ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବାତ୍ୟା ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ଓ ସତର୍କ ରଖାଯାଇଥିବା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ଆଜି ଲୋକସେବା ଭବନଠାରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ସେ ପ୍ରଶାସନିକ ପ୍ରସ୍ତୁତିର ତଦାରଖ କରିଛନ୍ତି। ବୈଠକରେ ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ଏବଂ ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ କୂଳକୁ ଫେରିଆସିବାକୁ କୁହାଯାଇଛି।
ତଳିଆ ଓ ସମୁଦ୍ରକୂଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି। ଆଶ୍ରୟସ୍ଥଳୀଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଓ ରନ୍ଧା ଖାଦ୍ୟ, ପାନୀୟ ଜଳ, ଔଷଧ ଏବଂ ଆଲୋକ ବ୍ୟବସ୍ଥା ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନାନ୍ତର ପ୍ରକ୍ରିୟାରେ ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା, ଶିଶୁ ଓ ଦିବ୍ୟାଙ୍ଗମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପ୍ରଶାସନକୁ କୁହାଯାଇଛି। ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବିଦ୍ୟୁତ୍ ବିଭାଗକୁ ମରାମତି ଦଳ ଓ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯେପରି ବିଦ୍ୟୁତ୍ ସେବା ଶୀଘ୍ର ସ୍ୱାଭାବିକ ହୋଇପାରିବ। ସେହିପରି ପାନୀୟ ଜଳ ଯୋଗାଣ, ରାସ୍ତା ଅବରୋଧ ହଟାଇବା ଏବଂ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଡାକ୍ତର ଓ ମେଡିକାଲ୍ ଟିମ୍ ପ୍ରସ୍ତୁତ ରହିବେ। ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍ (ODRAF), ଏନଡିଆରଏଫ୍ (NDRF) ଓ ଅଗ୍ନିଶମ ବାହିନୀକୁ ମଧ୍ୟ ହାଇ-ଆଲର୍ଟରେ ରଖାଯାଇଛି। ପାଣିପାଗ ବିଭାଗର ପ୍ରତିଟି ସୂଚନା ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ପରିସ୍ଥିତି ଅନୁଯାୟୀ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଆଶ୍ୱାସନା ଦେଇଛନ୍ତି। ଏଥିସହ କୌଣସି ଗୁଜବ ଉପରେ ବିଶ୍ୱାସ ନ କରି କେବଳ ସରକାରୀ ସୂଚନା ଉପରେ ଭରସା ରଖିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।