କେରଡାଙ୍ଗ ପିଏମ୍ ଶ୍ରୀ ବିଦ୍ୟାଳୟ ଛାତ୍ରାବାସରେ ପ୍ରଥମ ଶ୍ରେଣୀ ଆଦିବାସୀ ଛାତ୍ରଙ୍କୁ ଆକ୍ରମଣ ଅଭିଯୋଗ ।

0

ଗଜପତି,୨୮.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଅନ୍ତର୍ଗତ କେରଡାଙ୍ଗ ଗ୍ରାମ ପଞ୍ଚାୟତ ସଦରମହକୁମାରେ ଅବସ୍ଥିତ ପିଏମ୍ ଶ୍ରୀ ସେକେଣ୍ଡାରୀ ବିଦ୍ୟାଳୟର ଛାତ୍ରାବାସରେ ଜଣେ ପ୍ରଥମ ଶ୍ରେଣୀର ଆଦିବାସୀ ଛାତ୍ରଙ୍କୁ ଅନ୍ୟ କିଛି ଛାତ୍ର ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି।ଅଭିଯୋଗ ଅନୁଯାୟୀ, ଉଦୟପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁମକୋଳି ଗ୍ରାମର ଯୋଶେଫ୍ ମଣ୍ଡଳଙ୍କ ପୁଅ ଜାନସବୀର ମଣ୍ଡଳ ଉକ୍ତ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ର ଭାବେ ଛାତ୍ରାବାସରେ ରହି ପାଠ ପଢ଼ୁଛନ୍ତି। କୌଣସି କାରଣକୁ କେନ୍ଦ୍ର କରି କେରଡାଙ୍ଗ ଗ୍ରାମର କିଛି ଛାତ୍ର ତାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଏଥିରେ ଛାତ୍ରଜଣକ ଲହୁଲୁହାଣ ହେବା ସହ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି।ଘଟଣାଟି ଅଧିକ ଚିନ୍ତାଜନକ ହୋଇପଡ଼ିଛି, କାରଣ ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୋଗ ହେଉଥିବା ସ୍ଥାନୀୟ ଛାତ୍ରମାନେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରହୁଥିବା ସାହିର ବୋଲି କୁହାଯାଉଛି। ଏହି କାରଣରୁ ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ ହେଉଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ଅନ୍ୟପକ୍ଷରେ, ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ବିଦ୍ୟାଳୟର ଶିକ୍ଷକମାନଙ୍କ ନୀରବତାକୁ ନେଇ ସାଧାରଣରେ ସନ୍ଦେହ ଓ ଅସନ୍ତୋଷ ପ୍ରକାଶ ପାଇଛି।ଛାତ୍ରାବାସରେ ରହୁଥିବା କୋମଳମତି ଶିଶୁମାନଙ୍କ ସୁରକ୍ଷା, ନିରାପତ୍ତା ଓ ଦେଖାଶୁଣା ଦାୟିତ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର ଅଟେ। ଏପରି ସ୍ଥିତିରେ ଜଣେ ପ୍ରଥମ ଶ୍ରେଣୀର ଛାତ୍ରଙ୍କ ସହ ଏଭଳି ଘଟଣା କିପରି ଘଟିଲା ଏବଂ ଘଟଣା ପରେ କର୍ତ୍ତୃପକ୍ଷ କି ପଦକ୍ଷେପ ନେଇଛନ୍ତି, ତାହା ତଦନ୍ତର ପରିସରଭୁକ୍ତ ହେବା ଆବଶ୍ୟକ।ତେଣୁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ତୁରନ୍ତ ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଆହତ ଛାତ୍ରଙ୍କୁ ଉପଯୁକ୍ତ ଚିକିତ୍ସା ଓ ସୁରକ୍ଷା ଯୋଗାଇଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ଏଥିସହ ଅଭିଯୋଗର ସତ୍ୟତା ଯାଞ୍ଚ କରି ଦୋଷୀଙ୍କ ବିରୋଧରେ ନିୟମାନୁଯାୟୀ ଦୃଢ଼ ପଦକ୍ଷେପ ଗ୍ରହଣ ଏବଂ ଛାତ୍ରାବାସରେ ରହୁଥିବା ସମସ୍ତ ଶିଶୁଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି ହୋଇଛି।

Leave A Reply

Your email address will not be published.