ମୋହନା,୧୯ା୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ): ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ଓ ଭିତ୍ତିଭୂମିର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏକ୍ଷେତ୍ରରେ ବହୁ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି। ମାତ୍ର ପ୍ରଶାସନିକ ଅବହେଳା ଓ ଉଦାସୀନତା ଯୋଗୁ ଏହାର ସୁଫଳ ପିଲାମାନେ ପାଉନାହାନ୍ତି। ଅନେକ ବିଦ୍ୟାଳୟରେ ମୌଳିକ ସୁବିଧା ଛାତ୍ରୀଛାତ୍ରଙ୍କ ପାଖରେ ପହଞ୍ଚତ୍ପାରୁ ନାହିଁି। ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ(ନୋଡାଲ ସ୍କୁଲ) ଅବସ୍ଥା ଦେଖିଲେ ଏଭଳି ଅବ୍ୟବସ୍ଥା ସହଜରେ ବାରି ହୋଇଯାଉଛି। ଏଠାରେ ଛାତ୍ରୀଛାତ୍ରଙ୍କ ମୌଳିକ ଆବଶ୍ୟକତା ପୂରଣ ହୋଇପାରୁ ନାହିଁ। ଦୁର୍ୱଳ ଭିତ୍ତିଭୂମି ସାଙ୍ଗକୁ ମଧ୍ୟାହ୍ନଭୋଜନ ଖାଇବାକୁ କୋଠରି ନ ଥିବାରୁ ପିଲାମାନେ ବିଦ୍ୟାଳୟ ବାରଣ୍ଡା ଏବଂ ପଡ଼ିଆରେ ଖାଉଥିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି।
ମୋହନା ବ୍ଲକର ସର୍ୱପୁରାତନ ବିଦ୍ୟାଳୟ ମଧ୍ୟରୁ ଚନ୍ଦ୍ରଗିରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅନ୍ୟତମ। ଏହି ଶିକ୍ଷାନୁଷ୍ଠାନରେ ବାଲ୍ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩୭୮ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେମାନଙ୍କ ପାଇଁ ୧୦ ଶିକ୍ଷକ, ୨ଜଣ ଶିଶୁ ସେବିକା ରହିଛନ୍ତି। ବାଲ୍ ବାଟିକାରେ ୨୭ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ପ୍ରଥମ ଶ୍ରେଣୀରେ ୨୬, ଦ୍ୱିତୀୟ ଶ୍ରେଣୀରେ ୫୦, ତୃତୀୟ ଶ୍ରେଣୀରେ ୩୭, ଚତୁର୍ଥ ଶ୍ରେଣୀରେ ୪୨, ପଞ୍ଚମ ଶ୍ରେଣୀରେ ୪୨, ଷଷ୍ଠ ଶ୍ରେଣୀରେ ୫୫, ସପ୍ତମ ଶ୍ରେଣୀରେ ୪୦ ଓ ଅଷ୍ଟମ ଶ୍ରେଣୀରେ ୫୯ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏତେ ସଂଖ୍ୟକ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିଲେ ମଧ୍ୟ ମଧ୍ୟାହ୍ନଭୋଜନ ଖାଇବାକୁ ସ୍ୱତନ୍ତ୍ର କକ୍ଷଟିଏ ନ ଥିବାରୁ ସେମାନେ ବିଦ୍ୟାଳୟ ବାରଣ୍ଡା ଓ ପଡ଼ିଆରେ ବସି ଭୋଜନ କରୁଛନ୍ତି। ବର୍ଷା, ଖରା ଓ ଶୀତ ସବୁବେଳେ ସମାନ ଅବସ୍ଥା ଦେଖିବାକୁ ମିଳୁଛି। କେବଳ ମଧ୍ୟାହ୍ନଭୋଜନ କକ୍ଷ ନୁହେଁ, ବିଦ୍ୟାଳୟର ଭିତ୍ତିଭୂମି ମଧ୍ୟ ଦୁର୍ୱଳ ଅବସ୍ଥାରେ ରହିଛି। ଦୀର୍ଘବର୍ଷ ହେଲା ପାଞ୍ଚଟି ଶ୍ରେଣୀଗୃହ ଅଧାପନ୍ତରିଆ ଭାବେ ନିର୍ମାଣାଧୀନ ଅବସ୍ଥାରେ ରହିଥିବାବେଳେ ମାତ୍ର ୪ଟି ଶ୍ରେଣୀଗୃହରେ ୩୭୮ ପିଲା ବସି ପଢ଼ୁଛନ୍ତି। ଗୋଟିଏ କୋଠରିରେ ଏକାଧିକ ଶ୍ରେଣୀର ପିଲାମାନେ ପଢ଼ୁଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଛି। ସେହିପରି ବିଦ୍ୟାଳୟ ପରିସରରେ ପକ୍କା ପାଚେରି ନ ଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷା ବିପନ୍ନ ହୋଇପଡ଼ିଛି। ଗତ ତିତିଲି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଏକ କୋଠରି ଏବେ ମଧ୍ୟ ଅର୍ଦ୍ଧଭଗ୍ନ ଅବସ୍ଥାରେ ପଡ଼ିରହିଛି। ପ୍ରଶାସନ ଏହାକୁ ମରାମତି କରିବାକୁ ନାଁ ଧରୁନାହିଁ। ସେହିପରି ବିଦ୍ୟାଳୟର ମୁଖ୍ୟ ଫାଟକ ଦୀର୍ଘଦିନ ହେଲା ଭାଙ୍ଗି ପଡ଼ିଛି। ଏଥିଯୋଗୁ ବିଦ୍ୟାଳୟ ପରିସର ଅସୁରକ୍ଷିତ ହୋଇପଡ଼ିଛି। ସମସ୍ୟା ସମାଧାନ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଓ ସ୍ଥାନୀୟ ସରପଞ୍ଚ ସ୍ଥାନୀୟ ଏମ୍ପି ପ୍ରଦୀପ ପାଣିଗ୍ରାହୀ, ବିଡିଓ, ଜିଲାପାଳଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ବିଦ୍ୟାଳୟର ଏଭଳି ଦୁରବସ୍ଥା ନେଇ ଅଭିଭାବକ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏସମ୍ପର୍କରେ ସିଡିଓ ଦୟାମୟ ପାଢୀଙ୍କୁ ପଚାରିବାରୁ ସେ କହିଲେ, ଏହି ପୁରାତନ ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତି ପାଇଁ ଗୁରୁତ୍ୱ ଦିଆଯାଉଛି। ଆଉ ଯାହା ସମସ୍ୟା ରହିଛି ସପ୍ତାହକ ମଧ୍ୟରେ ସମାଧାନ ବ୍ୟବସ୍ଥା ହେବ। ବିଦ୍ୟାଳୟକୁ କମ୍ପୋଜିଟ ଗ୍ରାଣ୍ଟ ୩୫ ହଜାର ଲେଖାଏ ଦୁଇଥର ଆସିଛି। ସ୍ପୋଟର୍ସ ଉପକରଣ ପାଇଁ ୧୦ ହଜାର ଟଙ୍କା ଅନୁଦାନ ଆସିଛି। ଗତ କିଛି ମାସ ପୂର୍ୱରୁ ଚନ୍ଦ୍ରଗିରି ସରପଞ୍ଚ ରଜନୀ ପ୍ରଧାନ ବିଦ୍ୟାଳୟରେ ପାନୀୟ ଜଳ ଏବଂ ଶୌଚାଳୟ ବ୍ୟବସ୍ଥା କରିଛନ୍ତି। ବିଭିନ୍ନ ସମୟରେ ବିଦ୍ୟାଳୟ ପାଇଁ ଆସୁଥିବା ଅନୁଦାନର ସୁବିନିଯୋଗ କରି ଆଗାମୀ ଦିନରେ ଏହାର ଭିତ୍ତିଭୂମିର ଉନ୍ନତି କରାଯିବ ବୋଲି ପାଢ଼ୀ କହିଛନ୍ତି। ସେହିପରି ବିଦ୍ୟାଳୟ ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ପାଇକ ଏନେଇ କୌଣସି ମତାମତ ଦେଇ ନାହାନ୍ତି।
Sign in
Sign in
Recover your password.
A password will be e-mailed to you.