରତ୍ନ ସିଂହାସନ ପରେ ଉପବିଷ୍ଟ l ସେ ପୀତ ବର୍ଣ୍ଣା ଏବଂ ପୀତବସ୍ତ୍ର ତଥା ଆଭୁଷଣରେ ଭୂଷିତ ହୋଇଥାନ୍ତି l ସେ ଦ୍ୱିଭୁଜା ଓ ଭୟଙ୍କର ରୁପା lସେ ବାମହସ୍ତରେ ଅସୁରର ଜିହ୍ୱା ଧରି ଦକ୍ଷିଣ ହସ୍ତରେ ପ୍ରହାରକରୁଛନ୍ତି l ଏ ଦେବୀ ପ୍ରସନ୍ନ ହେଲେ ସିଦ୍ଧି ବିଦ୍ୟା ପ୍ରଦାନ କରନ୍ତି ଏବଂ ଦୁଷ୍ଟ ମାନଙ୍କୁ ସ୍ତମ୍ଭିଭୂତ କରି ଆକର୍ଷଣ କରିବାକୁ ସମର୍ଥ ହୋଇ ପାରନ୍ତି l
9. ମାତଙ୍ଗୀ :- ମାତଙ୍ଗୀ ଦେବୀ ବୀଣା ଧାରିଣୀ ଅଟନ୍ତି l ସେ ପାଦରେ ନୁପୁର ପିନ୍ଧିଛନ୍ତି l ଦେହର ରଙ୍ଗ ନୀଳୋତ୍ପଳ ସଦୃଶ ଓ ନୀଳ କୁନ୍ତଳରେ ସେ କଦମ୍ବ ଫୁଲ ଧାରଣ କରିଛନ୍ତି l ଦେବୀଙ୍କୁ ସ୍ତବ କଲେ ସାଧକ ଶ୍ରୀ ଯୁକ୍ତ ହୋଇଥାଏ l
10. କମଳା ବା କମଳାତ୍ମିକା :- ଦେବୀ ସୁବର୍ଣ୍ଣ କାନ୍ତି ଯୁକ୍ତ ଏବଂ ଚତୁର୍ଭୁଜା l ଉପର ଦୁଇ ହସ୍ତରେ ସେ ପଦ୍ମ ଧାରଣ କରିଛନ୍ତି l ନିମ୍ନ ଗୋଟିଏ ହସ୍ତ ବରଦ ମୁଦ୍ରାରେ ଓ ଅନ୍ୟ ହସ୍ତଟି ଅଭୟ ମୁଦ୍ରାରେ ଅଛି l ଦେବୀ ରୂପବତୀ, ଖଞ୍ଜନାକ୍ଷୀ ଓ ବିଶାଳ ନିତମ୍ବବତୀ l ଘନ ସର୍ପିଳ ଦୀର୍ଘ କୃଷ୍ଣ କବରୀ ଓ ହସ୍ତରେ କଙ୍କଣ ଓ ଶଙ୍ଖା l ଚାରିଟି ଵୃହତ୍ କାୟ ହସ୍ତୀ ଦେବୀଙ୍କ ଉପରେ ସୁଧାଜଳ ବୃଷ୍ଟିକରୁଛନ୍ତି l ଦେବୀ ଭକ୍ତଙ୍କ ଦାରିଦ୍ର୍ୟତା ବିନାଶ କରି ଐଶ୍ବର୍ଯ୍ୟ ପ୍ରଦାନ କରିଥାନ୍ତି l ଦେବୀଙ୍କୁ ତୁଷ୍ଟ କଲେ ଅଣିମା ଆଦି ସିଦ୍ଧି ପ୍ରାପ୍ତି ହୋଇଥାଏ l ଦେବୀ ଜ୍ଞାନଦାତ୍ରୀ ଦୁର୍ଗତି ନାଶିନୀ l ଦେବୀ ସୁରା ପାନ ଓ ଚୋରିରୁ ଭକ୍ତକୁ ନିବୃତ କରିଥାନ୍ତି l ଦେବୀଙ୍କ କୃପା ହେଲେ ବ୍ରହ୍ମହତ୍ୟା ଭଳି ମହାପାତକ ନାଶ ହୋଇ ଭକ୍ତକୁ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ l
ଦଶମହାବିଦ୍ୟା ସାଧନା ଅତୀବ କଷ୍ଟ l ଭକ୍ତ ଠିକ ନିଷ୍ଠାର ସହକାରେ ଏହା ସାଧନ ନ କଲେ ବହୁତ କ୍ଷତି ହୋଇଥାଏ l ଦଶମହାବିଦ୍ୟା ସାଧନ ପାଇଁ ମାର୍କଣ୍ଡେୟ ପୁରାଣରେ ଦୁର୍ଗା ସପ୍ତସତୀରେ ମାର୍ଗ ନିର୍ଦ୍ଧେଶ କରାଯାଇଛି l ଦୁର୍ଗା ସପ୍ତସତୀରେ କୁହା ଯାଇଛି : –
ସା ବିଦ୍ୟା ପରମା ମୁକ୍ତେର୍ହେତୁର୍ଭୁତା ସନାତନୀ l
ସଂସାର ବନ୍ଧ ହେତୁଶ୍ଚ ଶୈବ ସର୍ବେଶ୍ୱରେଶ୍ୱରୀ ll
ଓଁ ମାଆ
ଯା ଦେବୀ ସର୍ବ ଭୂତେଷୁ
ଶକ୍ତି ରୁପେଣ ସଂସ୍ଥିତା l
ନମସ୍ତସ୍ୟୈ ନମସ୍ତସ୍ୟୈ
ନମସ୍ତସ୍ୟୈ ନମୋ ନମଃ ll
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା

ମୋ – 7693091971

Comments are closed.