ଭଦ୍ରକରେ ସବୁ ସ୍କୁଲ ବନ୍ଦ, ବାଲେଶ୍ୱରକୁ ଆଲର୍ଟ ଜାରି

ଭୁବନେଶ୍ୱର: ଆଇଏମଡିର ସୂଚନା ଅନୁଯାୟୀ, ରାଜ୍ୟର ୪ଟି ଜିଲ୍ଲାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାତିରୁ କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ବର୍ଷାକୁ ନେଇ ଭୟଭୀତ ନ ହୋଇ ପ୍ରଶାସନର ସମସ୍ତ ନିର୍ଦ୍ଦେଶ ପାଳନ କରିବା ସହ ସହଯୋଗ କରିବା ପାଇଁ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଆହ୍ୱାନରେ ସେ ରାଜ୍ୟର ପ୍ରତିଟି ଜୀବନ ତାଙ୍କ ପାଇଁ ମୂଲ୍ୟବାନ ବୋଲି କହିଛନ୍ତି ନବୀନ । ନିଜେ ସୁରକ୍ଷା ରହିବା ସହିତ ପରିବାରକୁ ମଧ୍ୟ ଦୃଷ୍ଟି ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।ସେପଟେ ପ୍ରବଳ ବର୍ଷାକୁ ନଜରରେ ରଖି ଭଦ୍ରକ ଜିଲ୍ଲାରେ ଆସନ୍ତାକାଲି ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପିଲାମାନଙ୍କ ସୁରକ୍ଷା ପାଇଁ ଏଭଳି ଏକ ଜରୁରୀ ପଦକ୍ଷେପ ନେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଏଥିସହ ୨ଟି ଲେଖାଏଁ ଏଡିଆରଏଫ ଏବଂ ଓଡ୍ରାଫ ଟିମ ସହିତ ୮ଟି ଅଗ୍ନିଶମ ବାହିନୀ ମୁତୟନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ମୁତୟନ କରାଯିବ ଉଦ୍ଧାରକାରୀ ଟିମ । ଏ ନେଇ ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଅନ୍ୟ ପକ୍ଷରେ ବାଲେଶ୍ୱର ଜିଲ୍ଲାକୁ ମଧ୍ୟ ଆଲର୍ଟ ଜାରି କରାଯାଇଛି । ଜିଲ୍ଲାର ସମସ୍ତ ବେଳାଭୂମି ଏବଂ ପଞ୍ଚଲିଙ୍ଗେଶ୍ୱର ପର୍ଯ୍ୟଟକଙ୍କ ପାଇଁ ବାରଣ କରାଯାଇଛି । ଏଥିସହ ଆସନ୍ତକାଲି ପାଇଁ ସତର୍କତା ଜାରି କରିଛି ଜିଲ୍ଲା ପ୍ରଶାସନ । ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୱାର୍ଣ୍ଣିଂ ଜାରି ହୋଇଛି ।

Comments are closed.