ରାଜ୍ୟସ୍ତରୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ୍‌ରେ ବାଲେଶ୍ୱର ଦଳର ଦମଦାର ପ୍ରଦର୍ଶନ

• ଲିଗ୍ ପର୍ଯ୍ୟାୟରେ ଚାରିଟି ମ୍ୟାଚ୍‌ରେ ବିଜୟ, ଫାଇନାଲ୍‌ରେ ରାମାଦେବୀ ବିଶ୍ୱବିଦ୍ୟାଳୟ ସହ ମୁକାବିଲା

0
ବାଲେଶ୍ୱର, ନଭେମ୍ବର ୨୬ (କୃଷ୍ଣ କୁମାର ମହାନ୍ତି): ଅଷ୍ଟମ ରାଜ୍ୟସ୍ତରୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍ ପ୍ରତିଯୋଗିତାରେ ରାଣୀପାଟଣାସ୍ଥିତ ବାଲେଶ୍ୱର ଦୃଷ୍ଟିବାଧିତ ବିଦ୍ୟାଳୟର ମହିଳା ଦଳ ଚମତ୍କାର ପ୍ରଦର୍ଶନ କରି ଫାଇନାଲ୍‌ରେ ପ୍ରବେଶ କରିଛି। ଲିଗ୍ ପର୍ଯ୍ୟାୟରେ କ୍ରମାଗତ ଚାରିଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ଏହି ଦଳ ଫାଇନାଲ୍‌ରେ ରାମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଦଳକୁ ଭେଟିବ।
ବିଶ୍ୱ ଭିନ୍ନକ୍ଷମ ଦିବସ–୨୦୨୬ ପାଳନ ଅବସରରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଆନୁକୂଲ୍ୟରେ ସୁଆ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପଡ଼ିଆରେ ଏହି ତିନିଦିନିଆ ପ୍ରତିଯୋଗିତା ଆୟୋଜିତ ହେଉଛି। ନଭେମ୍ବର ୨୪ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ଆଠଟି ଦଳ ଅଂଶଗ୍ରହଣ କରିଥିଲେ।
ପ୍ରଥମ ମ୍ୟାଚ୍‌ରେ ଲୁଇ ବ୍ରେଲ୍ ବିଦ୍ୟାଳୟ ଦଳ ୬ ଉଇକେଟ୍ ହରାଇ ୫୨ ରନ୍ ସଂଗ୍ରହ କରିଥିବାବେଳେ ବାଲେଶ୍ୱର ଦଳ ୬ ଉଇକେଟ୍ ହରାଇ ୭୬ ରନ୍ କରି ବିଜୟୀ ହୋଇଥିଲା।
ଦ୍ୱିତୀୟ ମ୍ୟାଚ୍‌ରେ ବଲାଙ୍ଗୀର ଦଳ ୬ ଉଇକେଟ୍ ହରାଇ ୩୬ ରନ୍ କରିଥିବାବେଳେ ବାଲେଶ୍ୱର ଦଳ ୫୬ ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା। ତୃତୀୟ ମ୍ୟାଚ୍‌ରେ ଭୀମଭୋଇ ବିଦ୍ୟାଳୟ ଦଳ ୬ ଉଇକେଟ୍ ହରାଇ ୨୨ ରନ୍ କରିଥିବାବେଳେ ବାଲେଶ୍ୱର ଦଳ ୨୩ ରନ୍ କରି ବିଜୟୀ ହୋଇଥିଲା।
ଚତୁର୍ଥ ମ୍ୟାଚ୍‌ରେ ମୟୂରଭଞ୍ଜ ଦଳ ୬୯ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ବାଲେଶ୍ୱର ଦଳ ମାତ୍ର ୬ ଓଭରରେ ୭୭ ରନ୍ କରି ବିଜୟୀ ହୋଇଥିଲା। ଏହି ବିଜୟ ସହ ଦଳ ଫାଇନାଲ୍‌ରେ ସ୍ଥାନ ସୁନିଶ୍ଚିତ କରିଛି।
ଛାତ୍ରୀମାନଙ୍କର ଏକାଗ୍ରତା, ନିଷ୍ଠା, ଉତ୍ସାହ ଓ ଦୃଢ଼ ମନୋବଳ ଦଳକୁ ଏହି ସଫଳତା ଆଣିଦେଇଛି। ଦଳର ଏହି ଉଲ୍ଲେଖନୀୟ ପ୍ରଦର୍ଶନରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଆନନ୍ଦ ପ୍ରକାଶ କରିଛନ୍ତି। ବିଦ୍ୟାଳୟର ନିର୍ଦ୍ଦେଶକ ଦିବାକର ସ ମଧ୍ୟ ଫାଇନାଲ୍‌ରେ ଦଳର ବିଜୟ ନେଇ ଆଶାବାଦୀ ଅଛନ୍ତି।
Leave A Reply

Your email address will not be published.