HDFC-ICICI ସମେତ ୪ ବ୍ୟାଙ୍କକୁ ସୁପ୍ରିମକୋର୍ଟଙ୍କ ଛାଟ, CMDଙ୍କୁ ସମନ୍ ଚେତାବନୀ

0

ନୂଆଦିଲ୍ଲୀ: ଘର କିଣିବାର ସ୍ୱପ୍ନ ଦେଖିଥିଲେ। ବ୍ୟାଙ୍କରୁ ଗୃହଋଣ ନେଇଥିଲେ। ବିଲ୍ଡରଙ୍କ ପ୍ରତିଶ୍ରୁତି ଥିଲା, ଘର ହସ୍ତାନ୍ତର ହେବା ପର୍ଯ୍ୟନ୍ତ ଦେବାକୁ ପଡ଼ିବନି EMI। ହେଲେ ଘର ମିଳିଲାନି, ଓଲଟା ମୁଣ୍ଡରେ ଲଦି ହୋଇଗଲା ଋଣ ବୋଝ। ବିଲ୍ଡରଙ୍କ ଠକେଇ ଓ ବ୍ୟାଙ୍କର ଆଦାୟ ଚାପ ମଧ୍ୟରେ ଫସିଥିବା ହଜାର ହଜାର ଗୃହକ୍ରେତାଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ଗୃହଋଣ ସବସିଡି ଯୋଜନାରେ ହୋଇଥିବା ଅନିୟମିତତାକୁ ନେଇ କଠୋର ହୋଇଛନ୍ତି ସୁପ୍ରିମକୋର୍ଟ। HDFC ବ୍ୟାଙ୍କ ଓ ICICI ବ୍ୟାଙ୍କ ସମେତ ଚାରୋଟି ପ୍ରମୁଖ ଆର୍ଥିକ ପ୍ରତିଷ୍ଠାନକୁ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ମାମଲା ଚଳାଇବା ପାଇଁ ୭ ଦିନ ମଧ୍ୟରେ ନିଃସର୍ତ୍ତ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅବମାନନା ହେଲେ ବ୍ୟାଙ୍କର ଶୀର୍ଷ ଅଧିକାରୀଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ।

ବ୍ୟାଙ୍କ-ବିଲ୍ଡର ମେଣ୍ଟରେ ବଳି ପଡ଼ିଲେ ଗୃହକ୍ରେତା!

ଏହି ପୂରା ଘଟଣାର ମୂଳରେ ରହିଛି ଗୃହଋଣର ଏକ ବିଶେଷ ସବଭେନସନ୍ ସ୍କିମ୍। ଏହାକୁ ‘ପଜେସନ୍ ପର୍ଯ୍ୟନ୍ତ କୌଣସି EMI ନାହିଁ’ ବୋଲି ପ୍ରଚାର କରାଯାଉଥିଲା। ଏହି ଯୋଜନାରେ ଘର କିଣୁଥିବା ବ୍ୟକ୍ତି, ବିଲ୍ଡର ଓ ବ୍ୟାଙ୍କ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ହୋଇଥିଲା।

ଚୁକ୍ତି ଅନୁଯାୟୀ, ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁସାରେ ବ୍ୟାଙ୍କ ପର୍ଯ୍ୟାୟକ୍ରମେ ଋଣ ଟଙ୍କା ମଞ୍ଜୁର କରିବା କଥା। ଘର ହସ୍ତାନ୍ତର ହେବା ପର୍ଯ୍ୟନ୍ତ EMI ଦେବାର ଦାୟିତ୍ୱ ବିଲ୍ଡରଙ୍କ ଉପରେ ରହିବାର ବ୍ୟବସ୍ଥା ଥିଲା। କିନ୍ତୁ ଅଭିଯୋଗ ଅନୁଯାୟୀ, କେତେକ ବ୍ୟାଙ୍କ ଅଧିକାରୀ ବିଲ୍ଡରଙ୍କ ସହ ମିଶି ନିର୍ମାଣ ଆରମ୍ଭ ହେବା ପୂର୍ବରୁ ହିଁ ସମ୍ପୂର୍ଣ୍ଣ ଋଣ ରାଶି ବିଲ୍ଡରଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ।

ଟଙ୍କା ନେଇଗଲେ ବିଲ୍ଡର, ଋଣ ଶୁଝିବାକୁ ଗ୍ରାହକଙ୍କୁ ଚାପ!

ଋଣ ଟଙ୍କା ପାଇବା ପରେ ଅନେକ ବିଲ୍ଡର ପ୍ରକଳ୍ପ ଅଧାରୁ ଛାଡ଼ି ପଳାଇଥିବା ଏବଂ ବ୍ୟାଙ୍କକୁ EMI ଦେବା ବନ୍ଦ କରିଥିବା ଅଭିଯୋଗ ହୋଇଛି। ଫଳରେ ଘର ପାଇବାର ଆଶାରେ ଥିବା ଗ୍ରାହକଙ୍କୁ ଘର ମିଳିଲା ନାହିଁ, କିନ୍ତୁ ଋଣ ପରିଶୋଧର ଚାପ ବଢ଼ିଗଲା।

ବିଲ୍ଡରଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ବଦଳରେ ବ୍ୟାଙ୍କଗୁଡ଼ିକ ଗୃହକ୍ରେତାଙ୍କୁ ଋଣ ପରିଶୋଧ କରିବାକୁ ଚାପ ପକାଇଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ହଜାର ହଜାର ପରିବାର ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ଘର ନଥାଇ ଋଣର କିସ୍ତି ଦେବାକୁ ପଡ଼ୁଛି। ଏପରିକି ଋଣ ପରିଶୋଧରେ ବିଳମ୍ବ ଯୋଗୁଁ ଅନେକଙ୍କ CIBIL ସ୍କୋର ମଧ୍ୟ ପ୍ରଭାବିତ ହୋଇଛି।

ମାମଲାର ତଦନ୍ତ କରୁଛି CBI, ୫୫ଟି ମାମଲା ରୁଜୁ

ବ୍ୟାଙ୍କଗୁଡ଼ିକର ଚାପରେ ଅତିଷ୍ଠ ହୋଇ ଦିଲ୍ଲୀ-NCR, ମୁମ୍ବାଇ ଓ ବେଙ୍ଗାଲୁରୁ ସମେତ ଦେଶର ବିଭିନ୍ନ ସ୍ଥାନର ଗୃହକ୍ରେତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଗମ୍ଭୀରତାକୁ ଦେଖି ସର୍ବୋଚ୍ଚ ନ୍ୟାୟାଳୟ ବିଲ୍ଡର ଓ ବ୍ୟାଙ୍କ ଅଧିକାରୀଙ୍କ ମଧ୍ୟରେ ଥିବା କଥିତ ଅନିୟମିତତାର ତଦନ୍ତ ଭାର CBIକୁ ଦେଇଥିଲେ।

ତଦନ୍ତରେ ଅନେକ ବ୍ୟାଙ୍କ ଅଧିକାରୀ ନିୟମ ଉଲ୍ଲଂଘନ କରିଥିବା ଏବଂ ସାଇଟ୍ ଯାଞ୍ଚ ନକରି ବିଲ୍ଡରଙ୍କୁ ଶହ ଶହ କୋଟି ଟଙ୍କା ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାରେ CBI ଦେଶବ୍ୟାପୀ ୫୫ଟି ମାମଲା ରୁଜୁ କରିଛି। ସେଥିମଧ୍ୟରୁ ୨୫ଟି ମାମଲାର ତଦନ୍ତ ଶେଷ ହୋଇଥିବାବେଳେ ୨୨ଟି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି।

EMI ଆଦାୟ ଉପରେ ପୂର୍ବରୁ ରୋକ୍ ଲଗାଇଥିଲେ ସୁପ୍ରିମକୋର୍ଟ

ଅସମ୍ପୂର୍ଣ୍ଣ ଗୃହ ପ୍ରକଳ୍ପରେ ଫସିଥିବା କ୍ରେତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ପୂର୍ବରୁ ମଧ୍ୟ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗ୍ରାହକଙ୍କଠାରୁ ଜୋରଜବରଦସ୍ତି EMI ଆଦାୟ ନକରିବା ଏବଂ ସେମାନଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନନେବାକୁ କୁହାଯାଇଥିଲା। କିନ୍ତୁ CBIର ତଦନ୍ତ ଓ ଅଭିଯୁକ୍ତ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ପାଇଁ ଅନୁମତି ପ୍ରସଙ୍ଗରେ ବିଳମ୍ବ ହେବାରୁ କୋର୍ଟ ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ବ୍ୟାଙ୍କକୁ ୭ ଦିନର ମହଲତ, CMDଙ୍କୁ ସମନ୍ ଚେତାବନୀ

ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କ ଖଣ୍ଡପୀଠ ଏହି ମାମଲାରେ କଠୋର ନିର୍ଦ୍ଦେଶ ଦେଇଛନ୍ତି। HDFC ବ୍ୟାଙ୍କ ଓ ICICI ବ୍ୟାଙ୍କ ସମେତ ଚାରୋଟି ଆର୍ଥିକ ପ୍ରତିଷ୍ଠାନକୁ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ମାମଲା ଚଳାଇବା ପାଇଁ ଏକ ସପ୍ତାହ ମଧ୍ୟରେ ନିଃସର୍ତ୍ତ ଅନୁମତି ଦେବାକୁ କହିଛନ୍ତି।

ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ଅନୁମତି ପ୍ରଦାନରେ ବିଳମ୍ବ କିମ୍ବା କୌଣସି ସର୍ତ୍ତ ଲାଗୁ କରାଗଲେ ସମ୍ପୃକ୍ତ ବ୍ୟାଙ୍କର CMD ଓ ଅଧ୍ୟକ୍ଷଙ୍କୁ ସିଧାସଳଖ କୋର୍ଟରେ ହାଜର ହେବାକୁ ପଡ଼ିବ। ଏପରିକି ସେମାନଙ୍କ ବିରୋଧରେ କାହିଁକି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ସେନେଇ ଜବାବ ଦେବାକୁ ପଡ଼ିବ।

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଘର ପାଇବା ଆଶାରେ ଋଣ ନେଇ ଠକେଇର ଶିକାର ହୋଇଥିବା ହଜାର ହଜାର ପରିବାରଙ୍କ ପାଇଁ ଆଶ୍ୱସ୍ତି ଆଣିଛି। ଏବେ ନଜର ରହିଛି, ସାତ ଦିନ ମଧ୍ୟରେ ବ୍ୟାଙ୍କଗୁଡ଼ିକ କି ପଦକ୍ଷେପ ନେଉଛନ୍ତି ଏବଂ ଦୋଷୀଙ୍କ ବିରୋଧରେ ଆଇନର ହାତ କେତେ ଦୂର ପହଞ୍ଚୁଛି।

Leave A Reply

Your email address will not be published.