ବାଲେଶ୍ୱର, ୨୪/୧୧(କୃଷ୍ଣ କୁମାର ମହାନ୍ତି): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲେଶ୍ୱର ସହର ଉତ୍ସବମୁଖର ହୋଇଉଠିଥିଲା। ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ମୃତି ବହନ କରୁଥିବା ବୋଇତ ବନ୍ଦାଣ ଉତ୍ସବରେ ସହରର ବିଭିନ୍ନ ନଦୀଘାଟ ଓ ପୋଖରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥିଲା। ବିଶେଷକରି ବୁଢ଼ାବଳଙ୍ଗ ନଦୀକୂଳରେ ଅବସ୍ଥିତ ଐତିହାସିକ ବାଲିଘାଟରେ ଭୋରରୁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ସହରର ବିଭିନ୍ନ ପୋଖରୀରେ ମଧ୍ୟ ଶହ ଶହ ବୋଇତ ଭସାଯାଇଥିଲା।


ସୂର୍ଯ୍ୟୋଦୟ ପୂର୍ବରୁ ସହର ଓ ଆଖପାଖ ଅଞ୍ଚଳରୁ ଲୋକେ ବାଲିଘାଟରେ ପହଞ୍ଚି ସୋଲ ଡଙ୍ଗାରେ ଧୂପ, ଦୀପ ଓ ଫଳମୂଳ ରଖି ପାରମ୍ପରିକ ରୀତିରେ ବନ୍ଦାପନା କରିଥିଲେ। ଆ-କା-ମା-ବୈ, ପାନ-ଗୁଆ ଥୋଇ ଗୀତ ଗାଇବା ସହ ନଦୀରେ ଡଙ୍ଗା ଭସାଇଥିଲେ। ଏହି ପରମ୍ପରା ମାଧ୍ୟମରେ ଓଡ଼ିଆ ସାଧବ ପୁଅମାନଙ୍କର ସାହସିକ ସାମୁଦ୍ରିକ ଯାତ୍ରା ଏବଂ ବାଲି, ଜାଭା ଓ ସୁମାତ୍ରା ଆଦି ଦେଶ ସହ ରହିଥିବା ପ୍ରାଚୀନ ନୌବାଣିଜ୍ୟ ସମ୍ପର୍କକୁ ସ୍ମରଣ କରିଥିଲେ ଶ୍ରଦ୍ଧାଳୁ। ଏହି ଅବସରରେ ବାଲିଘାଟ ଓ ଏହାର ଆଖପାଖ ଅଞ୍ଚଳ ଲୋକାରଣ୍ୟ ହୋଇପଡ଼ିଥିଲା।
ତେବେ ବୋଇତ ବନ୍ଦାଣ ପରମ୍ପରା ମଧ୍ୟରେ ଏବେ ପରିବେଶ ପ୍ରଦୂଷଣର ଚିନ୍ତା ମଧ୍ୟ ଦେଖାଦେଇଛି। ସହରର ବିଭିନ୍ନ ପୋଖରୀରେ ବହୁ ସଂଖ୍ୟାରେ ଥର୍ମୋକଲ୍ରେ ତିଆରି ରଙ୍ଗବେରଙ୍ଗର ଡଙ୍ଗା ଭସାଯାଉଥିବାରୁ ଜଳ ପ୍ରଦୂଷଣ ନେଇ ପରିବେଶବିତ୍ମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ବଜାରରେ ମିଳୁଥିବା ବିଭିନ୍ନ ଡିଜାଇନ୍ର ଥର୍ମୋକଲ୍ ଡଙ୍ଗା ଲୋକଙ୍କୁ ଆକୃଷ୍ଟ କରୁଥିବା ବେଳେ ଏଗୁଡ଼ିକ ପାଣିରେ ସହଜରେ ନଷ୍ଟ ହୁଏ ନାହିଁ। ଫଳରେ ପୋଖରୀ, ନଦୀକୂଳ ଓ ସମୁଦ୍ରତଟରେ ଏହା ଜମା ହୋଇ ପରିବେଶକୁ ଅପରିଷ୍କାର କରୁଛି। ବିଶେଷକରି ଜଳାଶୟରେ ପଡ଼ି ରହୁଥିବା ଥର୍ମୋକଲ୍ ଖଣ୍ଡ ଜଳର ସ୍ୱଚ୍ଛତାକୁ ପ୍ରଭାବିତ କରୁଛି।
ପରିବେଶବିତ୍ଙ୍କ ମତରେ, ପାରମ୍ପରିକ କଦଳୀ ପଟୁଆରେ ତିଆରି ଡଙ୍ଗା ଏ କ୍ଷେତ୍ରରେ ସବୁଠାରୁ ଉତ୍ତମ ବିକଳ୍ପ। ଏହା ପ୍ରାକୃତିକ ଭାବେ ନଷ୍ଟ ହୋଇଯାଉଥିବାରୁ ପରିବେଶ ପ୍ରତି ବିଶେଷ କ୍ଷତିକାରକ ନୁହେଁ। ତେଣୁ ପରମ୍ପରାର ମୂଳ ଭାବନାକୁ ବଜାୟ ରଖିବା ସହ ପରିବେଶ ସୁରକ୍ଷା ପାଇଁ ଥର୍ମୋକଲ୍ ଡଙ୍ଗା ବଦଳରେ ପ୍ରାକୃତିକ ସାମଗ୍ରୀରେ ତିଆରି ଡଙ୍ଗା ବ୍ୟବହାର କରିବାକୁ ସେମାନେ ଗୁରୁତ୍ୱ ଦେଇଛନ୍ତି। ଏଥିସହ ଏଭଳି ପ୍ରଦୂଷଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସଚେତନତା ସୃଷ୍ଟି କରାଯାଇ ନଥିବାରୁ ମଧ୍ୟ ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ ଧର୍ମ ମାସ କାର୍ତ୍ତିକର ଶେଷ ଦିନ ହୋଇଥିବାରୁ ଶ୍ରଦ୍ଧାଳୁମାନେ ଭକ୍ତି ଓ ନିଷ୍ଠାର ସହ ପୂର୍ଣ୍ଣିମା ପାଳନ କରିଥିଲେ। ନଦୀଘାଟରେ ବୁଡ଼ ପକାଇବା ପରେ ବିଭିନ୍ନ ମନ୍ଦିରରେ ଦେବଦେବୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରି ପରିବାରର ମଙ୍ଗଳ କାମନା କରିଥିଲେ। ରାହାସ ପୂର୍ଣ୍ଣିମା ଭାବେ ମଧ୍ୟ ପରିଚିତ ଏହି ଦିନରେ ସହରର ବିଭିନ୍ନ ଅଞ୍ଚଳରେ ଭୋରରୁ ନଗର ସଂକୀର୍ତ୍ତନ ଆୟୋଜିତ ହୋଇଥିଲା। ପଞ୍ଚୁକର ଶେଷ ଦିନ ହୋଇଥିବାରୁ ଘରେ ଘରେ ତୁଳସୀ ଚଉରା ମୂଳରେ ଝୋଟି ଓ ମୁରୁଜ ପକାଇ ମହିଳାମାନେ ପୂଜାର୍ଚ୍ଚନା କରୁଥିବା ଦେଖାଯାଇଥିଲା।