ବାତ୍ୟା ଅକବାନ ପାଇଁ ଗଞ୍ଜାମରେ ବସ୍‌ ଓ ଟ୍ରକ୍‌ ଚଳାଚଳ ବନ୍ଦ

0

ବ୍ରହ୍ମପୁର: ବାତ୍ୟା ଅକବାନ ପ୍ରଭାବକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ୨୦ ତାରିଖ ଶୁକ୍ରବାର ସମସ୍ତ ସରକାରୀ ଓ ଘରୋଇ ଯାତ୍ରୀବାହୀ ବସ ସମେତ ଟ୍ରକ ଚଳାଚଳ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଗଞ୍ଜାମ ଆରଟିଓଙ୍କ ପକ୍ଷରୁ ଗୁରୁବାର ଗଞ୍ଜାମ ଜିଲାର ସମସ୍ତ ଘରୋଇ ବସ ମାଲିକ ସଂଘ ଉଦ୍ଦେଶ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇ ୨୦ ତାରିଖରେ ଜିଲାର ସମସ୍ତ ଅଞ୍ଚଳରେ ଯାତ୍ରୀବାହୀ ବସ ଚଳାଚଳ ବନ୍ଦ କରିବାକୁ ନିବେଦନ କରାଯାଇଛି। ସେହିପରି ଜିଲାର ସମସ୍ତ ଟ୍ରକ ସଂଘ ମାଲିକଙ୍କୁ ମଧ୍ୟ ଶୁକ୍ରବାର ମାଲ ପରିବହନ ଓ ଟ୍ରକ ଚଳାଚଳ ବନ୍ଦ ରଖିବାକୁ କୁହାଯାଇଛି। ଏପଟେ ଆରଟିଓଙ୍କ ପକ୍ଷରୁ ଓଏସଆରଟିସି ଏବଂ ସିଟି ବସ ସେବା ପ୍ରଦାନ କରୁଥିବା କ୍ରୁଟ ସଂସ୍ଥାକୁ ମଧ୍ୟ ଚିଠି ଲେଖି ସମସ୍ତପ୍ରକାରର ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ପ୍ରଶାସନର ଏହି ନିଷ୍ପତ୍ତି ଯୋଗୁ ବ୍ରହ୍ମପୁର ସହର ସମେତ ଜିଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଯାତାୟାତ କରୁଥିବା ୨ ହଜାରରୁ ଅଧିକ ସରକାରୀ ଓ ଘରୋଇ ବସ ବନ୍ଦ ରହିବ। ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର ସହରରେ ସିଟି ବସ ସେବା ବନ୍ଦ ରହିବା ସହ ଗ୍ରାମାଞ୍ଚଳରେ ଚାଲୁଥିବା ସରକାରୀ ବସ ମଧ୍ୟ ବନ୍ଦ ରହିବ। ବାତ୍ୟା ପ୍ରଭାବରେ ଖୁବ ଜୋରରେ ପବନ ବହିବା ସହ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୨୦ ତାରିଖରେ ବସ ଓ ଟ୍ରକ ଚଳାଚଳ ବନ୍ଦ ନିଷ୍ପତ୍ତି ନିଆଯାଇଛି। ସେହିପରି ବ୍ରହ୍ମପୁର ରେଳ ଷ୍ଟେସନ ଦେଇ ଯାତାୟାତ କରୁଥିବା ପାସେଞ୍ଜର ଓ ଏକ୍ସପ୍ରେସ ଏକାଧିକ ଟ୍ରେନ ଚଳାଳଚ ବନ୍ଦ ରହିବ ବୋଲି କୁହାଯାଉଛି। ବସ ଓ ଟ୍ରେନ ଚଳାଳଚ ବନ୍ଦ ହେଲେ ସୁରଟ, ଦିଲ୍ଲୀ, ତାମିଲନାଡୁ, ମୁମ୍ବଇ, କେରଳ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ଦାଦନ ଖଟୁଥିବା ଗଞ୍ଜାମର ଶ୍ରମିକ ସମେତ ବିଭିନ୍ନ କନ୍ଧମାଳ ଓ ଗଜପତି ଜିଲାବାସୀ ମଧ୍ୟ ସମସ୍ୟା ଭୋଗିବେ ବୋଲି କୁହାଯାଉଛି। ତେବେ ଜରୁରୀକାଳୀନ ସେବା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଏବଂ ପ୍ରଶାସନିକ କାର୍ଯ୍ୟରେ ନିୟୋଜିତ ଯାନବାହନଗୁଡ଼ିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି।

Leave A Reply

Your email address will not be published.