ବାଲେଶ୍ୱର, ନଭେମ୍ବର ୨୩ (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଜାତିର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ସାଧବ ପୁଅଙ୍କ ସାମୁଦ୍ରିକ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଛତୁଆ ବୋଇତ ବନ୍ଦାଣ ଉତ୍ସବ କମିଟି ପକ୍ଷରୁ ୧୫ତମ ବୋଇତ ବନ୍ଦାଣ ଉତ୍ସବ ସ୍ଥାନୀୟ ଛତୁଆ ପୋଖରୀ ନିକଟ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି।
ଏହି ଅବସରରେ ଆୟୋଜିତ ପ୍ରଥମ ଦିନର ସଭାରେ କମିଟିର ସଭାପତି ମନୋଜ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ। ଉତ୍ସବରେ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭାନା ମହାନ୍ତି, ଶିକ୍ଷାବିତ୍ ଘନଶ୍ୟାମ ବିଶ୍ୱାଳ, ଯୁବ ଉଦ୍ୟୋଗପତି ସଂଗ୍ରାମ କୁମାର ଦାସ ଏବଂ କରଞ୍ଜିଆ ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ସୁକାନ୍ତି ନାୟକ ଯୋଗଦେଇ ନିଜ ନିଜର ମତ ରଖିଥିଲେ।
ବକ୍ତାମାନେ କହିଥିଲେ ଯେ, ନୌବାଣିଜ୍ୟ ଓ ସାଧବ ପୁଅ-ବୋହୂଙ୍କ ପରମ୍ପରା ଓଡ଼ିଆ ଜାତିର ଗୌରବମୟ ଐତିହ୍ୟର ପରିଚୟ। ଏହି ପରମ୍ପରା ସହ ଜଡ଼ିତ ବୋଇତ ବନ୍ଦାଣ ଉତ୍ସବ କେବଳ ଏକ ସାଂସ୍କୃତିକ ଆୟୋଜନ ନୁହେଁ, ବରଂ ନୂତନ ପିଢ଼ିକୁ ନିଜ ଜାତିର ଇତିହାସ, ସଂସ୍କୃତି ଓ ପରମ୍ପରା ସହ ପରିଚିତ କରାଇବାର ଏକ ମାଧ୍ୟମ।
ଉତ୍ସବ ଅବସରରେ ସକାଳେ ଆୟୋଜିତ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବକୁ ଆକର୍ଷଣୀୟ କରିଥିଲା।
କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ପ୍ରାଣବନ୍ଧୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।