ଡ୍ରପ୍‌ଆଉଟ୍ ଛାତ୍ରଛାତ୍ରୀଙ୍କ ପୁନଃ ନାମଲେଖା ଓ ମାନବ ଚାଲାଣ ନିରାକରଣ ଆଇନ ସଚେତନତା କାର୍ଯ୍ୟକ୍ରମ ।

0

ଗଜପତି,୨୭.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ଶିକ୍ଷାରୁ ବଞ୍ଚିତ ଶିଶୁମାନଙ୍କୁ ପୁନର୍ବାର ବିଦ୍ୟାଳୟର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ସହ ମାନବ ଚାଲାଣ ଓ ଯୌନ ଶୋଷଣ ଭଳି ସାମାଜିକ ଅପରାଧର ନିରାକରଣ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗୁମ୍ମା ବ୍ଲକ ଅନ୍ତର୍ଗତ ବାଇଝାଲ ଗ୍ରାମ ପଞ୍ଚାୟତର ଅବାଡ଼ା ଗ୍ରାମରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ପ୍ରାଧିକରଣର ସଚିବ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ପାଠପଢ଼ା ଅଧାରୁ ଛାଡ଼ି ଦେଇଥିବା ଡ୍ରପ୍‌ଆଉଟ୍ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ପୁନର୍ବାର ବିଦ୍ୟାଳୟରେ ନାମ ଲେଖାଇବା ଏବଂ ସେମାନଙ୍କୁ ଶିକ୍ଷାକ୍ଷେତ୍ରକୁ ଫେରାଇ ଆଣିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଶିକ୍ଷା ପ୍ରତ୍ୟେକ ଶିଶୁର ମୌଳିକ ଅଧିକାର ଏଣୁ କୌଣସି ଶିଶୁ ଯେପରି ଆର୍ଥିକ, ସାମାଜିକ କିମ୍ବା ଅନ୍ୟ କୌଣସି କାରଣରୁ ଶିକ୍ଷାରୁ ବଞ୍ଚିତ ନ ହୁଏ, ସେଥିପ୍ରତି ଅଭିଭାବକ ଓ ସମାଜର ସମସ୍ତଙ୍କ ଦାୟିତ୍ୱ ବୋଲି ଆଲୋକପାତ କରାଯାଇଥିଲା।ସେହିପରି ମାନବ ଚାଲାଣ ଓ ବାଣିଜ୍ୟିକ ଯୌନ ଶୋଷଣର ପୀଡ଼ିତାମାନଙ୍କ ପାଇଁ ଉଦ୍ଦିଷ୍ଟ ନାଲ୍‌ସା ଯୋଜନା ସମ୍ପର୍କରେ ବିସ୍ତୃତ ଆଇନଗତ ସୂଚନା ପ୍ରଦାନ କରାଯାଇଥିଲା। ଏହି ଯୋଜନା ଅଧୀନରେ ପୀଡ଼ିତାମାନଙ୍କୁ ମିଳୁଥିବା ମାଗଣା ଆଇନଗତ ସହାୟତା, ଆବଶ୍ୟକ ସୁରକ୍ଷା, ନ୍ୟାୟ ପ୍ରଦାନ ଓ ପୁନର୍ବାସ ବ୍ୟବସ୍ଥା ସମ୍ପର୍କରେ ଉପସ୍ଥିତ ଗ୍ରାମବାସୀଙ୍କୁ ବୁଝାଇ ଦିଆଯାଇଥିଲା। ମାନବ ଚାଲାଣ ଭଳି ଅପରାଧକୁ ରୋକିବା ପାଇଁ ସନ୍ଦେହଜନକ ଘଟଣା ସମ୍ପର୍କରେ ସଚେତନ ରହିବା ସହ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ମଧ୍ୟ ଆହ୍ୱାନ ଦିଆଯାଇଥିଲା।ଏହି ଅବସରରେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ଜିଲ୍ଲା ଖଣି ଅଧିକାରୀ ଦୀପେନ ପରିଡ଼ା ଓ ମଳୟ କୁମାର ସେଠୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ମମତା ଦେବୀ, ସେରଙ୍ଗ ଥାନା ଏଏସ୍‌ଆଇ ସୁରେନ୍ଦ୍ର ସେଠୀ, ଗୁମ୍ମା ବ୍ଲକ ଆଇସିଡିଏସ୍ ସୁପରଭାଇଜର ଧରିତ୍ରୀ ପାତ୍ର, ଅବାଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଟଙ୍କଧର ମାଝୀ, ସମାଜସେବୀ ଦୟା ପାଲକା ଏବଂ ପାରା ଲିଗାଲ୍ ସ୍ୱେଚ୍ଛାସେବୀ ଶଶୀରେଖା ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।ବକ୍ତାମାନେ ଶିକ୍ଷାର ଅଧିକାର, ଶିଶୁ ସୁରକ୍ଷା, ମାନବ ଚାଲାଣର କୁପରିଣାମ, ଆଇନଗତ ସହାୟତା ଏବଂ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ଆଇନ ସେବା ସମ୍ପର୍କରେ ଗ୍ରାମବାସୀଙ୍କୁ ବିସ୍ତୃତ ଭାବେ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରୁ ଶିଶୁ ଶ୍ରମିକ, ସାମଗ୍ରିକ ଶିକ୍ଷାରୁ ବଞ୍ଚିତ ଓ ମାନବ ଚାଲାଣ ଭଳି ସମସ୍ୟା ଦୂର କରିବା ସହ ପ୍ରତ୍ୟେକ ନାଗରିକଙ୍କୁ ଆଇନଗତ ଅଧିକାର ସମ୍ପର୍କରେ ସଚେତନ କରାଯାଇଥିଲା।

Leave A Reply

Your email address will not be published.