ପୁଣି ଖରାପ ହେଲା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ହେଲିକପ୍‌ଟର

0

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ହେଲିକପ୍ଟର ପୁଣି ଖରାପ ହୋଇଛି । ଗୁରୁବାର ପଣ୍ଢରପୁରରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିବାକୁ ଯାଉଥିବା ବେଳେ ଏଥିରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ପ୍ରାଥମିକ ସୂଚନା ଅନୁସାରେ, ହେଲିକପ୍ଟରର ବ୍ୟାଟେରୀରେ ସମସ୍ୟା ଯୋଗୁଁ ଏହା ଉଡ଼ାଣ ଭରିପାରି ନଥିଲା। ଏହାପରେ ଏକନାଥ ସିନ୍ଦେ ପୁଣେ ଦେଇ ସଡ଼କ ପଥରେ ମୁମ୍ବାଇ ଫେରୁଛନ୍ତି।
ଗୁରୁବାର କାର୍ତ୍ତିକୀ ଏକାଦଶୀ ପ୍ରସ୍ତୁତି ଏବଂ ବିଠଲ-ରୁକ୍ମିଣୀ ମନ୍ଦିର ସହ ଚନ୍ଦ୍ରଭାଗା ନଦୀ ଅଞ୍ଚଳର ସ୍ଥିତି ସମୀକ୍ଷା କରିବାକୁ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପଣ୍ଢରପୁର ଯାଇଥିଲେ। ଏହା ପୂର୍ବରୁ ଚଳିତ ବର୍ଷ ମେ’ ମାସରେ ମଧ୍ୟ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଖରାପ ପାଗ ଏବଂ ପ୍ରବଳ ଝଡ଼ ପବନ ଯୋଗୁଁ ତାଙ୍କ ହେଲିକପ୍ଟର ମଝି ଆକାଶରେ ଦିଗ ହରାଇଥିଲା। ତେବେ ପାଇଲଟ୍‌ଙ୍କ ସତର୍କତା ଓ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା। ସମୟୋଚିତ ପଦକ୍ଷେପ ନେଇ ପାଇଲଟ୍ ହେଲିକପ୍ଟରକୁ ଫେରାଇ ଆଣିଥିଲେ ଏବଂ ଜୁହୁସ୍ଥିତ ପବନ ହଂସ ହେଲିପ୍ୟାଡ୍‌ରେ ସୁରକ୍ଷିତ ଅବତରଣ କରାଇଥିଲେ।

Leave A Reply

Your email address will not be published.